ଭଞ୍ଜନଗର: ଭଞ୍ଜନଗର ସହରରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ଦୁଇଟି ମହାବିଦ୍ୟାଳୟ ରହିଛି। ବିଶେଷ କରି ନାରୀ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ୧୯୮୧ ମସିହାରେ ସହରର ମଧ୍ୟ ସ୍ଥାନରେ ସାବିତ୍ରୀ ମହିଳା ମହାବିଦ୍ୟାଳୟ ସ୍ଥାପନା କରାଯାଇଥିଲା। ଏଥିରେ ଭଞ୍ଜନଗର ସମେତ ଆଖାପାଖ ଇଲାକାର ହଜାର ହଜାର ଛାତ୍ରୀ ଅଧ୍ୟୟନ କରି ରାଜ୍ୟ ଏବଂ ରାଜ୍ୟ ବାହାରେ ବହୁ ପଦ ପଦବୀରେ ଅବସ୍ଥାପିତ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କିନ୍ତୁ ପରିତାପର ବିଷୟ ଦୀର୍ଘ ୪୧ ବର୍ଷ ପରେ ମଧ୍ୟ ଏହି ମହାବିଦ୍ୟାଳୟର ଉନ୍ନତି ହୋଇପାରିନାହିଁ। ଏଠାରେ ଉଭୟ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ପାଇଁ ଶିକ୍ଷାଦାନ ପ୍ରଦାନ କରାଯାଉଛି। ଉଭୟ ଶ୍ରେଣୀରେ ପ୍ରାୟ ୨ ହଜାରରୁ ଅଧିକ ଛାତ୍ରୀ ଅଧ୍ୟୟନ କରୁଥିବାବେଳେ ସେମାନଙ୍କ ପାଇଁ ଅଧ୍ୟାପକ ଅଧ୍ୟାପିକା ଓ ଶିକ୍ଷା କର୍ମଚାରୀଙ୍କୁ ମିଶାଇ ମୋଟ ୨୪ ଜଣ ରହିଛନ୍ତି। ପ୍ରାୟ ୧.୮୬ ଏକର ସ୍ଥାନରେ କଲେଜ ଠିଆ ହୋଇଛି। ଏଠାରେ କଲେଜର ନିଜସ୍ବ ଖେଳ ପଡିଆ ନଥିବା ବେଳେ ସାଇକଲ ଷ୍ଟାଣ୍ଡ ନିଅଣ୍ଟ ପଡୁଛି। ଶିକ୍ଷାଦାନ ପାଇଁ ସ୍ଥାନ ଅଭାବରୁ ପାଠ ପଢାଇବାରେ ମଧ୍ୟ ଘୋର ସମସ୍ୟା ସୃଷ୍ଟି ହେଉଥିବା କଲେଜ କର୍ତ୍ତୁପକ୍ଷ ପ୍ରକାଶ କରିଛନ୍ତି।
କେବଳ ଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦିଆଯାଉଥିବାରୁ ସେମାନଙ୍କ ସୁରକ୍ଷା ସହ ଉତ୍ତମ ଉଚ୍ଚ ଶିକ୍ଷା ଦୃଷ୍ଟିରୁ ଏହି ମହାବିଦ୍ୟାଳୟ ଅଭିଭାବକଙ୍କ ସ୍ବତନ୍ତ୍ର ଆର୍କଷଣ ରହିଛି।

Advertisment

ପ୍ରତିବର୍ଷ କଲେଜରେ ଛାତ୍ରୀଙ୍କ ସଂଖ୍ୟ କ୍ରମଶ ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ସେହି ପରିମାଣରେ ଅଧ୍ୟାପକ ପଦବୀ ଓ ଶ୍ରେଣୀକକ୍ଷ ବୃଦ୍ଧି ହେଉନଥିବା ଅତ୍ୟନ୍ତ ଉଦ୍ବେଗର ବିଷୟ ପାଲଟିଛି। ବର୍ତ୍ତମାନ କଲେଜରେ ୨୧୨୦ ଜଣ ଛାତ୍ରୀ ଅଧ୍ୟୟନରତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଯୁକ୍ତଦୁଇରେ ୬୪୦ ଜଣ ରହିଛନ୍ତି। ପ୍ରଥମ ବର୍ଷ କଳାରେ ୩୨୦ ଜଣ ଏବଂ ବିଜ୍ଞାନରେ ୧୬୪ ନାମ ଲେଖାଇ ଥିବା ବେଳେ ଦ୍ବିତୀୟ ବର୍ଷ କଳାରେ ୩୨୦ ଏବଂ ବିଜ୍ଞାନରେ ୧୩୩ ଜଣ ଛାତ୍ରୀ ପାଠ ପଢୁଛନ୍ତି। ସେହିପରି ଯୁକ୍ତତିନିରେ ୧୧୮୩ ଜଣ ଛାତ୍ରୀ ରହିଛନ୍ତି । ଯୁକ୍ତତିନି ପ୍ରଥମ ବର୍ଷ କଳାରେ ୨୦୦ ଜଣ,ବିଜ୍ଞାନରେ ୧୭୫ ଜଣ ନାମ ଲେଖାଇ ଥିବା ବେଳେ ଦ୍ବିତୀୟ ବର୍ଷ କଳାରେ ୨୫୧ ଜଣ,ବିଜ୍ଞାନରେ ୧୭୯ ଜଣ ଏବଂ ତୃତୀୟ ବର୍ଷ କଳାରେ ୨୧୭ ଜଣ,ବିଜ୍ଞାନରେ ୧୬୧ ଜଣ ଛାତ୍ରୀ ଅଧ୍ୟୟନରତ ରହିଛନ୍ତି।

publive-image

ଉଭୟ ଯୁକ୍ତଦୁଇ ଏବଂ ଯୁକ୍ତତିନିର ଏତେ ସଂଖ୍ୟକ ଛାତ୍ରୀଙ୍କୁ ଶିକ୍ଷାଦାନ କରିବାକୁ କଲେଜରେ ମାତ୍ର ୨୪ ଜଣ ଶିକ୍ଷାକର୍ମୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣ ଅଧ୍ୟାପକ ଅଧ୍ୟାପିକା ରହିଥିବାବେଳେ ପରିଚାଳନା କମିଟି ପକ୍ଷରୁ ତିନି ଜଣ ନିଯୁକ୍ତ ପାଇଛନ୍ତି ଏବଂ ୪ ଜଣ ଡେମୋନ୍ଷ୍ଟେଟର ରହିଛନ୍ତି। ରାଜନୀତି ବିଜ୍ଞାନ ୩ ଜଣ ଏବଂ ଗୃହ ବିଜ୍ଞାନ ବିଭାଗରେ ୨ ଜଣ ଅଧ୍ୟାପକ ରହିଥିବା ବେଳେ ଇତିହାସ, ଓଡ଼ିଆ, ଅର୍ଥଶାସ୍ତ୍ର, ଶିକ୍ଷା ସହ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ତର୍କଶାସ୍ତ୍ର,ଇଂରାଜୀ ଓ ସାଇକୋଲୋଜି ବିଭାଗରେ ଜଣେ ଲେଖାଏଁ ମାତ୍ର ଅଧ୍ୟାପକ ଅଧ୍ୟାପିକା ପାଠ ପଢାଉଛନ୍ତି। ତେବେ ପ୍ରତି ବିଭାଗରେ ଏତେ ସଂଖ୍ୟକ ପିଲାଙ୍କୁ ଜଣେ ଲେଖାଏଁ ଅଧ୍ୟାପକ କିଭଳି ଶିକ୍ଷାଦାନ କରୁଥିବେ ଏବଂ କିଭଳି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। କଲେଜରେ ଅଣ ଶିକ୍ଷା କର୍ମଚାରୀଙ୍କ ମଧ୍ୟ ଅଭାବ ପରିଲକ୍ଷିତ ହୋଇଛି। ଏଠାରେ ୧୨ ଜଣ ଅଣ ଶିକ୍ଷା କର୍ମଚାରୀ ରହିଥିବାବେଳେ କନିଷ୍ଠ କିରାଣୀ ଏବଂ ହିସାବ ରକ୍ଷକ ପଦବୀ ଖାଲି ରହିଛି। କଲେଜରେ ଗ୍ରନ୍ଥାଗାର ପଦରେ କେହି ନଥିବା ବେଳେ ଜଣେ ଆଣ୍ଟେଣ୍ଡାଣ୍ଟ୍ ଲାଇବ୍ରେରୀ ଦାୟିତ୍ବରେ ରହିଛନ୍ତି। ସେହିପରି ପିଅନ ଏବଂ ଲ୍ୟାବ୍ ଆଣ୍ଟେଣ୍ଡାଣ୍ଟ୍ ୫ଟି ପଦବୀ ଖାଲି ରହିଥିବା ବେଳେ ୪ ଜଣ ଅଛନ୍ତି। ରାତ୍ର ଜଗୁଆଳ ପଦବୀ ମଧ୍ୟ ଖାଲି ପଡିଥିବା ଜଣାପଡିଛି। ଏନେଇ କଲେଜ ଅଧ୍ୟକ୍ଷ ଡ.ଜୟରାମ ସେନାପତି କହିଛନ୍ତି ଯେ, ଅଭାବ ସତ୍ତ୍ବେ ଶିକ୍ଷାଦାନ ବ୍ୟାହାତ ହେଉନାହିଁ। ନିୟମିତ କ୍ଳାସ୍ ହେଉଥିବା ବେଳେ ଶ୍ରେଣୀ କକ୍ଷ ଅଭାବ ଓ ଅଧ୍ୟାପକଙ୍କୁ ଦୃଷ୍ଟିରେ ରଖି ଯୁକ୍ତଦୁଇ କ୍ଳାସ୍ ଗୁଡିକୁ ସକାଳ ୯.୧୫ରୁ ଆରମ୍ଭ କରାଯଉଥିବା ବେଳେ ଯୁକ୍ତତିନି କ୍ଳାସ୍ ୧୧ଟାରୁ ଆରମ୍ଭ ହେଉଛି। ଆଉ ଅତିରିକ୍ତ ୪ ଟି କ୍ଳାସରୁମ ନିର୍ମାଣ ଶେଷ ପର୍ଯ୍ୟୟରେ ପହଞ୍ଚିଥିବା ବେଳେ ସେଠାରେ ଆଉ ଅଳ୍ପଦିନରେ ଶିକ୍ଷାଦାନ ଆରମ୍ଭ ହେବ। କଲେଜ ଜାଗା ଅଭାବକୁ ନେଇ ଅତିରିକ୍ତ ସ୍ଥାନ ଯୋଗାଇଦେବାକୁ ତହସିଲଦାରଙ୍କୁ ଚିଠି କରାଯାଇଛି।