ହଜିବାରେ ଲାଗିଛି ମାଟିର ମହକ:କୁମ୍ଭ ଗଢ଼ୁ ନାହାନ୍ତି କୁମ୍ଭାର, ଛାଡ଼ୁଛନ୍ତି କୌଳିକ ବୃତ୍ତି

ବ୍ରହ୍ମପୁର: କୁମ୍ଭାର ଚକ ଆଉ ଘୁରୁନି, କି ଭାଟି ଆଉ ଜଳୁନି। କାଠ ଚକରେ ଏବେ ଉଈ ଲାଗିଗଲାଣି, ଆଉ କିଏ ତାହାକୁ ବିକି ସାରିଲାଣେ। ବହୁ ବ୍ୟକ୍ତି ନିଜ ବୃତ୍ତିରୁ ଦୂରେଇ ରୋଜଗାର ପାଇଁ ଅନ୍ୟ ପନ୍ଥା ବାଛିଲେଣି। ମାଟିସହ ଘାଣ୍ଟି ହୋଇ ମାଟିରେ ହାଣ୍ଡି, ମାଠିଆ, ସ‌ୁରେଇ, ଦୀପ ଓ କୁଣ୍ଡ ତିଆରି ଠାରୁ ଦୂରେଇ ଗଲେଣି ବହୁ ପରିବାର। ଦିନକୁ ଦିନ ମାଟି ତିଆରି ସାମଗ୍ରୀ ଚାହିଦା କମୁଥିବା ନେଇ କୁମ୍ଭକାରମାନେ ଅତି ଦୁଃଖର ସହ କହିଛନ୍ତି।
କୁମ୍ଭାରପଲ୍ଲୀ ନାଁ ଶୁଣିଲେ ମନେ ହୁଏ ସେଠାରେ ମାଟିର ବିଭିନ୍ନ ସାମଗ୍ରୀ ତିଆରି କରାଯାଉଥିବ। କିନ୍ତୁ ସେଠିକାର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ଆଧୁନିକତାର ସ୍ପର୍ଶରେ ବ୍ରହ୍ମପୁର ସହରର କୁମ୍ଭାରପଲ୍ଲୀର କୁମ୍ଭକାରମାନ‌େ ଆଉ ମାଟିରେ ସାମଗ୍ରୀ ତିଆରି କରୁ ନାହାନ୍ତି। ପ୍ଲାଷ୍ଟିକ୍ ଓ ଷ୍ଟିଲ ସାମଗ୍ରୀ ଆସିବା ବେଳେ ଲୋକେ ମାଟି ସାମଗ୍ରୀ ବ୍ୟବହାରକୁ ଭୁଲିଗଲେଣି। ନାଁ ସେଥିରେ ରୋଷେଇ କରୁଛନ୍ତି, ନା ସେଥିରେ ଖାଦ୍ୟ ଖାଉଛନ୍ତି। ଗାଁମାନଙ୍କରେ ମହିଳାମାନେ ମାଟି ହାଣ୍ଡିରେ ପାଣି ଆଣୁଥିବା ବେଳେ ତାହା ମଧ୍ୟ ଆଉ ଦୃଷ୍ଟିଗୋଚର ହେଉନାହିଁ। ଅଧିକାଂଶ ସ୍ଥାନରେ ମାଟି ଦୀପ ହିଁ ବିକ୍ରି ହେଉଥିବାର ଦେଖିବାକୁ ମିଳୁଛି।
ଲୋକେ ମାଟି ସାମଗ୍ରୀ କିଣିବା କମ୍ କରିଦେଇଥିବା ବେଳେ କୁମ୍ଭକାରମାନ‌େ ମଧ୍ୟ ସାମଗ୍ରୀ ତିଆରି କରିବା ଛାଡ଼ିବାକୁ ଲାଗିଲେଣି। ଏଥିସହ ବହୁ ବ୍ୟକ୍ତି ରୋଜଗାର ପାଇଁ ଦାଦନ ଖଟିବାକୁ ମଧ୍ୟ ଯାଉଛନ୍ତି। ବହୁ କଷ୍ଟରେ ମାଟି ସଂଗ୍ରହ କରି ତାକୁ ଅକ୍ଳାନ୍ତ ପରିଶ୍ରମ କରି ଚକଟି, ଚକରେ ଗଢ଼ି ଶୁଖାଇ ଭାଟିରେ ପୋଡ଼ିଥାନ୍ତି। କଞ୍ଚା ମାଟି ସାମଗ୍ରୀଗୁଡ଼ିକୁ ଭାଟିରେ ପୋଡ଼ିବା ପାଇଁ କାଠ, ଜାଳର ଆବଶ୍ୟକ ପଡ଼ିଥାଏ। ମାଟି ଠାରୁ ଆରମ୍ଭ କରି କାଠ ସବୁ କିଣିବାକୁ ପଡ଼ୁଥିବା ବେଳେ ତାହାର ମୂଳ ଟଙ୍କା ମଧ୍ୟ ମିଳିପାରୁ ନାହିଁ ବୋଲି କିଛି କୁମ୍ଭକାର କହିଛନ୍ତି।
କୁମ୍ଭାରପଲ୍ଲୀ ସାହିରେ ଆଗରୁ ବହୁ ପରିବାର ମାଟିରେ ବିଭିନ୍ନ ସାମଗ୍ରୀ କରୁଥିବା ବେଳେ ଏବେ ଏହି ମାଟି ତିଆରି କାମ ଛାଡ଼ିସାରିଲେଣି।
କେବଳ ଆର୍. ମୁକୁନ୍ଦାଙ୍କ ପରିବାର ଏହି ମାଟି ତିଆରି ସାମଗ୍ରୀ ବିକ୍ରି କରୁଛନ୍ତି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଶାଳ ଘର ଭାଙ୍ଗିଯାଉଛି। ତାହାର ମରାମତି କରି ହେଉନାହିଁ। ଦରଦାମ ବୃଦ୍ଧି ହୋଇଥିବା ବେଳେ ମାଟିର ଦାମ୍‌ ମଧ୍ୟ ବଢ଼ିଛି। ଏମିତିକି ମାଟି ପାଇଁ ଅନେକ ଅଞ୍ଚଳ ବୁଲିବାକୁ ପଡ଼ୁଛି।
ଏଥିସହ ‌ତାହାକୁ‌ ପୋଡ଼ିବା ପାଇଁ କାଠ ଆବଶ୍ୟକ ପଡ଼ୁଥିବା ବ‌େଳେ ସେଥିପାଇଁ ମଧ୍ୟ ଟଙ୍କା ନାହିଁ। ମାଟିରେ ସାମଗ୍ରୀ ତିଆରି କରି ବିକିଲେ ମଧ୍ୟ ପାରିଶ୍ରମିକ ମିଳିପାରୁ ନଥିବାରୁ ଏହି ବୃତ୍ତି ଛାଡ଼ିଦେଇଛୁ ବୋଲି କିଛି କୁମ୍ଭକାର କହିଛନ୍ତି। ଆର୍ ମୁକୁନ୍ଦାଙ୍କ କହିବାନୁଯାୟୀ, ଆମ ପରିବାରର ଏହା କୌଳିକ ବୃତ୍ତି ଅଟେ। ଶ୍ବଶୁର ମାଟିରେ ସାମଗ୍ରୀ ତିଆରି କରୁଥିଲେ, କିନ୍ତୁ ସ୍ବଳ୍ପ ଆୟ ଯୋଗୁଁ ମୋର ସ୍ବାମୀ ଏହି କାମ ଛାଡ଼ି ଦେଇଛନ୍ତି। ଆଗଭଳି ଆଉ ବେପାର ହେଉନଥିବାରୁ ସେଥିରେ ପରିବାର ଚଳିବା କଷ୍ଟକର ହୋଇପଡ଼ୁଛି। ଫଳରେ ସ୍ବାମୀ ମିସ୍ତ୍ରି କାମ କରି ପରିବାର ଚଳାଉଛନ୍ତି। କେବଳ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ସହରର ଉପକଣ୍ଠର ବିଭିନ୍ନ ଗ୍ରାମରୁ ମାଟି ତିଆରି ସାମଗ୍ରୀ କିଣି ଆଣି ତାହାକୁ ବିକ୍ରି କରୁଛି। ଦିନକୁ ଦିନ ଖର୍ଚ୍ଚ ବଢ଼ୁଛି ଓ ବିକ୍ରି ମଧ୍ୟ କମୁଛି। ମାଟି ହାଣ୍ଡି ଓ ଦୀପ କିଛିଟା ବିକ୍ରି ହେଉଥିବା ବେଳେ ଅନ୍ୟ ସାମଗ୍ରୀ ବିକ୍ରି ହୋଇପାରୁ ନାହିଁ।

ସମ୍ବନ୍ଧିତ ଖବର