ଜୀବନ ଦୋ ଛକିରେ ଝଡିଗୁଡା କୁମ୍ଭକାର: ଦୁଇ ବର୍ଷ ହେଲା ଜୀବିକା ନାହିଁ, ହାତବାନ୍ଧି ବସିଛନ୍ତି

କୋରାପୁଟ: ତିନି ବର୍ଷ ହେଲା ରାଜ୍ୟ ଦେଖିନି କୋରାପୁଟ ଜିଲ୍ଲାର ମୂର୍ତ୍ତିକା କଳା। ମାଟିରୁ ତିଆରି ହୋଇଥିବା ଟେରାକୋଟାକୁ ଦେଖି ନାହାନ୍ତି ରାଜ୍ୟବାସୀ। ଇଚ୍ଛା ଥିଲେ ମଧ୍ୟ କୋରାପୁଟର କୁମ୍ଭକାର ରାଜ୍ୟ ସ୍ତରକୁ ନେଇ ପାରୁ ନାହାନ୍ତି ଟେରାକୋଟା ସାମଗ୍ରୀ। ପ୍ରଥମ ବର୍ଷ ଆର୍ଥିକ ସମସ୍ୟା ଓ ଏବେ ଦୁଇ ବର୍ଷ ହେଲା କରୋନା କୁମ୍ଭକାର ପେଟକୁ ଲାତ ମାରିଛି। ମାଟିରୁ ତିଆରି ହେଉଥିବା ବିଭିନ୍ନ ଟେରାକୋଟାକୁ ତିଆରି କରୁଥିବା କୁମ୍ଭକାର ଏବେ ଜରାଜିର୍ଣ୍ଣ ଜୀବନ ଜିଉଁଛନ୍ତି । ଆଜିର ଆଧୁନିକ ଯୁଗରେ ଅନେକ ଲୋକ ସେମାନଙ୍କର କୌଳିକ ବୃତ୍ତି କରି ପେଟ ପୋଷୁଛନ୍ତି । ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ନିଜର କୁଳ ବେଉସା କୁ ଛାଡି ପାରୁନାହାଁନ୍ତି । ଟେରାକୋଟା ସାମଗ୍ରୀ ତିଆରି କରି ସେମାନଙ୍କର ଆର୍ଥିକ ଉନ୍ନତି ହେଉଥିଲା। ଏବେ କରୋନା ହେତୁ ଦିନକୁ ଦିନ ସେମାନଙ୍କ ବେପାର ମାନ୍ଦା ହେବାରେ ଲାଗିଛି କୋରାପୁଟର ମାନବର ପଂଚାୟତର ଝଡିଗୁଡ଼ା ଗ୍ରାମରେ । ସେହି ଗ୍ରାମରେ ୪୦ଟି ପରିବାର କୁମ୍ଭାର ଅଛନ୍ତି । ସେମାନଙ୍କର କୌଳିକ ବୃତ୍ତି ମାଟିରେ ନିର୍ମିତ ଫୁଲକୁଣ୍ଡ, ମାଟିହାଣ୍ଡି, ଘୋଡଣୀ, କଳସ, ମାଟି ଫୁଲଦାନି ଦୀପ ସହ ବିଭିନ୍ନ ସାଜ୍ଜସଜା ଟେରାକୋଟା ସାମଗ୍ରୀ ଆଦି ତିଆରି କରି ପେଟ ପୋଷୁଥିଲେ ।

ତିନିବର୍ଷ ହେଲା ନା ସେମାନେ ତିଆରି କରିପାରୁଛନ୍ତି। ନା ତିଆରି ହୋଇ ରହିଥିବା ଜିନିଷ ବିକ୍ରି ହୋଇପାରୁନି। ଫଳରେ ନାହିଁ ନ ଥିବା ସମସ୍ୟାରେ ପଡିଛନ୍ତି ଗାଁର କୁମ୍ଭକାର ପରିବାର। ଖାଲି ସେତିକି ନୁହେଁ ଏହି ମାଟି ଜିନିଷ ତିଆରି ପାଇଁ ବାଲିମାଟି, କଳାମାଟି ଓ ଲାଲମାଟି ଆବଶ୍ୟକ ପଡୁଛି । ବାଲି ଓ କଳା ମାଟି ମିଳିଯାଉଥିଲେ ମଧ୍ୟ ଲାଲ ମାଟି ସେମାନଙ୍କୁ କିଣିବାକୁ ପଡୁଛି । ମାଟି ଜିନିଷ ଗୁଡ଼ିକ ପୋଡ଼ିବା ପାଇଁ ଆବଶ୍ୟକ କାଠ ଭାରକୁ ୩୦୦ ଟଙ୍କା ହିସାବରେ କିଣିବାକୁ ପଡୁଛି । ସ୍ଥାନୀୟ ମାର୍କେଟ ପାଇଁ କିଛି ମାଟି ତିଆରି ଜିନିଷ ତିଆରି କରୁଥିଲେ ମଧ୍ୟ ସବୁ ଜିନିଷର ଦର ବୃଦ୍ଧି ହେଉଥିଲେ ମଧ୍ୟ ବେପାର ବଢ଼ିପାରୁନାହିଁ । କମ ଅର୍ଥରେ ପ୍ଲାଷ୍ଟିକ ଜାତୀୟ ଉତ୍ପାଦ ମିଳିବା ସହିତ କରୋନା ମହାମାରୀ ଦ୍ଵାରା ସେମାନଙ୍କର ଅନେକ କ୍ଷତି ହୋଇଛି ।

ହାତ ପାହାନ୍ତାରେ ଏହି ପ୍ଲାଷ୍ଟିକ ଜିନିଷ କମ ଦରରେ ମିଳୁଥିବାରୁ ମାଟି ତିଆରି ସରଞ୍ଜାମ କିଣିବାକୁ ମନ ବଳାଉ ନାହାନ୍ତି ଗରାଖ। ଗରାଖ ମନ ବଳାଉ ନ ଥିବାରୁ ସେମାନଙ୍କ ଜିନିଷ ବିକ୍ରି ହୋଇପାରୁନାହିଁ। ଯେଉଁ କାମ ସେମାନେ ବର୍ଷକ ବାରମାସ କରୁଥିଲେ ଏବେ ତାହା ବର୍ଷରେ ଦୁଇ କି ତିନିମାସ କାମ କରୁଛନ୍ତି। ତାହାପୁଣି ସିଜିନ ହିସାବରେ। ଦିପାବଳୀ, ଜାଗର, ଗଣେଷ ପୂଜା, ଦଶହରା ଓ ରଥଯାତ୍ରାକୁ ଛାଡିଦେଲେ ଆଉ ବେପାର ଜମୁନି। ଏଭଳି କହୁଛନ୍ତି ଝଡିଗୁଡାର ଅଭିମନ୍ୟୁ କୁମ୍ଭାର । କେବଳ ରବିବାର ହ।ଟରେ ବେପାର କରିବା ପାଇଁ ମାଟିର ବିଭିନ୍ନ ଜିନିଷ ନେଇ ବିକ୍ରି କରିବାକୁ ଆସିଥାନ୍ତି, କିନ୍ତୁ ହାଟରେ ବେପାର ହେଉନାହିଁ, ହାଟରେ ସେମାନେ ବସିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ କିମ୍ବା ଜିନିଷ ପତ୍ର ଗୁଡ଼ିକ ରଖିବ। ପାଇଁ କୌଣସି ଗୃହର ବ୍ୟବସ୍ଥା ହୋଇନାହିଁ । ଡିଆରଡିଏ ତରଫରୁ ବହୁଦିନ ପୂର୍ବେ ସେମାନଙ୍କୁ ଗୋଟିଏ ଲେଖାଏଁ ଚକ ଦିଆ ଯାଇଥିବା ବେଳେ ଅନ୍ୟ କୌଣସି ସରକାରୀ ସୁବିଧା ସେମାନେ ପାଇ ପାରୁନାହାନ୍ତି। ମାଟି ଜିନିଷ ଗୁଡ଼ିକର ଚାହିଦା କମିବା କାରଣରୁ ପରିବାର ଚଳିବା କଷ୍ଟକର ହେଉଛି। ତେଣୁ ଏହି ପାରମ୍ପରିକ କୌଳିକ ବୃତ୍ତି ଛାଡିବାକୁ କିଛି କୁମ୍ଭାର ପରିବାର ବାଧ୍ୟ ହେଉଛନ୍ତି ।

ଗାଁର ଧନ କୁମ୍ଭାର କହିଛନ୍ତି ଯେ ଦିନ ଥିଲା ଏହି ଗାଁରେ ସବୁ ପରିବାର କୁମ୍ଭାରକୁ ପାରିବାରିକ କୌଳିକ ବୃତ୍ତି ଭାବେ ଗ୍ରହଣ କରିଥିଲେ। ଏହିଠାରୁ କୋରାପୁଟ ଓ ପଡୋଶୀ ରାଜ୍ୟ ଆନ୍ଧ୍ର ଓ ଛତିଶ ଗଡକୁ କୁ ଯାଉଥିଲା ମାଟିରୁ ତିଆରି ବିଭିନ୍ନ ସରଞ୍ଜାମ। ଏବେ ଘରକୁ ଘର ଆସି ପ୍ଲାଷ୍ଟିକ ଜିନିଷପତ ବିକ୍ରିକରୁଥିବା ବ୍ୟବସାୟୀ ମାନେ ଆସ୍ଥା ଜମାଇଛନ୍ତି। ତେଣୁ ଆଗ ଭଳି ବେପାର ହେଉନି। କରୋନା ଭୂତାଣୁରେ ର ପରବର୍ତ୍ତୀ ଆର୍ଥିକ ସମସ୍ୟା ହେତୁ ମାଟି ସରଞ୍ଜାମ ତିଆରି କରିବାକୁ ମାଟି, କୋଇଲା ଓ କାଠ ମିଳୁ ନାହିଁ। ତେଣୁ ପେଷା ଛାଡି ଅନ୍ୟ ଧନ୍ଧା କରିବାକୁ ମନ ବଳାଉଛୁ ବୋଲି ସେ କହିଛନ୍ତି। ସତ୍ୟବାଦୀ କୁମ୍ଭାର କହିଛନ୍ତି ଆଗ ଭଳି ଆଉ ବେପାର ହେଉନାହିଁ। ସିଜିନ ଅନୁଯାୟୀ ବେପାର ହେଉଛି। ଚଳିତବର୍ଷ ଯେଉଁ କରୋନା ଭାଇରସ ଆସିଲା ତାହାର ସିଧାସଳଲଖ ପ୍ରଭାବ ପଡିଛି ଆମ ଖଟିଖିଆଙ୍କ ଉପରେ। ସରକାର ସିନା ଆର୍ଥିକ ସହାୟତା ଭାବେ କିଛି କେଜିର ଚାଉଳ ଦେଉଛନ୍ତି ।

ଏପରିସ୍ଥିତିରେ ପରିବାର କିପରି ଚଳିବୁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ତେଣୁ ଏମାନଙ୍କୁ ସରକାର ଓ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା ପ୍ରଦାନ କରାଗଲେ ସେମାନଙ୍କର କୌଳିକ ବୃତ୍ତି ବଞ୍ଚିବା ସହିତ ସେମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି ଅନୁମାନ କରାଯାଏ । ଏନେଇ ଓଏଲଏମ ପ୍ରକଳ୍ପ ନିର୍ଦ୍ଦେଶକ ରୋଶନ କାର୍ତ୍ତିକ କହିଛନ୍ତି ଯେ କରୋନା ହେତୁ ଦଇବର୍ଷ ହେଲା କୋରାପୁଟରୁ କୌଣସି ଟେରାକୋଟା ସାମଗ୍ରୀ ରାଜ୍ୟସ୍ତରକୁ ଯାଇପାରିନାହିଁ। ୨୦୧୯ରେ କେବଳ ପରବରେ ସେମାନେ ଉପକୃତ ହୋଇଥିବାବେଳେ ଆର୍ଥିକ ଅସୁବିଧା ହେତୁ ରାଜ୍ୟ ଅନ୍ୟ ମେଳାକୁ ଏହା ଯାଇପାରିଲାନି । ସେମାନଙ୍କ ଉନ୍ନତି ପାଇଁ ଆଗାମୀ ଦିନରେ କାର୍ଯ୍ୟପନ୍ଥା ସ୍ଥିର ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର