ଜଗତସିଂହପୁର: ପ୍ରସିଦ୍ଧ ଝଙ୍କଡ଼ବାସିନୀ ମା’ଶାରଳା ଶକ୍ତିପୀଠର ରୂପାନ୍ତରଣ ପାଇଁ ଏପର୍ଯ୍ୟନ୍ତ ସର୍ଭେ ଶେଷ ହେଉ ନାହିଁ କି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇ ପାରୁନାହିଁ। ତୁହାକୁ ତୁହା ଇଂଜିନିୟରମାନେ ଗସ୍ତ କରି ଫେରୁଛନ୍ତି। ଜମି ଅଧିଗ୍ରହଣ, ଉଚ୍ଛେଦ, ସ୍ଥାନାନ୍ତର ପ୍ରକ୍ରିୟା ନେଇ କୌଣସି ଖାସ୍ ପଦକ୍ଷେପ ନିଆଯାଇ ପାରୁନାହିଁ। ସ୍ଥାନୀୟ ଲୋକଙ୍କୁ ନେଇ ଏତେ ବଡ଼ କାମ ତୁଲାଇବାକୁ ପଡ଼ୁଥିଲେ ହେଁ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ନୀତିନିୟମକୁ ପାଳନ କରାଯାଇ ନାହିଁ। ପ୍ରଶାସନକୁ ସହଯୋଗ କରିବା ପାଇଁ କୌଣସି ଆଞ୍ଚଳିକ କମିଟି ଗଠନ କରାଯାଇ ନାହିଁ। ୫-ଟି ସଚିବ ଭି.କେ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ପୁନର୍ବିନ୍ୟାସ କାମ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ। ୧୫ ଦିନ ଭିତରେ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ ଯାଇଥିଲେ। କିନ୍ତୁ ଏହି କାମରେ ସମନ୍ବୟର ଅଭାବ ଥିବା ବାରି ହୋଇ ପଡ଼ୁଛି। ଜିଲ୍ଲାପାଳ କେବଳ ୪ ଜଣ ପଣ୍ଡାସେବକ, କିଛି ଯନ୍ତ୍ରୀଙ୍କୁ ନେଇ ବୈଠକ କରିଥିଲେ। କିନ୍ତୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ। ଏଥିପାଇଁ କେତେ ଜମି ଆବଶ୍ୟକ, କେଉଁ ବାଟେ ପ୍ରଶସ୍ତ ରାସ୍ତା ହେବ ତାହା ସ୍ପଷ୍ଟ ହେଉ ନାହିଁ। ଏବେ ମନ୍ଦିର ବାହାର ଅପେକ୍ଷା ବେଢ଼ା ସଂପ୍ରସାରଣ ଉପରେ ଶ୍ରଦ୍ଧାଳୁଙ୍କ ଆଡ଼ୁ ଦାବି ଆସିଲାଣି। ମା’ଙ୍କ ମନ୍ଦିର ବେଢ଼ା ଏତେ ସଂକୁଚିତ ଯେ ଭକ୍ତଙ୍କ କଥା ଛାଡ଼ ରୀତିନୀତି ପାଳନ ପାଇଁ ମା’ଙ୍କ ବିଜେ ପ୍ରତିମା ସହ ପଟୁଆର ଶୋଭାଯାତ୍ରା ପରିକ୍ରମା ମଧ୍ୟ କଷ୍ଟକର ହେଉଛି।
ଚନ୍ଦନଯାତ୍ରାରେ ଭକ୍ତମାନେ ଏହି ସମସ୍ୟାକୁ ଅଙ୍ଗେ ନିଭାଇଛନ୍ତି। ବର୍ତମାନ ମନ୍ଦିର ସଂଲଗ୍ନ ମାତ୍ର ୨୦ ମିଟରରୁ କମ୍ ସ୍ଥାନରେ ବେଢ଼ା ରହିଛି। ଏହି ବେଢା ପାଇଁ ଦଖଲରେ ଥିବା ଭୋଗଦୀପ ଦୋକାନ, ରୋଷଘର ସ୍ଥାନାନ୍ତର ପ୍ରସ୍ତାବ ରହିଛି। କିନ୍ତୁ ଏହା ଯଥେଷ୍ଟ ହେବ ନାହିଁ। ମନ୍ଦିରର ପୂର୍ବପାର୍ଶ୍ବରୁ ସିଂହଦ୍ବାର ଓ ଅନ୍ୟ ନିର୍ମାଣକୁ ହଟାଯିବ ବୋଲି କୁହାଯାଉଛି। କିନ୍ତୁ ପଶ୍ଚିମ ଦ୍ବାର ବେଢ଼ା ପାଇଁ ସେପରି ପ୍ରଶସ୍ତ ସ୍ଥାନ ନାହିଁ। ବେଢ଼ାକୁ ଲାଗିଥିବା ଘରୋଇ ଅବା ମା’ଙ୍କ ଜମିକୁ ଅଧିଗ୍ରହଣ କରାଗଲେ ଅନ୍ତତଃ ୫୦ରୁ ୧୦୦ ମିଟର ସ୍ଥାନ ମିଳିପାରନ୍ତା। ମନ୍ଦିର ଚାରି ପାଖକୁ ଅତିକମ୍ରେ ୧୫୦ରୁ ୨ଶହ ମିଟର ପର୍ଯ୍ୟନ୍ତ ଉନ୍ମୁକ୍ତ ରଖାଗଲେ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ସମ୍ଭବ ହୁଅନ୍ତା। ଦକ୍ଷିଣ ଦ୍ବାରକୁ ଚନ୍ଦନପୋଖରୀ ପର୍ଯ୍ୟନ୍ତ ବିସ୍ତାର କରାଗଲେ କିଛି ସ୍ଥାନ ମିଳି ପାରନ୍ତା। କିନ୍ତୁ ସେଦିଗରେ ଅଦ୍ୟାବଧି କିଛି କାମ ଆଗେଇ ନାହିଁ। ଘଟଗାଁ ତାରିଣୀ ପୀଠ, ବିରଜା, ମା’ ତାରାତାରେଣୀ ପୀଠ ଏବଂ ଏକାମ୍ର କ୍ଷେତ୍ର ପରିସର ଯେପରି ପ୍ରଶସ୍ତ କରାଯାଇଛି ଶାରଳା ମନ୍ଦିର ବେଢାକୁ ଅନୁରୂପ ଭାବେ ସଜାଇବାର ସମୟ ଆସିଛି। ଏଦିଗରେ ଜିଲ୍ଲାପାଳ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବା ସହ ସ୍ଥାନୀୟ ଜନସାଧାରଣ ଓ ଶ୍ରଦ୍ଧାଳୁଙ୍କ ମତାମତକୁ କାର୍ଯ୍ୟରେ ଲଗାଇବା ଆବଶ୍ୟକ।
ମନ୍ଦିର ପରିସରରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ। ମନ୍ଦିର କାର୍ଯ୍ୟ ନିର୍ବାହୀ ସମସ୍ତ ନୀତିନିୟମକୁ କଡ଼ାକଡ଼ି କରନ୍ତୁ। ବାହାରୁ ଆସୁଥିବା ପର୍ଯ୍ୟଟକ, ଶ୍ରଦ୍ଧାଳୁଙ୍କ ପ୍ରତି ଆଚରଣ ଓ ଉଚ୍ଚାରଣରେ ପରିବର୍ତନ ଅଣାଗଲେ ତାହା ରାଜ୍ୟ ତଥା ଦେଶବିଦେଶର ଶ୍ରଦ୍ଧାଳୁଙ୍କ ଭ୍ରାନ୍ତ ଭାବନା ଦୂର ହେବ। ଏହି ପୀଠ ପ୍ରତି ଶ୍ରଦ୍ଧା ଓ ସମ୍ମାନ ବଢ଼ିବ।
ଅରୁଣ କୁମାର ଜେନା, କନକପୁର
ଶାରଳା ମନ୍ଦିର ଚାରିପାଖ ଜବରଦଖଲରେ ରହିଛି। ମାପଚୁପ କରାଯାଇ ମନ୍ଦିର ଜମିରେ ଥିବା ଘର,ପାଚେରି ଆଦିକୁ ମନ୍ଦିରକୁ ହସ୍ତାନ୍ତର କରାଯାଉ। ଶାରଳା ହାଟର ପୁନରୁଦ୍ଧାର କରି ଏକ ଆଦର୍ଶ ହାଟରେ ପରିଣତ କରାଯିବା ସମୟ ଆସିଛି। ମନ୍ଦିରକୁ ଆସୁଥିବା ଯାତ୍ରୀଙ୍କ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ। ଦାରୁ ନିଆଯିବା ସମୟରେ ଉଚ୍ଛେଦ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଉପଯୁକ୍ତ ଭାବେ ଥଇଥାନ କରାଯାଉ। ବର୍ତମାନ ଆବଣ୍ଟନ ନହୋଇ ପଡ଼ି ରହିଥିବା ଦୋକାନ ଘର ଗୁଡ଼ିକ ଅପେକ୍ଷାକୃତ ଛୋଟ ହୋଇଥିବାରୁ ତାହା ବ୍ୟବହାର ଉପଯୋଗୀ ହେବ ନାହିଁ ବୋଲି ଜାଣି ବ୍ୟବସାୟୀମାନେ ତାହା ବ୍ୟବହାର କରୁନାହାନ୍ତି। ତେଣୁ ଦୋକାନ ସାମ୍ନାରେ ଆଉ କିଛି ସ୍ଥାନକୁ ବଢ଼ାଇ ଦୋକାନ କରିବାକୁ ଅନୁମତି ଦିଆଗଲେ ସେସବୁ ଗୃହ ବ୍ୟବହାର ଉପଯୋଗୀ ହୋଇ ପାରିବ।
ସିଦ୍ଧାର୍ଥ ଶଂକର ରାଉଳ, ଯୁବ ସେବାୟତ, କନକପୁର
ଶାରଳା ମନ୍ଦିରର ରୂପାନ୍ତରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିବା ସ୍ବାଗତଯୋଗ୍ୟ। ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା ପ୍ରସିଦ୍ଧ ଶକ୍ତିପୀଠର ପୁର୍ନବିନ୍ୟାସ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ମା’ଙ୍କ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଶୁଭ ଖବର। ଶ୍ରୀମନ୍ଦିର, ଏକାମ୍ରକ୍ଷେତ୍ର ଲିଙ୍ଗରାଜ ପୀଠ, ବିରଜା କ୍ଷେତ୍ର, ମା’ ତାରାତାରିଣୀ ପୀଠ ପରେ ଏହି ପୀଠର ଉନ୍ନତୀକରଣ ଏକ ବଳିଷ୍ଠ ପଦକ୍ଷେପ। ଏହି ସଂପ୍ରସାରଣ ତଥା ମା’ଙ୍କ କାମ ପାଇଁ ଆବଶ୍ୟକ ପଡ଼ିଲେ ଆମେ ଜମି ଦେଦାକୁ ପ୍ରସ୍ତୁତ। ଅନ୍ୟମାନେ ମଧ୍ୟ ଜମି ଦେଇ ଏଥିରେ ସହଯୋଗ କରିବେ। କିନ୍ତୁ କ୍ଷତିଗ୍ରସ୍ତଙ୍କୁ ସରକାର ମଧ୍ୟ ଉପଯୁକ୍ତ କ୍ଷତିପୂରଣ ଦେବାକୁ ପଦକ୍ଷେପ ନିଅନ୍ତୁ। ଏହାଦ୍ବାରା ଜମି ଅଧିଗ୍ରହଣ କାମ ସୁଗମ ହେବ।
ଜ୍ୟୋତିରଂଜନ ମହାନ୍ତି, ଶିକ୍ଷାବିତ୍
ସଂକୀର୍ଣ୍ଣ ସ୍ଥାନରେ ଥିବା ଏହି ପ୍ରସିଦ୍ଧ ପୀଠର ସଂପ୍ରସାରଣ ଆବଶ୍ୟକତା ଥିବା ବେଳେ ଏହାକୁ ଆନ୍ତରିକତାର ସହ ଯୁଦ୍ଧକାଳୀନ ଭିତ୍ତିରେ କରାଯିବା ଆବଶ୍ୟକ। ପ୍ରଭୁ ଲିଙ୍ଗରାଜ ମନ୍ଦିର ହେଉ କି ମା’ ତାରାତାରିଣୀ ମନ୍ଦିର ସବୁଠି ଭକ୍ତ, ଶ୍ରଦ୍ଧାଳୁଙ୍କ ସ୍ବାର୍ଥ ରକ୍ଷା ତଥା ବେଢ଼ା ସୌର୍ନ୍ଦ୍ୟକରଣ ପାଇଁ ପ୍ରଶାସନ ୨ଶହରୁ ୩ ଶହ ବର୍ଗ ଫୁଟ ସ୍ଥାନ ବାହାର କରିଛନ୍ତି। ଏହା ଦ୍ବାରା ଭକ୍ତମାନେ ସ୍ବଚ୍ଛନ୍ଦରେ ଦିଅଁ ଦର୍ଶନ କରିପାରିବେ। ଶାରଳା ମନ୍ଦିରରରେ ମଧ୍ୟ ଅନୁରୂପ ବ୍ୟବସ୍ଥା ହେଉ। ସାମାନ୍ୟ ପର୍ବପର୍ବାଣିରେ ବେଢ଼ା ଲୋକାରଣ୍ୟ ହେଉଛି ଓ ଦର୍ଶନରେ ସମସ୍ୟା ହେଉଛି। ଏମିତିକି ଦର୍ଶନ କରିନପାରି ଭକ୍ତ ଫେରିଯାଉଥିବା ଅଭିଯୋଗ ହେଉଛି। ତେଣୁ ଶାରଳା ମନ୍ଦିର ବେଢ଼ାକୁ ଅତି କମ୍ରେ ୨ଶହ ମିଟର ପ୍ରଶସ୍ତ କରାଯାଇ ଦଖଲମୁକ୍ତ କରାଯାଉ।
ଇଂ.ବୈଷ୍ଣବ ଚରଣ ସାହୁ,
ଅବସରପ୍ରାପ୍ତ ଯନ୍ତ୍ରୀ
ସୁନାବେଡ଼ା ହିନ୍ଦୁସ୍ଥାନ ଏରୋନେଟିକ୍ସ