ରାଜଗାଙ୍ଗପୁର: ରାଜଗାଙ୍ଗପୁର ସହରରେ ହେବାକୁ ଥିବା ରେଳ ଓଭରବ୍ରିଜ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଜମି ଅଧିଗ୍ରହଣରେ ବହୁ ବ୍ୟବସାୟୀଙ୍କୁ ଜମି ସହ ଦୋକାନ ହରାଇବାକୁ ପଡ଼ିଛି। ଯାହାକୁ ନେଇ ୧୦ରୁ ଅଧିକ ପରିବାର ଚିନ୍ତାରେ ପଡ଼ିଛନ୍ତି। ସେଥିମଧ୍ୟରୁ ରଜନୀଙ୍କର ପରିବାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସ୍ବାମୀଙ୍କ ମୃତ୍ୟୁ ପରେ ରଜନୀ ଗଣ୍ଡ(୫୦) ତାଲିକିପଡ଼ାର ମୁଖ୍ୟ ରାସ୍ତାରେ ଏକ ଝାଟିମାଟିର ହୋଟେଲ କରି ୨ ଝିଅଙ୍କ ସହ ପରିବାର ଚଳାଇ ଆସୁଥିଲେ। ଆର୍ଥିକ ଅବସ୍ଥା ଭଲ ନଥିବାରୁ ୨ ଝିଅଙ୍କୁ ଅଧିକ ପାଠପଢ଼ାଇ ପାରିନଥିଲେ। ବଡ଼ଝିଅ ସୁନେନା ଆର୍ଥିକ ଅବସ୍ଥା ଭଲ ନଥିବାରୁ ଅଧାରୁ ପାଠପଢ଼ା ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ପରେ ମା’ ତାଙ୍କର ବିବାହ କରାଇ ଦେଇଥିଲେ। ବିବାହର ମାତ୍ର ୬ବର୍ଷ ପରେ ତାଙ୍କ ସ୍ବାମୀଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ଯାହା ଫଳରେ ବଡ଼ଝିଅ ସୁନେନା ମା’ଙ୍କ ନିକଟକୁ ଚାଲି ଆସିଥିଲେ।
ସେହି ହୋଟେଲ ଭିତରେ ୨ ଝିଅଙ୍କୁ ଧରି ନିଜର ପରିବାର ଚଳାଉଥିବା ରଜନୀଙ୍କୁ ହଠାତ ତାଙ୍କ ଦୋକାନ ଖାଲି କରିବାକୁ ଗତ ଡିସେମ୍ବର ମାସରେ ନୋଟିସ ଆସିଥିଲା। ଫଳରେ ରଜନୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ତାଙ୍କର ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନଥିବାବେଳେ ବ୍ୟବସାୟ ଚାଲିଯିବା ପରେ ସେ ଅସହାୟ ହୋଇ ପଡ଼ିଛନ୍ତି। ପ୍ରତିଦିନ ହୋଟେଲରୁ ୨୦୦/୩୦୦ ଟଙ୍କା ଆୟକରି ପରିବାର ପୋଷୁଥିବା ରଜନୀ ବର୍ତ୍ତମାନ କଣ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ଗୋଟିଏପଟେ ଜଣେ ଅବିବାହିତ ଝିଅ (୨୪) ଏବଂ ଅନ୍ୟପଟେ ବିଧବା ଝିଅଙ୍କ ଭବିଷ୍ୟତ ଚିନ୍ତାରେ ରଜନୀ ଭାଙ୍ଗି ପଡ଼ିଛନ୍ତି। ରଜନୀ ବିଧବା ଭତ୍ତା ବାବଦରେ ୫୦୦ ଟଙ୍କା ଓ ମାସକୁ ୩୫ କେଜି ଚାଉଳ ପାଉଛନ୍ତି। ମାତ୍ର ତାଙ୍କର ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ। ଦୋକାନ ଭାଙ୍ଗିଯିବା ପରେ ରଜନୀ ତାଙ୍କର ବଡ଼ ଭଉଣୀଙ୍କର ଘରେ ଆଶ୍ରୟ ନେଇଛନ୍ତି। ରଜନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମାଧ୍ୟମରେ ଘର ମିଳିଥିବାବେଳେ ଆର୍ଥିକ ଅବସ୍ଥା ଠିକ ନଥିବାରୁ ଘର ଅର୍ଧନିର୍ମିତ ହୋଇ ପଡ଼ିରହିଛି। ଜିଲ୍ଲା ପ୍ରଶାସନ ଏହି ପରିବାର ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।