ଜଳେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ବାଲିଆପାଳ ବ୍ଲକ୍ ନୂଆଗାଁ ପଞ୍ଚାୟତ ନିକଟ ଯମୁନାଶୋଳ ବେଳାଭୂମି ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଛି। ହେଲେ ଏଠାରେ ନାନା ଅବ୍ୟବସ୍ଥା ଦେଖି ସମସ୍ତେ ନିରାଶ ହେଉଥିବା ବେଳେ ଅସଜଡ଼ା ଭିତ୍ତିଭୂମିକୁ ସଜଡ଼ାଯିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ବାଲିଆପାଳ ବ୍ଲକ୍ଠାରୁ ୨୦ କିମି ଏବଂ ବାଲେଶ୍ୱରଠାରୁ ୫୫ କିମି ଦୂରରେ ରହିଛି ଯମୁନାଶୋଳ ବେଳାଭୂମି। ରାଜ୍ୟର ପ୍ରତିଷ୍ଠିତ ବେଳାଭୂମିଗୁଡ଼ିକଠାରୁ ଏହା କିଛି କମ୍ ନୁହେଁ। ଗୋଟିଏ ପାର୍ଶ୍ୱରେ ଡଗରା ବେଳାଭୂମି ଥିବା ବେଳେ ଅପରପାର୍ଶ୍ବରେ କଷାଫଳ ବେଳାଭୂମି ରହିଛି। ଯମୁନାଶୋଳ ବେଳାଭୂମିର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିଭୋର କରେ। ଏଠାରେ ବିସ୍ତୀର୍ଣ୍ଣ ବେଳାଭୂମି ରହିଛି। ଗ୍ରାମବାସୀଙ୍କ ସହାୟତାରେ ବିରାଟକାୟ ଗଙ୍ଗା ମନ୍ଦିର ନିର୍ମାଣଧୀନ ଅଛି। ସେହିପରି ଝାଉଁ ଜଙ୍ଗଲ, ନାଲି କଙ୍କଡ଼ାଙ୍କ ଲୁଚକାଳି ଖେଳ, ଶୀତଳ ପବନ, ବିଭିନ୍ନ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ, ମତ୍ସ୍ୟଜୀବୀଙ୍କ ମାଛଧରା ଦୃଶ୍ୟ ସମସ୍ତଙ୍କୁ ଆନମନା କରେ। ମାର୍ଚ୍ଚ ମାସରେ ଏଠାରେ ବାରୁଣୀ ସ୍ନାନ କରାଯାଉଥିବା ବେଳେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ସେହିପରି ପଞ୍ଚୁକ ଆରମ୍ଭ ଓ ଶେଷ ଦିନରେ ବି ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ମେ ମାସରେ ଚନ୍ଦନ ଯାତ୍ରା ଆୟୋଜନ କରାଯାଏ।
ନୂଆବର୍ଷ ଓ ବଡ଼ଦିନରେ ବଣଭୋଜି ପାଇଁ ବେଳାଭୂମି ଲୋକାରଣ୍ୟ ହୋଇଥାଏ। ବର୍ଷର ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସନ୍ତି। ହେଲେ ଦୁର୍ଭାଗ୍ୟର କଥା; ବେଳାଭୂମିର ବିକାଶ ପାଇଁ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଯମୁନାଶୋଳ ବେଳାଭୂମିକୁ ଅଦ୍ୟାବଧି ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିପାରି ନାହିଁ। ୨୦୧୬ ମସିହାରେ ତତ୍କାଳୀନ ବାଲେଶ୍ୱର ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା ଏବଂ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ହାତପାଣ୍ଠିରୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ପାନ୍ଥଶାଳା ଓ ଗୋଟିଏ ଯାତ୍ରୀ ବିଶ୍ରାମଗାରକୁ ଛାଡ଼ି ଦେଲେ ଆଉ କିଛି ବି ନାହିଁ। ୟାସ୍ ବାତ୍ୟା ପରେ ସୃଷ୍ଟି ହୋଇଥିବା ଏକ ନାଳ ବେଳାଭୂମିକୁ ଯାତାୟାତ କରିବାରେ ବାଧକ ସାଜିଥିଲା। ତେଣୁ ନୂଆଗାଁ ପଞ୍ଚାୟତର ତତ୍କାଳୀନ ସରପଞ୍ଚ ମନ୍ମଥ କୁମାର ଗିରିଙ୍କ ପ୍ରଚେଷ୍ଟା ଯୋଗୁଁ ସେଠାରେ ଏକ ଅସ୍ଥାୟୀ କାଠପୋଲ ନିର୍ମାଣ କରାଯାଇଥିଲା। ଯାହା ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। କାଠପୋଲଟି ଭାଙ୍ଗିଗଲେ ବେଳାଭୂମିକୁ ପର୍ଯ୍ୟଟକଙ୍କ ଯିବାଆସିବା ସମ୍ଭବ ହେବନି। ସେହିପରି ସମୁଦ୍ର ଦିନକୁ ଦିନ କୂଳ ଖାଉଥିବା ବେଳେ ଝାଉଁ ଜଙ୍ଗଲ ନଷ୍ଟ ହେଉଛି। ଫଳରେ ସ୍ଥାନୀୟ ଲୋକ ଚିନ୍ତାରେ ରହୁଛନ୍ତି।
ତେବେ ଏପରି ସମୟରେ ଯମୁନାଶୋଳ ବେଳାଭୂମିର ବିକାଶ କରାଯିବାର ଆବଶ୍ୟକତା ରହିଛି। ବେଳାଭୂମିକୁ ରାସ୍ତା ସହ ନାଳରେ ସେତୁ ନିର୍ମାଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଉପକୂଳ ସୁରକ୍ଷା ପାଇଁ ପଥର ପେଚିଂ କରାଯିବା ଉଚିତ। ସେହିପରି ପାର୍କ, ଶୌଚାଳୟ, ବେଳାଭୂମି ରାସ୍ତା ଓ ସିମେଣ୍ଟ ଚୌକି ନିର୍ମାଣ ସହ ଉଜ୍ଜ୍ୱଳ ଆଲୋକ ଓ ପିଇବା ପାଣିର ବ୍ୟବସ୍ଥା, ବଣଭୋଜି ପାଇଁ ସବୁ ପ୍ରକାରର ସୁବିଧା ହେବା ଜରୁରୀ। ବେଳାଭୂମିକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ଉଚିତ ବୋଲି ବେଳାଭୂମି ଉନ୍ନୟନ କମିଟିର ସଭ୍ୟ ମନ୍ମଥ କୁମାର ଗିରି, କାର୍ତ୍ତିକ ପାତ୍ର, କମଳାକାନ୍ତ ଜେନା, ଗୋପାଳ ନାୟକ, ବାବୁଧର ଖିଲାର ପ୍ରମୁଖ ଦାବି କରିଛନ୍ତି। ଦାବି ପୂରଣ ହେଲେ କେବଳ ବାଲିଆପାଳ ବ୍ଲକ୍ ନୁହେଁ ସମଗ୍ର ଜିଲ୍ଲାର ଅର୍ଥନୈତିକ ବିକାଶକୁ ବଳ ମିଳିପାରନ୍ତା ବୋଲି ମତପ୍ରକାଶ ପାଇଛି।