ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଧାନ ଚାଷ ଚାଷୀର ମୁଖ୍ୟ ପେଟପାଟଣା। ହେଲେ ଏଠାରେ ଜଳସେଚନର ସୁବିଧା ନାହିଁ। ବର୍ଷା ଉପରେ ନିର୍ଭର କରି ଏଠାରେ ଚାଷ କରିଥାଏ ଚାଷୀ। କିନ୍ତୁ ଗତକିଛି ବର୍ଷ ହେବ ବ୍ଲକରେ ବର୍ଷାର ଅଭାବ ଚାଷୀଙ୍କୁ ତଳିତଳାନ୍ତ କରିଦେଲାଣି। ଚାଷୀ ଚାଷ କାର୍ଯ୍ୟ ଛାଡି ବାହାର ରାଜ୍ୟକୁ ଦାଦନ ଯିବାକୁ ଗୋଡ କାଢିଲାଣି। ସବୁ ବର୍ଷ ଭଳି ଏଥରବି ଶ୍ରାବଣ ମାସ ଅଧା ଯାଇଥିଲେ ହେ ଆବଶ୍ୟକ ଠାରୁ କମ ବର୍ଷା ହୋଇଛି। ବର୍ଷାର ଅଭାବ ଯୋଗୁଁ ବ୍ଲକରେ ମରୁଡି ଆଶଙ୍କା ଦେଖା ଦେଲାଣି।
ସୂଚନା ଅନୁସାରେ ଚଳିତବର୍ଷ ଜୁଲାଇରେ ନବରଙ୍ଗପୁର ଜିଲ୍ଲାରେ ହାରାହାରି ୪୫୯୦ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଚନ୍ଦାହାଣ୍ଡି ବ୍ଲକରେ ସର୍ବନିମ୍ନ ୨୨୪ ମିମି ବର୍ଷା ହୋଇଛି। ଯାହା ଅନ୍ୟ ବ୍ଲକ ଅପେକ୍ଷା ୫୦ ପ୍ରତିଶତ କମ ବର୍ଷା ହୋଇଛି। ଗତ କିଛିବର୍ଷ ହେବ ମୌସୁମୀରେ ସାରା ଜିଲ୍ଲାର ବର୍ଷା ରେକର୍ଡକୁ ତୁଳନା କଲେ ଚନ୍ଦାହାଣ୍ଡିରେ ଅପେକ୍ଷାକୃତ କମ ବର୍ଷା ହୋଇଛି।ଚଳିତବର୍ଷ ଜୁଲାଇରେ ହାରାହାରି ୫୦ ପ୍ରତିଶତ କମ ବର୍ଷା ହୋଇଛି। ଯାହାର ସିଧାସଳଖ ପ୍ରଭାବ ଚାଷ କାର୍ଯ୍ୟରେ ପଡିଛି। ଚନ୍ଦାହାଣ୍ଡି ବ୍ଲକରେ ମୋଟ ଚାଷ ଜମି ମଧ୍ୟରୁ ସର୍ବାଧିକ ୧୧୭୭୫ ହେକ୍ଟର ଢେପ ଜମି ରହିଛି। ମଧ୍ୟମ ଅଞ୍ଚଳରେ ୨୨୬୧ ହେକ୍ଟର ଓ ସମତଳ ଅଞ୍ଚଳରେ ୧୮୭୪ ହେକ୍ଟର ଜମି ରହିଛି। ବ୍ଲକ ୫୯୨୦ ହେକ୍ଟର ଜମିରେ ଧାନ ଚାଷ ହେଉଥିବା ବେଳେ ମକା ୨୫୫୫ ହେକ୍ଟର, ମାଣ୍ଡିଆ୧୦୦ ହେକ୍ଟର, ପନିପରିବା ୨୫୦୦ ହେକ୍ଟର ଓ ଡାଲି ଜାତୀୟ ଫସଲ ୨୫୬୦ ହେକ୍ଟର ଏହି ପରି ଖରିଫ ରେ ୧୪ ହଜାର ୩ ଶହ ହେକ୍ଟର ଜମିରେ ଚାଷ ହେଉଛି।
ସରକାରୀ ରେକର୍ଡ ଅନୁଯାୟୀ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ମାଧ୍ୟମ ରେ ୨୧୬୦ ହେକ୍ଟର ସମେତ ଅନ୍ୟାନ୍ୟ ଉତ୍ସରୁ ୪୩୦୦ ହେକ୍ଟର ଜମିରେ ଜଳ ସେଚନ ସୁବିଧାଥିବା ଦର୍ଶା ଯାଇଛି। ତେବେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଚନ୍ଦାହାଣ୍ଡି ବ୍ଲକର ୧୪ ଗୋଟି ପଞ୍ଚାୟତ ମଧ୍ୟରୁ କେବଳ ଶରଧାପୁର, ଚନ୍ଦାହାଣ୍ଡି, ପାଟଖଲିଆ ଓ ମୋହରା ପଞ୍ଚାୟତର କିଛି ଜମିକୁ ଫୁଲଝରୀ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ପାଣି ମାଡିଥାଏ।

ବାକି ସବୁ ଚାଷ ଜମି ଇନ୍ଦ୍ର ଦେବତାଙ୍କ ଉପରେ ନିର୍ଭର। ଯେଉଁ ବର୍ଷ ଇନ୍ଦ୍ର ଦେବତା ରୋଷ କରନ୍ତି ସେହି ବର୍ଷ ଚନ୍ଦାହାଣ୍ଡି ବ୍ଲକରେ ମରୁଡି ପରିସ୍ଥିତି ଦେଖା ଦେଇଥାଏ। ଆଜକୁ ପ୍ରାୟ ଏକ ସପ୍ତାହରୁ ଉର୍ଦ୍ଧ୍ବ ହେବ ଚନ୍ଦାହାଣ୍ଡିରେ ବର୍ଷା ହେଉନାହିଁ। ଚାଷୀ ମୋଟରରେ ପାଣି ସିଞ୍ଚନ କରି ତଳିକୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ଯେଉଁ ଜମିରେ ରୁଆ ସରିଛି ସେହି ଜମି ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଫାଟି ଆଁ କଲାଣି।
ଅନ୍ୟପକ୍ଷରେ ଚନ୍ଦାହାଣ୍ଡି ବ୍ଲକର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତେଲ ବହୁମୁଖୀ ପ୍ରକଳ୍ପର ପରିକଳ୍ପନା କରିଥିଲେ। ହେଲେ ରାଜନୀତିର ଚକ୍ରବ୍ୟୁହରେ ଫସି ରହିଛି ଏହି ପ୍ରକଳ୍ପ। ତେଲନଦୀର ଫଟିକି ଠାରେ ବହୁମୁଖୀ ପ୍ରକଳ୍ପ ନିର୍ମାଣ ପାଇଁ ଓଡଶା ସରକାର ନିଷ୍ପତ୍ତି ନେଇଥିଲେ। ଏହି ପ୍ରକଳ୍ପ ନିର୍ମାଣ ହେଲେ ବ୍ଲକର ୧୩ ଟି ପଞ୍ଚାୟତର ୯ ହଜାର ରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ ବର୍ଷ ସାରା ଜଳ ଯୋଗାଣ ହେବାସହ ୨୦ ମେଗା ଓ୍ବାଟ ବିଦ୍ୟୁତ ଉତ୍ପାଦନ ହୋଇ ପାରିବ ବୋଲି ପରିକଳ୍ପନା କରାଯାଇଥିଲା। ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗ ତରଫରୁ କେନ୍ଦ୍ରୀୟ ଜଳସେଚନ ଆୟୋଗକୁ ଡିପିଆର ଦାଖଲ କରିଥିଲେ ମଧ୍ୟ ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳି ପାରିନାହିଁ। ଯାହା ଫଳରେ ଏହି ପ୍ରକଳ୍ପ ନିର୍ମାଣ ଅନିଶ୍ଚିତତା ମଧ୍ୟରେ ରହିଛି। ଚଳିତ ବିଧାନସଭାରେ ସ୍ଥାନୀୟ ବିଧାୟକ ପ୍ରକାଶ ମାଝୀ ରାଜ୍ୟ ସରକାରଙ୍କୁ ବ୍ଲକର ମାଲଗାଁ, କୁହୁଡି, ରାଜକୋଟ ଏବଂ ବଞ୍ଜାରୀ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଏହି ଦାବି କେବେ ପୂରଣ ହେବ ଓ ଚାଷୀ ଏହି ପ୍ରକଳ୍ପ ମାଧ୍ୟମରେ କେବେ ଜଳସେଚନର ସୁବିଧା ପାଇ ପାରିବେ ତାହା ଦେଖିବା ବାକି ରହିଲା।