ତିଗିରିଆ: ରାଜ୍ୟ ସରକାର ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଓଡ଼ିଆ ମାଧ୍ୟମରେ ପଢ଼ୁଥିବା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ମାଧ୍ୟମ ଛାତ୍ରଛାତ୍ରୀଙ୍କ ସହ ସମକକ୍ଷ କରିବା ନିମନ୍ତେ ବିଦ୍ୟାଳୟଗୁଡ଼ିକୁ ୫-ଟି ଯୋଜନାରେ ସାମିଲ କରି ଉନ୍ନତିକରଣ ସହ ଆଧୁନିକ ଶିକ୍ଷାପଦ୍ଧତି ଓ ନୂତନ ଜ୍ଞାନକୌଶଳରେ ଶିକ୍ଷାଦାନର ବ୍ୟବସ୍ଥା କରାଯାଉଛି। ହେଲେ, କେତେକ ସ୍ଥାନରେ ବିଦ୍ୟାଳୟଗୁଡ଼ିକ ମୌଳିକ ସମସ୍ୟାରେ ଛନ୍ଦି ହୋଇ ରହୁଥିବାରୁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ସମ୍ଭବପର ହେଉ ନ ଥିବା ଦେଖାଯାଉଛି। ଏହାର ଦୃଷ୍ଟାନ୍ତ ହେଉଛି ତିଗିରିଆ ବ୍ଲକ୍ ପୁରୁଣାତିଗିରିଆ ପଞ୍ଚାୟତର ମହେଶ୍ବର ନୋଡ଼ାଲ ବିଦ୍ୟାପୀଠ। ୧୯୮୧ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଏହି ବିଦ୍ୟାଳୟ ଉପରେ ମୁଖ୍ୟତଃ ପୁରୁଣାତିଗିରିଆ ପଞ୍ଚାୟତର ପୁରୁଣାତିଗିରିଆ, ପାଇକିଆଁରା, ଚଷାଆଁରା ଓ ଅମୁଣିଆସାହି ଗ୍ରାମର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ବିଗତ ଦିନରେ ସ୍ୱତନ୍ତ୍ର ଶିକ୍ଷାଦାନ ପଦ୍ଧତି ନିମନ୍ତେ ବ୍ଲକ୍ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ବିଦ୍ୟାଳୟ ଏବେ ନାନାଦି ସମସ୍ୟା ଘେରରେ ରହିଥିବା ସୂଚନା ମିଳିଛି। ଏଠାରେ ପ୍ରଥମରୁ ଦଶମ ଶ୍ରେଣୀର ୪୧୨ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୪୬ ରହିଛି। ୪୦୦ରୁ ଅଧିକ ପିଲାଙ୍କୁ ଶିକ୍ଷାଦାନ କରାଯାଉଥିବା ଏହି ବିଦ୍ୟାଳୟରେ ବର୍ତ୍ତମାନ ପ୍ରଧାନଶିକ୍ଷକ ପଦ ଖାଲି ପଡ଼ିଛି। ଗତ ଫେବ୍ରୁଆରି ମାସରେ ପ୍ରଧାନଶିକ୍ଷକ ଅବସର ଗ୍ରହଣ କରିବା ପରେ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ।
ବିଦ୍ୟାଳୟରେ ୧୬୬ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ଗଣିତ ଶିକ୍ଷାଦାନ ନିମନ୍ତେ ଜଣେ ମାତ୍ର ଶିକ୍ଷକ ରହିଛନ୍ତି। ଫଳରେ ଛାତ୍ରଛାତ୍ରୀ ଅନେକ ସମସ୍ୟା ଭୋଗ କରୁଛନ୍ତି। କୌଣସି କାରଣରୁ ଏହି ଶିକ୍ଷକ ଛୁଟିରେ ରହିଲେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଗଣିତ ଓ ବିଜ୍ଞାନ ବିଷୟ ପଢ଼ିବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଦୁଇଟି ଶିକ୍ଷକ ପଦ ଖାଲି ରହିଛି। ବହୁଦିନ ହେଲା ଗୋଟିଏ ପିଅନ ପଦ ମଧ୍ୟ ଖାଲି ପଡ଼ିଛି। ଅପରପକ୍ଷରେ ଗତବର୍ଷ ବିଦ୍ୟାଳୟକୁ ୫-ଟି ରୂପାନ୍ତରୀକରଣ ଯୋଜନାରେ ସାମିଲ କରାଯାଇଥିଲା। ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟ ଜୋର୍ସୋର୍ରେ ଆଗେଇ ଚାଲିଥିଲା। ଏହାପରେ ବିଦ୍ୟାଳୟର ଶିକ୍ଷକ ସମସ୍ୟା ଦୂର ହେବ ବୋଲି ଜନସାଧାରଣଙ୍କ ମନରେ ଆଶା ସଂଚାର ହୋଇଥିଲା। ଚଳିତବର୍ଷ ରୂପାନ୍ତରିତ ବିଦ୍ୟାଳୟର ଉଦ୍ଘାଟନ କରାଯାଇଥିଲେ ମଧ୍ୟ ବିଭିନ୍ନ ମୌଳିକ ସମସ୍ୟା ଦୂର ହୋଇନାହିଁ। କିଛିଦିନ ତଳେ ରାଜ୍ୟରେ ହଜାର ହଜାର ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଥିଲେ। ବିଭିନ୍ନ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦ ପୂରଣ ହୋଇଥିଲା। ହେଲେ, ପୁରୁଣାତିଗିରିଆ ବିଦ୍ୟାଳୟରେ ନୂତନ ଶିକ୍ଷକ ନିଯୁକ୍ତ ହୋଇ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯଥାଶୀଘ୍ର ମହେଶ୍ବର ନୋଡ଼ାଲ୍ ବିଦ୍ୟାପୀଠରେ ପ୍ରଧାନଶିକ୍ଷକ ପଦ ସମେତ ଖାଲି ପଡ଼ିଥିବା ଶିକ୍ଷକ ଓ କର୍ମଚାରୀ ପଦବି ପୂରଣ କରିବା ପାଇଁ ସରକାର ପଦକ୍ଷେପ ନେବାକୁ ଅଭିଭାବକ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/TIGIRIA-MAHESWAR-NODAL-BIDYAPITHA-NEWS_6.jpg)