ଚିନାବାଦାମ ମଣ୍ଡିରେ ଅବ୍ୟବସ୍ଥା: ୧୦୦୭ କ୍ବିଣ୍ଟାଲ ଖରିଦ ହୋଇଛି, ଉଠିଛି ୨୦୦ କ୍ବିଣ୍ଟାଲ

୭ଟି ମଣ୍ଡିରେ ଆହୁରି ୧୬୦୦ କ୍ବିଣ୍ଟାଲ ଚିନାବାଦାମ ପଡିଛି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଚିନାବାଦାମ, ମୁଗ, ବିରି ମଣ୍ଡି ଗତ ମାସ ୧୦ ତାରିଖରେ ଉଦଘାଟନ ହେଲା। ଚଳିତ ବର୍ଷ ନିର୍ବାଚନ ଥିବାରୁ ଚିନାବାଦାମ ମଣ୍ଡିରେ ବିଳମ୍ବ ହୋଇଥିବା ଜିଲ୍ଲାପାଳ ସଚିନ ପାଵାର ପ୍ରକାଶ କରିବା ସହ ସମସ୍ତ ଚାଷୀଙ୍କ ଠାରୁ ଚିନାବାଦାମ ଖରିଦ କରାଯିବ ବୋଲି ପ୍ରତିଶ୍ରୁତି ଦେଲେ। ତେବେ ଗତ ୨୦ ଦିନରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଜିଲ୍ଲାର ୭ଟି ମଣ୍ଡିରୁ ଚିନାବାଦାମ ଉଠିପାରୁ ନାହିଁ। ମଣ୍ଡିରେ ଚିନାବାଦାମ ପଡି ରହିଛି। ମଣ୍ଡିରୁ ଚିନାବାଦାମ ଉଠି ପାରୁନଥିବାରୁ ଗତ ୫ ଦିନ ହେଲା ମଣ୍ଡି ବନ୍ଦ ରହିଛି। ତେବେ ଗତ ମାସର ୨୫ ତାରିଖ ସୁଦ୍ଧା ଗୋବିନ୍ଦପାଲୀର ବଣ୍ଡା ଲ୍ୟାମ୍ପସ ତରଫରୁ ୮ ଜଣ ଚାଷୀଙ୍କ ଠାରୁ ୨୭୩.୨୫ କ୍ବିଣ୍ଟାଲ ଚିନାବାଦାମ କ୍ରୟ କରାଯାଇଥିବା ବେଳେ ପଡିଆ ଲ୍ୟାମ୍ପସ ତରଫରୁ ପଡିଆ ମଣ୍ଡିରେ ୧୦ ଜଣ ଚାଷୀଙ୍କ ଠାରୁ ୨୨୯.୬୦ କ୍ବିଣ୍ଟାଲ, ପୁସୁଗୁଡା ମଣ୍ଡିରେ ୧୧ ଡଣ ଚାଷୀଙ୍କ ଠାରୁ ୨୭୯.୩୦ କ୍ବିଣ୍ଟାଲ, ମାଲକାନଗିରି ଲ୍ୟାମ୍ପସର ମାଲକାନଗିରି ମଣ୍ଡିରେ ୧୫ ଜଣ ଚାଷୀଙ୍କ ଠାରୁ ୩୨୫.୧୫ କ୍ବିଣ୍ଟାଲ ଏବଂ କୋରକୋଣ୍ଡା ଲ୍ୟମ୍ପସରେ ବର୍ତ୍ତମାନ ସୁଦ୍ଧା ଖରିଦ କରାଯାଇନଥିବା ଜଣାପଡିଛି।ତେବେ ମୋଟ ୧୦୦୭ କ୍ବିଣ୍ଟାଲ କ୍ରୟ କରାଯାଇଥିବା ବେଳେ ମାତ୍ର ୨୦୦ କ୍ବିଣ୍ଟାଲ ଚିନାବାଦାମ ହିଁ ଗୋଦାମକୁ ସ୍ଥାନାନ୍ତର କରାଯାଇପାରିଛି। କିନ୍ତୁ ଏବେ ମଣ୍ଡି ବନ୍ଦ ଥିବାବେଳେ ପୁଣି ମଣ୍ଡିକୁ ଚିନାବାଦାମ ଆସି ପଡି ରହିଛି।

ମାଲକାନଗିରି ମଣ୍ଡିରେ ୬ ଜଣ ଚାଷୀ ୨୩୧ କ୍ବିଣ୍ଟାଲ ଚିନାବାଦାମ ଆଣି ଗଚ୍ଛିତ କରିଥିବାବେଳେ ପଡିଆ ଲ୍ୟାମ୍ପସ ତରଫରୁ ଏମଭି-୭୯ ମଣ୍ଡିରେ ୧୬ ଜଣ ଚାଷୀ ୩୦୪ କ୍ବିଣ୍ଟାଲ,ପଡିଆ ଲ୍ୟାମ୍ପସର ପୁସୁଗୁଡା ମଣ୍ଡିରେ ୪ ଜଣ ଚାଷୀ ୮୧ କ୍ବିଣ୍ଟାଲ, କାଲିମେଳା ଲ୍ୟାମ୍ପସର କାଲିମେଳା ମଣ୍ଡିରେ ୩ ଜଣ ଚାଷୀ ୬୧ କ୍ବିଣ୍ଟାଲ ଓ ଏମପିଭି-୮୧ ମଣ୍ଡିରେ ୬ ଜଣ ଚାଷୀ ୧୩୦ କ୍ବିଣ୍ଟାଲ, ବଣ୍ଡା ଲ୍ୟାମ୍ପସର ଗୋବିନ୍ଦପାଲୀ ମଣ୍ଡିରେ ୪ ଜଣ ଚାଷୀ ୮୮ କ୍ବିଣ୍ଟାଲ, କୁଡୁମୁଲୁଗୁମ୍ମା ଲ୍ୟାମ୍ପସର କୁଡୁମୁଲୁଗୁମ୍ମା ମଣ୍ଡିରେ ୨୦ ଜଣ ଚାଷୀ ୨୬୮ କ୍ବିଣ୍ଟାଲ, କୋରକୋଣ୍ଡା ଲ୍ୟାମ୍ପସର କୋରକୋଣ୍ଡା ମଣ୍ଡିରେ ୪ ଜଣ ଚାଷୀ ୭୪ କ୍ବିଣ୍ଟାଲ ଓ ପିତାକାଟା ମଣ୍ଡିରେ ୧୩ ଜଣ ଚାଷୀ ୨୯୪ କ୍ବିଣ୍ଟାଲ ଚିନାବାଦାମ ମଣ୍ଡିରେ ପଡିରହିଛି। ୭ଟି ବ୍ଲକରେ ରହିଥିବା ଵେର ହାଉସ ସମେତ ଅନ୍ୟ ଗୋଦାମଗୁଡିକରେ କେନ୍ଦୁପତ୍ର, ମାଣ୍ଡିଆ, ଚାଉଳ ଭର୍ତ୍ତି ହୋଇ ରହିଥିବା ଯୋଗୁଁ ଚିନାବାଦାମ ମଣ୍ଡିରୁ ଉଠିପାରୁନଥିବା ଜଣାପଡିଛି। ତେବେ ଗତ ଦୁଇ ଦିନ ତଳେ ଖାଉଟି ମନ୍ତ୍ରୀ କୃଷ ଚନ୍ଦ୍ର ପାତ୍ର କାଲିମେଳା ମଣ୍ଡିରେ ପହଞ୍ଚି ତୁରନ୍ତ ଗୋଦାମ ଖାଲି କରି ଚିନାବାଦାମ ଭର୍ତ୍ତି କରିବାକୁ ତାଗିଦ କରିଥିଲେ ମଧ୍ୟ ଏବେ ସୁଦ୍ଧା ମଣ୍ଡିରେ ଚିନାବାଦାମ ପଡି ରହିଛି।

ଆଗାମୀ ଦିନରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ମଣ୍ଡିରେ ପଡିଥିବା ଚିନାବାଦାମର ଅବସ୍ଥା କଣ ହେବ ତାହା ସହଜରେ ଅନୁମେୟ। ତେବେ ଗୋଦାମଗୁଡିକରେ ଭର୍ତ୍ତି ହୋଇଥିବା ଜିନିଷଗୁଡିକ କାହାର ନିର୍ଦ୍ଦେଶରେ ଏବଂ କେଉଁ ପରିସ୍ଥିତିରେ ରହିଛି ତାହା ତଦନ୍ତ ସାପେକ୍ଷ। ମଣ୍ଡିରେ ଚିନାବାଦାମ ଦେବା ଦିନ ଠାରୁ ଚାଷୀ ନିଜର ପ୍ରାପ୍ୟ ପାଇପାରି ନାହାନ୍ତି। ଟଙ୍କା ପାଇବାକୁ ପ୍ରାୟ ୨୦ରୁ ୨୫ ଦିନ ସମୟ ଲାଗୁଥିବା ଜଣାପଡିଛି। କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଚାଷୀ ନିଜ ଟଂକା ପାଇନଥିବା ବେଳେ ମଣ୍ଡିରେ ପୁଣି ଗଚ୍ଛିତ ହେଉଥିବା ଚିନାବାଦାମର ଟଂକା ଚାଷୀ କେବେ ପାଇବେ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର