ଅତିରିକ୍ତ ଦାୟିତ୍ବରେ ଚାଲିଛି ଡିଆରଡିଏ ଅଫିସ, କେବେ କାର୍ଯ୍ୟରେ ଯୋଗଦେବେ ପିଡ଼ି?

ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମାକୁ ମାସେ ବିତିଲା

ରାୟଗଡ଼ା: ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଛି ହଜାରେ କୋଟିର ଯୋଜନା। କିନ୍ତୁ ଯୋଜନା ପରିଚାଳନା ଓ ବିକାଶ ପରଖିବା ପାଇଁ ନାହାନ୍ତି ସ୍ଥାୟୀ ଅଧିକାରୀ। ଦେଢ଼ ମାସ ହେଲା ବିଭାଗ ଅତିରିକ୍ତ ଦାୟିତ୍ବରେ ଚାଲିଥିବା ବେଳେ ନବ ନିଯୁକ୍ତ ସ୍ଥାୟୀ ଅଧିକାରୀ ନିଯୁକ୍ତିନାମାର ମାସକ ପରେ ମଧ୍ୟ କାର୍ଯ୍ୟରେ ଯୋଗଦେଉନାହାନ୍ତି। ଫଳରେ ୧୧ ବ୍ଲକ୍, ୨ ପୌରାଞ୍ଚଳ, ଗୋଟିଏ ବିଜ୍ଞାପିତ ଅଞ୍ଚଳରେ ବିକାଶ ଧିମେଇଛି। ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଆଇଏଏସ୍ ଅମ୍ରିତ୍ ଋତୁରାଜଙ୍କ ୨୦୨୧ ଜାନୁଆରୀ ପହିଲାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ବଦଳି ହୋଇଥିଲା। ସରକାରଙ୍କ ବଦଳି ନିର୍ଦେଶନାମାରେ ଡିଆରଡିଏ ପିଡି ଭାବେ କାହାକୁ ନିଯୁକ୍ତି ମିଳିନଥିବାରୁ ବିଭାଗୀୟ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଭୀମସେନ ଶବରଙ୍କୁ ଦାୟିତ୍ବ ହସ୍ତାନ୍ତର କରି ଶ୍ରୀ ଋତୁରାଜ ରିଲିଭ୍ ହୋଇଥିଲେ। ଇତି ମଧ୍ୟରେ ଶ୍ରୀ ଋତୁରାଜଙ୍କ ବଦଳିକୁ ଦେଢ଼ ମାସ ବିତିଲାଣି।

ସରକାର ଋତୁରାଜଙ୍କ ସ୍ଥାନରେ ଜାନୁଆରୀ ୧୬ ତାରିଖରେ ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ବର୍ତ୍ତମାନ ଗୁଣପୁର ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗମାଙ୍ଗଙ୍କୁ ରାୟଗଡ଼ା ଡିଆରଡିଏର ନିର୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ। ସାଧାରଣ ପ୍ରଶାସନ ବିଭାଗର ନିର୍ଦେଶନାମାକୁ ଇତି ମଧ୍ୟରେ ମାସେ ବିତିଲାଣି। ହେଲେ ଆଜି ସୁଦ୍ଧା ଶ୍ରୀ ଗମାଙ୍ଗ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଗ୍ରାମାଞ୍ଚଳ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ଯୋଜନାକୁ ଚୂଡ଼ାନ୍ତ ରୂପରେଖ ଦେଉଥିବା ଡିଆରଡିଏର ନିର୍ଦେଶକ ପଦବିରେ ସରକାରୀ ନିର୍ଦେଶନାମା ସତ୍ତ୍ବେ ଶ୍ରୀ ଗମାଙ୍ଗ କାହିଁକି ଯୋଗଦେବାରେ ବିଳମ୍ବ କରୁଛନ୍ତି ତାକୁ ନେଇ ନାନା ସୃଷ୍ଟି ହୋଇଛି ବିଭିନ୍ନ ପ୍ରଶ୍ନବାଚୀ। ଜିଲ୍ଲାର ୧୧ ବ୍ଲକ୍ ୧୮୨ ପଞ୍ଚାୟତ, ୨୬୫୭ ରାଜସ୍ବ ଗ୍ରାମରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର, ଗୋପବନ୍ଧୁ ଗ୍ରାମୀଣ ବିକାଶ ଯୋଜନା, ସ୍ବଚ୍ଛ ଭାରତ ଅଭିଯାନ, ସଂଶୋଧିତ ଦୀର୍ଘ ମିଆଦି କାର୍ଯ୍ୟ ଖସଡ଼ା, ଜିଲ୍ଲା ଯୋଜନା ଓ ସମନ୍ବୟ ଶାଖା, ବିଧାୟକ, ସାଂସଦ ପାଣ୍ଠି ଅନୁଦାନ, ରାଜ୍ୟ ସରକାରଙ୍କ ପଞ୍ଚମ ଓ କେନ୍ଦ୍ରର ପଞ୍ଚଦଶ ଅର୍ଥ କମିଶନ୍ ଅନୁଦାନ , ଜିଲ୍ଲା ଯୋଗାଣ ଓ ବିପଣନ ସଂସ୍ଥା ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଯୋଜନା ଓ ବିଭାଗ ପରିଚାଳନା ହେଉଛି।

ଏଥି ସହିତ ରାୟଗଡ଼ା, ଗୁଣପୁର ପୌର ପରିଷଦ, ଗୁଡ଼ାରି ବିଜ୍ଞାପିତ ଅଞ୍ଚଳର ନୋଡାଲ୍ ଅଧିକାରୀ ଭାବେ ସରକାର ଡିଆରଡିଏ ପିଡିଙ୍କୁ ଦାୟିତ୍ବ ଅର୍ପଣ କରିଛନ୍ତି। ଅନ୍ୟପକ୍ଷରେ ଖଣି ସମୃଦ୍ଧ ଏହି ଜିଲ୍ଲାରେ ବାର୍ଷିକ ଖଣିଜ ଅନୁଦାନ ପାଣ୍ଠି ଅର୍ଥ ସହ କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଯୋଜନା ପରିଚାଳନାରେ ମଧ୍ୟ ପିଡିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ହେଲେ ସ୍ଥାୟୀ ଅଧିକାରୀ ନଥିବା ଯୋଗୁ ବହୁ ଯୋଜନା ଓ ପ୍ରକଳ୍ପ ପରିଚାଳନା କାମ ଅଟକି ରହିଛି। କରୋନା ଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷର ୬ ମାସ ଯୋଜନା ପରିଚାଳନାରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଥିଲା। ୨୦୨୦ ଅକ୍ଟୋବରରେ ସ୍ଥିତି ସୁଧରିଥିଲା। ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ୧ ମାସ ସମୟ ବାକିଥିବା ବେଳେ ଗ୍ରାମୀଣ ଆବାସ ଯୋଜନା ସମେତ ଅନେକ ପ୍ରକଳ୍ପର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ ରାୟଗଡ଼ା ଡିଆରଡିଏ ବହୁ ପଛରେ ପଡିଛି। ନିକଟରେ ପିଡି ଡିଆରଡିଏ ଭାବେ ନିଯୁକ୍ତି ପାଇଥିବା ଶ୍ରୀ ଗମାଙ୍ଗ ୨୦୨୧ ଜୁନ୍ ମାସରେ ଚାକିରୀରୁ ଅବସର ଗ୍ରହଣ କରିବାକୁ ଥିବାରୁ ଏହି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ନେବାକୁ ଚାହୁଁ ନାହାନ୍ତି ନା ଏହା ପଛରେ ଆଉ କିଛି କାରଣ ରହିଛି ସେଥି ପ୍ରତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଜରୁରି ହୋଇ ପଡିଛି।

ସମ୍ବନ୍ଧିତ ଖବର