ଫୁଲବାଣୀ: ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଏବଂ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଯୋଗୁଁ ପ୍ରଶାସନିକ ଅଚଳାବସ୍ଥା ଉଗ୍ର ଆକାର ଧାରଣ କରିଛି। ପୌରପାଳିକାର ସମସ୍ତ କାମ ଠପ୍‌। ପୌରାଧ୍ୟକ୍ଷାଙ୍କ ଯେଉଁ କାମ ପାଇଁ ନିର୍ଦ୍ଦେଶ ଦେଉଛନ୍ତି ତାହାକୁ ନିର୍ବାହୀ ଅଧିକାରୀ ଅଟକାଇ ଦେଉଛନ୍ତି। ଏପଟେ ନିର୍ବାହୀ ଅଧିକାରୀଙ୍କ କାମରେ ପୌରାଧ୍ୟକ୍ଷା ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି। ଏହାକୁ ନେଇ ଏବେ ପୌର କର୍ମଚାରୀ, କାଉନସିଲର୍‌ ଓ ଜନତା ବଡ଼ ଅଡୁଆ ପରିସ୍ଥିତିରେ ପଡ଼ି ଯାଇଛନ୍ତି।

Advertisment

ଅନ୍ୟପଟେ, ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କର ବଦଳି ହୋଇଥିଲେ ମଧ୍ୟ ସେ ଏଠାରୁ ଯାଉ ନାହାନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା (ଏଚ୍‌ୟୁଡି-ଏମ୍‌ୟୁଏନ୍‌-ଏଚ୍‌ଆର୍‌-୦୦୫୬-୨୦୨୧/ନଂ ୧୨୨୩୦/୩୧/ତା-୧୬.୦୬.୨୦୨୩) ଅନୁସାରେ, ଫୁଲବାଣୀ ପୌରପାଳିକାରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ବଦଳି ହୋଇଛି। ସେହିଭଳି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କଲେକ୍ଟର ଅଜିତ କୁମାର ପଟ୍ଟନାୟକଙ୍କର ଫୁଲବାଣୀ ପୌରପାଳିକାକୁ ନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି। କିନ୍ତୁ ବଦଳି ଆଦେଶ ଆସିବା ସତ୍ତ୍ବେ ନିର୍ବାହୀ ଅଧିକାରୀ ଏଠାରୁ ଯାଉ ନାହାନ୍ତି କାହିଁକି ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ମହାନ୍ତି ପ୍ରଶ୍ନ କରିଛନ୍ତି। ଅନ୍ୟପଟେ, ଜିଲ୍ଲାପାଳ ତାଙ୍କୁ ରିଲିଭ୍‌ କରିଦେଲେ ସେ ଚାଲିଯିବେ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ବେହେରା କହିଛନ୍ତି। ତେବେ ଏହାକୁ ନେଇ କି ପେଞ୍ଚ ରହିଛି ତାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ତୁରନ୍ତ ଏଥିରେ ଜିଲ୍ଳାପାଳ ହସ୍ତକ୍ଷେପ କରି ଏହି ବିବାଦର ସମାଧାନ କରିବାକୁ ଦାବି ହେଉଛି। ନଚେତ୍‌ ପୌରପାଳିକାରେ ସମସ୍ତ ପ୍ରକାର ଉନ୍ନୟନ କାର୍ଯ୍ୟ ଠପ୍‌ ହୋଇଯାଇଛି ଏବଂ ଏକ ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ‌

ପୌରାଧ୍ୟକ୍ଷା-ନିର୍ବାହୀ ଅଧିକାରୀଙ୍କ ବିବାଦ ଆଜିର ନୂଆ ନୁହେଁ। ଏ ବିବାଦ ବର୍ଷ ବର୍ଷ ଧରି ଲାଗି ରହିଛି। ଗତ ପାଞ୍ଚ ମାସ ତଳେ ଏହି ବିବାଦ ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ, ପୌର ପରିଷଦରେ କାଉନସିଲର ଦୁଇ ଭାଗରେ ବିଭକ୍ତ ହୋଇ ଯାଇଥିଲେ। ଗୋଟିଏ କାଉନସିଲର୍‌ ଗୋଷ୍ଠୀ ପୌରାଧ୍ୟକ୍ଷାଙ୍କୁ ସମର୍ଥନ କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ନିର୍ବାହୀ ଅଧିକାରୀଙ୍କୁ ସମର୍ଥନ କରୁଥିଲେ। ଫଳରେ ପୌର ପରିଷଦରେ ସ୍ଥିତି ଜଟିଳ ହୋଇ ପଡ଼ିଥିଲା। ପୌର ପାଳିକାରେ ଚାଲିଥିବା ଉନ୍ନୟମୂଳକ କାର୍ଯ୍ୟର ଠିକାଦାରି ଏବଂ ପିସିକୁ କେନ୍ଦ୍ର କରି ଉଭୟ ପୌରାଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦର ସୂତ୍ରପାତ ଘଟିଥିଲା। ନିର୍ବାଚନ ପରଠାରୁ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ଫୁଲବାଣୀ ସହରରେ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ସ୍ବାଭାବିକ ଭାବେ ଚାଲିଥିଲା। ରାସ୍ତାଘାଟ, ଡ୍ରେନ୍‌ ନିର୍ମାଣ, ବିଦ୍ୟୁତ୍‌ ଯୋଗାଣ, ସଫେଇ ଆଦିରେ ସବୁକିଛି ଠିକ ଚାଲିଥିଲା। ହେଲେ ଗତ ୬ ମାସ ହେଲା ଏ ବିବାଦ ଉଗ୍ର ରୂପ ଧାରଣ କରିଥିଲା।

ସେବେଠୁ ଆଜି ଯାଏ ପୌରାଧକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। କାର୍ଯ୍ୟାଳୟ ପରିସରରେ ପୌରାଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ହେଉନାହିଁ ବୋଲି କେତେକ କର୍ମଚାରୀଙ୍କଠାରୁ ଜଣାପଡ଼ିଛି। ଫଳରେ କେହି କାହାରି ମୁହଁକୁ ଚାହାଁଚାହିଁ ବି ହେଉନାହାନ୍ତି। ଗତ ୬ ମାସ ତଳେ ପୌରାଧ୍ୟକ୍ଷାଙ୍କ ଗୋଷ୍ଠୀ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କି ଦେଇଥିଲେ। ଏଥିରେ ଜିଲ୍ଲାପାଳ ହସ୍ତ‌କ୍ଷେପ କରିବା ପରେ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରୁ ତାଲା ଫିଟିଥିଲା। ତେବେ କ'ଣ ପାଇଁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ସଠିକ୍‌ ଭାବେ କେହି କହୁ ନଥିବାବେଳେ ଠିକା କାମ ଏବଂ ପିସିକୁ ନେଇ ବିବାଦର ସୂତ୍ରପାତ ହୋଇଛି ବୋଲି କେତେକ କର୍ମଚାରୀ କହିଛନ୍ତି। ଉଭୟଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ପୌର ପରିଷଦର ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍‌ ପୈଠ ନ ହୋଇ ପଡ଼ି ରହିଛି। ଫଳରେ ଠିକାଦାରମାନେ ପ୍ରାପ୍ୟ ନପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ, ପୌରାଧ୍ୟକ୍ଷା-ନିର୍ବାହୀ ଅଧିକାରୀ ବିବାଦ ମାମଲାରେ ଜିଲ୍ଲାପାଳ ହସ୍ତକ୍ଷେପ କରି ବିବାଦର ସମାଧାନ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ସେତେବେଳେ ପୌର ପରିଷଦର କିଛି କାଉନସିଲର ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଦେଇଥିବା ବେଳେ ଆଉ କିଛି କାଉନ୍‌ସିଲର ନିର୍ବାହୀ ଅଧିକାରୀଙ୍କ ସପକ୍ଷରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ। ଫଳରେ ଫୁଲବାଣୀ ପୌର ପରିଷଦର କାଉନ୍‌ସିଲରମାନେ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲେ। ଗୋଟିଏ କାଉନସିଲର ଗୋଷ୍ଠୀ ପୌରାଧ୍ୟକ୍ଷାଙ୍କୁ ସମର୍ଥନ କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ବିରୋଧ କରୁଥିଲେ। ଫୁଲବାଣୀ ସହରରେ ଆଲୋକୀକରଣ ବ୍ୟବସ୍ଥାକୁ ନେଇ ପୌରାଧ୍ୟକ୍ଷା-ନିର୍ବାହୀ ଅଧିକାରୀ ମୁହାଁମୁହିଁ ହୋଇଥିଲେ ବୋଲି କୁହାଯାଉଥିଲା। ତେବେ ପୌରାଧ୍ୟକ୍ଷାଙ୍କ ଚାପ ଫଳରେ ନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଛି ବୋଲି ଶୁଣିବାକୁ ମିଳୁଛି। ମାତ୍ର, ବଦଳି ସତ୍ତ୍ବେ ନିର୍ବାହୀ ଅଧିକାରୀ ଏଠାରୁ ଯାଉ ନଥିବାରୁ ପୌରାଧ୍ୟକ୍ଷା ଗୋଷ୍ଠୀ ଚିନ୍ତାରେ ଅଛନ୍ତି। ଏହାକୁ ନେଇ ଏବେ ଫୁଲବାଣୀ ପୌରପାଳିକାରେ ରୋଚକ ସ୍ଥିତି ଉପୁଜିଛି।