ଯାଜପୁରସଦର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ରୋଗୀ ଓ ସଂପର୍କୀୟଙ୍କୁ ବାଇକ୍‌ ଚୋରି ଭୟ ଘାରିଛି। ଡାକ୍ତର ଦେଖାଇ ଆସିବା ଭିତରେ ଗାଡ଼ି ଗାଏବ ହୋଇଯାଉଛି। ଦିନ ଦ୍ବିପ୍ରହରରେ ଏଭଳି ଚୋରି ହେଉଥିବାର ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଛି। ମାତ୍ର ଚୋରକୁ ଧରିବାରେ ଯାଜପୁର ଟାଉନ ପୁଲିସ ସଫଳ ହୋଇନାହିଁ। ଗତକାଲି ମୁଖ୍ୟ ଚିକିତ୍ସାଳୟର ଶିଶୁ ଭବନ ପାର୍ଶ୍ବ ପାର୍କିଂରୁ ଜଣେ ବ୍ୟକ୍ତି ଏକାଧିକ ଚାବି ବ୍ୟବହାର କରି ଦିବାଲୋକରେ ଏକ ବାଇକ ଚୋରି କରିନେଇଛି। ଏହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୧୫ ଦିନ ପୂର୍ବରୁ ଶିଶୁ ବିଭାଗର ‌ଜଣେ ନର୍ସିଂ କର୍ମଚାରୀଙ୍କ ସ୍କୁଟି ଚୋରି ହୋଇଥିଲା। ଏବେ କର୍ମଚାରୀ ଡ୍ୟୁଟିକୁ ଆସି ଏଠାରେ ୮ ଘଣ୍ଟା ଗାଡି ରଖିବାକୁ ଭୟ କଲେଣି। କେତେକ ପରିବାର ସଦସ୍ୟଙ୍କ ସହଯୋଗରେ ଯିବାଆସିବା କରୁଥିବା ଦେଖିବାକୁ ମିଳୁଛି। ରୋଗୀଙ୍କ ସଂପର୍କୀୟମାନେ ମଧ୍ୟ ୨/୩ଟି ଗାଡ଼ିରେ ଗୋଟିଏ ଚେନ୍‌ରେ ତାଲା ପକାଇ ନିଜ ଗାଡ଼ିକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛନ୍ତି।

Advertisment

ବଡ଼କଥା ହେଉଛି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ଯାଜପୁର ସମେତ ପଡ଼ୋଶୀ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରୁ ଶହଶହ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ଅଧିକାଂଶ ବାଇକ୍‌ରେ ଆସି ତଳେ ପାର୍କିଂ ସ୍ଥାନରେ ଗାଡ଼ି ରଖି ଡାକ୍ତର ଦେଖାଇବାକୁ ଯାଇଥାନ୍ତି। ଏହି ସମୟ ଭିତରେ ଗାଡ଼ି ଗାଏବ‌ ହୋଇଯାଉଛି। ମାସିକ ପ୍ରାୟ ୧୫/୨୦ ବାଇକ୍‌ ଏମିତି ଚୋରି ହେଉଛି ବୋଲି ସୂଚନା ମିଳିଛି। କିଛି ଲୋକ ଅଭିଯୋଗ କରୁଛନ୍ତି, ଆଉ କେତେକ ମୁଣ୍ଡକାନ ଆଉଁଶି ଘରକୁ ଫେରି ଯାଉଛନ୍ତି। ଏଣେ ସିସିଟିଭି ଫୁଟେଜ୍ ଥାଇ ମଧ୍ୟ ଚୋର ପାଖରେ ପହଞ୍ଚି ପାରୁନି ପୁଲିସ। ଅନ୍ୟପଟେ ଶିଶୁ ବିଭାଗର ପ୍ରବେଶ ଓ ପ୍ରସ୍ଥାନ ପଥର ଦୁଇଟି ଫାଟକ ମଧ୍ୟରୁ ଗୋଟିଏକୁ ‌ଜବରଦଖଲ କରି ବନ୍ଦ ରଖାଯାଇଛି। ଯଦି ‌ପ୍ରସ୍ଥାନ ପଥକୁ ଖୋଲାଯାଇ ବାହାରକୁ ଯିବା ସମୟରେ ସୁରକ୍ଷା କର୍ମୀଙ୍କ ଦ୍ବାରା ଯାଞ୍ଚ କରାଯାନ୍ତା ତେବେ ହୁଏତ ଲୁଟେରାଙ୍କ ମଧ୍ୟରେ ସାମାନ୍ୟ ଭୟ ରହନ୍ତା। ଏନେଇ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବହୁବାର ବାଇକ୍‌, ସାଇକଲ, ମୋବାଇଲ ଚୋରିର ଅଭିଯୋଗ ଆସୁଛି। ଏନେଇ ପୁଲିସ ସହ ଯୋଗାଯୋଗ କରାଯାଉଛି। ନିୟମିତ ଚୋରି ରୋକିବାକୁ ପୁଲିସର ଉଦ୍ୟମ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।