ରାଉରକେଲା: ରାଉରକେଲାକୁ ନିୟମିତ ବିମାନ ବାତିଲ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ରାଉରକେଲା ବିମାନବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଏବେ ଦିବାସ୍ବପ୍ନ ପାଲଟିଛି। କେତେବେଳେ ବିମାନର ଚକ, କବାଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଉଡ଼ିପାରୁନି। ପୁଣି କେତେବେଳେ ଇନ୍ଷ୍ଟ୍ରୁମେଣ୍ଟ୍ ଲ୍ୟାଣ୍ଡିଂ ସିଷ୍ଟମ୍ (ଆଇଏଲ୍ଏସ୍) ନଥିବାରୁ ପାଣିପାଗ ସାମାନ୍ୟ ବିଗିଡ଼ିଲେ ବିମାନ ବାତିଲ ହେଉଛି। ବାସ୍ତବରେ ଏହି ସମସ୍ୟା ପଛରେ ଏକାଧିକ କାରଣ ରହିଛି। ରାଉରକେଲା ବିମାନବନ୍ଦରର ମାଲିକାନା ସେଲ୍ ଅଧୀନସ୍ଥ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ପାଖରେ ରହିଛି। ଏହାକୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)କୁ ହସ୍ତାନ୍ତର କରାଯାଉନି। ଏମିତିକି ଲିଜ୍ ଭିତ୍ତିରେ ଥିବା ବିମାନବନ୍ଦର ଜମିକୁ ରାଜ୍ୟ ସରକାର ଫ୍ରିହୋଲ୍ଡ କରୁନାହାନ୍ତି। ଫଳରେ ଏହା ଏବେ ଅଛିଣ୍ଡା ଗଣିତରେ ପରିଣତ ହୋଇଛି।
ଏଠାରେ ଆଇଏଲ୍ଏସ୍ ବ୍ୟବସ୍ଥା କରି ପୂର୍ଣ୍ଣକାଳୀନ ବିମାନବନ୍ଦରରେ ପରିଣତ କରିବାକୁ ସହରବାସୀ ଦାବି କରି ଆସୁଛନ୍ତି। ଦାବି ନେଇ ଏକାଧିକବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସେଲ୍ ଅଫିସର୍ ସଂଘର ପୂର୍ବତନ ସମ୍ପାଦକ ତଥା ନିଟ୍ରାର ସଭାପତି ବିମଳ ବିଶି ଇ-ମେଲ୍ ମାଧ୍ୟମରେ ଆଇଏଲ୍ଏସ୍ ସ୍ଥାପନ ପାଇଁ ଏଏଆଇ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଉତ୍ତରରେ ଆର୍ଏସ୍ପି ହିଁ ଆଇଏଲ୍ଏସ୍ ସ୍ଥାପନ ବାବଦକୁ ହେବାକୁ ଥିବା ଖର୍ଚ୍ଚ ବହନ କରୁ ବୋଲି ଏଏଆଇ ପକ୍ଷରୁ କହାଯାଇଛି। ଏଏଆଇ ମହାପ୍ରବନ୍ଧକ ଆରକେ ବର୍ମା ଇ-ମେଲ୍ର ଉତ୍ତରରେ କହିଛନ୍ତି, ରାଉରକେଲା ବିମାନ ବନ୍ଦରର ପରିଚାଳନା ଭାର ତଥା ମାଲିକାନା ସ୍ବତ୍ବ ସେଲ୍ ପାଖରେ ରହିଛି। ଆଇଏଲ୍ଏସ୍ ସ୍ଥାପନ ବାବଦକୁ ତଥା କାର୍ଯ୍ୟକ୍ଷମ କରିବା ବାବଦକୁ ହେବାକୁ ଥିବା ସାମଗ୍ରିକ ଖର୍ଚ୍ଚ ବହନ ପାଇଁ ଯଦି ସେଲ୍ ସହମତି ପ୍ରକାଶ କରେ, ତାହେଲେ ଆଇଏଲ୍ଏସ୍ ସ୍ଥାପନ ପ୍ରସ୍ତାବକୁ ବିଚାରକୁ ନିଆ ଯାଇପାରେ ବୋଲି ସେ ଦର୍ଶାଇଛନ୍ତି। ସେଲ୍ ହିଁ ସମସ୍ତ ଅର୍ଥ ବ୍ୟୟ କରୁ ବୋଲି ଏଏଆଇ ପ୍ରକାରାନ୍ତରେ ସ୍ପଷ୍ଟ କରିଛି। ଅପରପକ୍ଷରେ ସେଲ୍ କିନ୍ତୁ ଏନେଇ କୌଣସି ସ୍ପଷ୍ଟତା ଦେଖାଇନି।
ଉଲ୍ଲେଖଯୋଗ୍ୟ, ଆର୍ଏସ୍ପି ପକ୍ଷରୁ ବିମାନବନ୍ଦରକୁ ୨ସି-ଭିଏଫ୍ଆର୍ (ଭିଜୁଆଲ ଫ୍ଲାଇଟ୍ ରୁଲ୍)ରୁ ୨ସି ଆଇଏଫ୍ଆର୍ (ଇନ୍ଷ୍ଟ୍ରୁମେଣ୍ଟ୍ ଫ୍ଲାଇଟ୍ ରୁଲ୍)କୁ ଉନ୍ନୀତ କରିବାକୁ ଦାବି କରାଯାଇଛି। ଗତ ୪ ତାରିଖରେ ଆର୍ଏସ୍ପି ପକ୍ଷରୁ ଦିଆଯାଇଥିବା ପତ୍ରରେ ଉଲ୍ଳେଖ କରାଯାଇଛି, ସଂପ୍ରତି ରାଉରକେଲା ବିମାବନ୍ଦର ୨ସି-ଭିଏଫ୍ଆର୍ ମାନ୍ୟତାପ୍ରାପ୍ତ। ଏଣୁ କେବଳ ଦିନବେଳା ବିମାନ ଉଡ଼ାଣ ହେଉଛି। ଏଠାରେ ରାଉରକେଲା-ଭୁବନେଶ୍ବର ମଧ୍ୟରେ ଏଟିଆର୍-୭୨ ବିମାନ ସେବା ଚାଲୁଛି। ତେବେ ପାଣିପାଗ ବିଗିଡ଼ିଲେ ବିମାନ ବାତିଲ ହୋଇଯାଉଛି। ଏଣୁ ଏହି ବିମାନବନ୍ଦରକୁ ୨ସି-ଆଇଏଫ୍ଆର୍ ଯୁକ୍ତ କରିବା ନିତାନ୍ତ ଆବଶ୍ୟକ। ଏହାଦ୍ବାରା ସମସ୍ତ ପ୍ରକାର ପାଣିପାଗରେ ବିମାନ ଉଡ଼ିପାରିବ ଓ ଯାତ୍ରୀ ଅଯଥା ହଇରାଣ ହରକତରୁ ମୁକ୍ତ ହେବେ। ଏଣୁ ଯଥାଶୀଘ୍ର ଓଏଲ୍ଏସ୍ ସର୍ଭେର ଆବଶ୍ୟକତା ଓ ଦେୟଗୁଡିକର ବିବରଣୀ ପ୍ରଦାନ କରାଯାଉ। ଏତଦ୍ବ୍ୟତୀତ ଓଏଲ୍ଏସ୍ ସର୍ଭେ ଓ ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟ ପାଇଁ ଆବଶ୍ୟକ ଆନୁସଙ୍ଗିକ ଦେୟ ତଥା ଉଡାନ୍ ଯୋଜନାରେ ପାଣ୍ଠି ଆବଣ୍ଟନ ପ୍ରକ୍ରିୟା ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ତେବେ ଏଏଆଇ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ଭାବେ କେବେ ଆସି ବିମାନବନ୍ଦର ଭିତ୍ତିଭୂମି ସମୀକ୍ଷା କରିବେ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି।
ଗୋଟିଏ ପଟେ ଆଇଏଲ୍ଏସ୍ ସ୍ଥାପନ ବାବଦ ସବୁ ଅର୍ଥ ଆର୍ଏସ୍ପି ବହନ କରୁ ବୋଲି ଏଏଆଇ ଯୁକ୍ତି ବାଢ଼ୁଥିବାବେଳେ ଅନ୍ୟପଟେ କିନ୍ତୁ ଆର୍ଏସ୍ପି ମାଲିକାନା ପରିବର୍ତ୍ତନ କିମ୍ବା ଖୋଦ୍ ଖର୍ଚ୍ଚ ବହନ ନେଇ ଏଯାଏଁ ମୁହଁ ଖୋଲିନି। ପତ୍ର ଲେଖି ଆନୁସଙ୍ଗିକ ବ୍ୟୟ ବିଷୟରେ ଅବଗତ ହେବାକୁ ଇଚ୍ଛା ଜାହିର୍ କରିଛି ସତ, କିନ୍ତୁ ସବୁ ଖର୍ଚ୍ଚ ନିଜେ ବହନ କରିବା ପ୍ରତିଶ୍ରୁତି ଦେବା ବଦଳରେ ଭାରତ ସରକାରଙ୍କ ଉଡାନ୍ ଯୋଜନା ଅନ୍ତର୍ଗତ ପାଣ୍ଠି ବ୍ୟବସ୍ଥା ବିଷୟରେ ପ୍ରଶ୍ନ ଉଠାଇଛି। ଅପରପକ୍ଷରେ ଓଡ଼ିଶା ସରକାର କେବଳ ପତ୍ର ମାଧ୍ୟମରେ ଆଇଏଲ୍ଏସ୍ ସଂପର୍କରେ ଦାବି ଜଣାଉଛନ୍ତି। ଗତ ୪ ତାରିଖରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ସମାନ ଦାବି ଉପସ୍ଥାପନ କରିଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଉ ନାହିଁ। ଉଭୟ ସେଲ୍ ଓ ଏଏଆଇ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସଂସ୍ଥା ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଥିବା ଅଛିଣ୍ଡା ଗଣିତର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ରାଜ୍ୟ ସରକାରଙ୍କଠାରୁ ଲିଜ୍ ଭିତ୍ତିରେ ପାଇଥିବା ଜମିରେ ଆର୍ଏସ୍ପି ବିମାନବନ୍ଦର ନିର୍ମାଣ କରିଛି। ଏଣୁ ଉକ୍ତ ଜମିକୁ ଫ୍ରିହୋଲ୍ଡ କରି ଏଯାଏ ଆର୍ଏସ୍ପିକୁ ହସ୍ତାନ୍ତର କରାଯାଇ ନାହିଁ। ଯାହା ଫଳରେ ମାଲିକାନା ସତ୍ତ୍ବ ପରିବର୍ତ୍ତନ ନେଇ ବାଟ ଫିଟି ପାରୁନି।