ଅଡୁଆ ଧରୁଛି ଧାନ କିଣା; ଚିନ୍ତାରେ ଚାଷୀ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଚଳିତ ବର୍ଷ ୯୮ଟି ସେବା ସମବାୟ ସମିତି ଓ ୫୪ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣାଯିବା ନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥଲା। ଡିସେମ୍ବର ମାସରୁ ଧାନ କିଣା ସରକାରୀ ଭାବେ ଆରମ୍ଭ କରାଯାଇଥିଲେ ମଧ୍ୟ ବାସ୍ତବରେ ଅନେକ ମଣ୍ଡି ଖୋଲାଯାଇ ନାହିଁ। ମଣ୍ଡି ଖୋଲିବା ଜିଲ୍ଲାରେ ଏକ ପ୍ରହସନରେ ପରିଣତ ହୋଇଛି। ସମବାୟ ସମିତିଗୁଡିକ ନିଜ ମର୍ଜିରେ ଖୋଲୁଛନ୍ତି ମଣ୍ଡି। ଚଳିତ ବର୍ଷ ଜିଲ୍ଲାରୁ ପ୍ରଥମ ଦଫାରେ ମୋଟ ୧୪ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ କରାଯିବ। ସରକାରୀ ଭା‌ବେ ଧାନ କିଣା ଆଗାଉ ନଥିବା ବେଳେ ବେସରକାରୀ ଭାବେ ଦଲାଲ ଧାନ ଉଠାଇ ନେଉଛନ୍ତି। କଳା ବଜାରରେ ଧାନ ବିକ୍ରୀ କରିବାର ସବୁ ଗଳାବାଟ କରାଯାଇଛି। ସରକାରୀ ମଣ୍ଡିରୁ ଧାନ ଉଠାଇବା ପାଇଁ ଜିଲ୍ଲାରେ ୨୧ ଟି ମିଲର ଓ ବାହାର ଜିଲ୍ଲାରୁ ୨ଟି ମିଲର ମୋଟ ୨୩ଟି ମିଲର ସାମିଲ ଅଛନ୍ତି। ଜିଲ୍ଲାରେ ୭୦ ହଜାର ଚାଷୀ ଖରିଫ ଧାନ ବିକ୍ରୀ କରିବା ପାଇଁ ପଂଜିକରଣ କରିଥିବା ବେଳେ ଏବେ ସୁଦ୍ଧା ଜିଲ୍ଲାରେ ୧୫ ପ୍ରତିଶତ ଧାନ କିଣା ଯାଇନାହିଁ। ୧୪ ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ୍ ରହିଥିବା ବେଳେ ଏବେ ସୁଦ୍ଧା ମାତ୍ର ୯୦ ହଜାର କୁଇଣ୍ଟାଲରୁ କମ୍ ଧାନ କିଣାଯାଇଛି।

ଅନ୍‌ଲାଇନ୍ ସିଷ୍ଟମ ଫେଲ୍ ହେଉଥିବା ବେଳେ ଅଧିକାଂଶ ପାକ୍ସରେ କଂପୁଟର ଠିକ୍ ଭାବ‌େ କାମ କରୁନାହିଁ। ଯେଉଁ ଟୋକନ୍ ଚାଷୀଙ୍କୁ ମିଳିଛି। ସେମାନେ କେ‌ତେ ଧାନ ସରକାରୀ ଭାବେ ବିକ୍ରୀ କରିବେ ତାହାର କିଛି ତାଳ ମେଳ ରହୁନାହିଁ। ଜିଲ୍ଲା ଯୋଗାଣ ବିଭାଗ ଠିକ୍ ତଥ୍ୟ ପ୍ରଦାନ କରିବାରେ ବିଫଳ ହେଉଛି। ଅନ୍ୟପକ୍ଷରେ ଚାଷୀଠାରୁ ଧାନ କିଣିବା ବେଳେ ଜିରୋ କଟିଂରେ ଧାନ କିଣିବାକୁ ସରକାରୀ ଭାବ‌େ ନିର୍ଦ୍ଦେଶ ରହିଥିବା ବେଳେ ସରକାରଙ୍କର ଏଭଳି ନିର୍ଦ୍ଦେଶକୁ ଜିଲ୍ଲାରେ ଉଲ୍ଲଂଘନ କରୁଥିବା ଅଧିକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କୃଷକ ସଂଗଠନ ଗୁଠିକ ଦାବି ଉଠାଇଛନ୍ତି। ଜିଲ୍ଲାରେ ସରକାରୀ ମଣ୍ଡିରେ ଚାଷୀଙ୍କୁ ଧାନ ବିକ୍ରୀ କରିବା ସହଜ ହେଉନାହିଁ। ବାଧ୍ୟ ହୋଇ ଚାଷୀ ଅଭାବୀ ଧାନ ବିକ୍ରୀର ଶିକାର ହେଉଛି। ନାମକୁ ମାତ୍ର ମଣ୍ଡି ଖୋଲାଯାଇଛି। ସବୁ ମଣ୍ଡି ଠିକ୍ ଭାବେ ଚାଲୁ ନାହିଁ। ସମବାୟ ସମତି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ମିଲରଙ୍କ ମଧ୍ୟରେ ତାଳମେଳ ରହୁ ନଥିବା ବେଳେ ଧାନ କିଣାରେ ଘୋର ଅବ୍ୟବସ୍ଥା ସୃଷ୍ଟି ହୋଇଛି। ମିଲର ଜିରୋ କଟିଂରେ ଧାନ କିଣିବ ନାହିଁ ବୋଲି ଜିଦ୍ କରୁଛି।

ପ୍ରତି କୁଣ୍ଟାଲ ଉପରେ ୫ ରୁ ୭ କିଲୋ ପର୍ୟ୍ୟନ୍ତ ଧାନର କଟନି-ଛଟନି କରିବାକୁ କହୁଥିବା ବେଳେ ଏହାକୁ ନେଇ ଚାଷୀ ଅମଙ୍ଗ ହେଉଛି। ସମବାୟ ସମିତି ଧାନର କଟନି ଛଟନି କରିବାକୁ କହିବା ବେଳେ ଚାଷୀ ଏଥିରେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛି। ଏଭଳି ଟଣାଓଟରା ଭିତରେ ବିଚରା ଜିଲ୍ଲାର ଚାଷୀ ଅଡୁଆରେ ପଡୁଛି। ଧାନ ଧରି ମଣ୍ଡିକୁ ଆସିବା ପରେ ତାର ଧାନକୁ ଏଭଳି କଟନି ଛଟନି କରିବାକୁ ମୂଲ ଚାଲ ଚାଲୁଛି। ଜିଲ୍ଲାରେ ଏଇ ଭଳି ଭାବେ ଧାନ କିଣା ଚାଲିଥିବା ବେଳେ ଚାଷୀ ସମସ୍ୟା ପ୍ରତି ଜିଲ୍ଲା ଯୋଗାଣ ବିଭାଗ ସଂପୂର୍ଣ୍ଣ ଭାବେ ଆଖିବୁଜି ଦେଇଛି। ଚାଷୀ ଧାନ ବିକ୍ରୀ ବେଳେ କଟନି ଛଟନି ନକରିବା ପାଇଁ ଜିଲ୍ଲା ପରିଷଦ ବୈଠକରେ ବିଧାୟକମାନେ ଉଦବେଗ ପ୍ରକାଶ କରିଥିଲେ। ଜିଲ୍ଲା ଯୋଗାଣ ବିଭାଗକୁ ମଧ୍ୟ ଏନେଇ ତାଗିଦ୍ କରାଯାଇଥିଲା। ଜିଲ୍ଲାର ସବୁ ସମବାୟ ସମିତିରେ ଏଭଳି କଟନି ଛଟନି ଚାଲିଥିବା ବେଳେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇ କାର୍ୟ୍ୟାନୁଷ୍ଠାନ କାହିଁକି ନିଆଯାଇ ନାହିଁ ବୋଲି ଚାଷୀ ପ୍ରଶ୍ନ କରିଛି। ବିଧାୟକମାନଙ୍କର ଏଭଳି ତାଗିଦ୍ ପରେ ମଧ୍ୟ ଜିଲ୍ଲାର ସମବାୟ ସମିତି ଓ ମାଫିଆ ମିଲରମାନେ କିଛି ଶୁଣି ନାହାଁନ୍ତି।

ପ୍ରତିବର୍ଷ ଜିଲ୍ଲାର କିଛି ମାଫିଆ ମିଲର ଚାଷୀର ଧାନକୁ କିଭଳି ଦୁଇ ତିନି ମାସ ଭିତରେ ଚଳୁ କରିଦେବେ ସେଇ ଚକ୍ରାନ୍ତରେ ରହିଥାନ୍ତି। ଉପର ଲେବୁଲରେ ମିଲଣମାନେ ଅଧିକାରୀଙ୍କୁ ହାତକରି ତଳିଆ ଚାଷୀଙ୍କୁ ମାରିବାକୁ ଯୋଜନା କରନ୍ତି। କେବଳ ଧାନର କଟଣି ଛଟଣିର କଥା ନୁହେଁ। ଚାଷୀଙ୍କୁ ଅଖା ମଧ୍ୟ ଦିଆଯାଉ ନାହିଁ। ଅଖା କିଣାରେ ଯୋଗାଣ ବିଭାଗ, ସମିତି ଓ ମିଲର ମିଳିତ ଭାବେ ଲକ୍ଷ ଲକ୍ଷ ଟଙ୍କା ହେରଫେର କରୁଛନ୍ତି। ଧାନ କିଣା ବେଳେ ଅଖା ଘୋଟଲାରେ କେଉଁମାନେ ସଂପୃକ୍ତ ରହୁଛନ୍ତି। ଧାନ କିଣାରେ ଏଇଭଳି ଅଚଳାବସ୍ଥାକୁ ନେଇ ଏବେ ଅଧିକାଂଶ ସମବାୟ ସମିତିରେ ଚାଲିଛି ବିବାଦ। ମିଲର – ସମିତି ମିଳିତ ଭାବେ ଚାଷୀଙ୍କୁ ହତାଶ କରୁଥିବା ବେଳେ ବିଚରା ଗରିବ ଚାଷୀ ଅଭାବୀ ଧାନ ବିକ୍ରୀର ଶୀକାର ହେଉଛି। ଚାଷୀ ଧାନ ଅମଳ କରି ନିଜ ଖଳାରେ ଓ ପିଣ୍ଡାରେ ଧାନ ବସ୍ତା ରଖି ମୁଣ୍ଡରେ ହାତ ଦେଇ ବସିଛି।

ସମ୍ବନ୍ଧିତ ଖବର