ନିୟମର ପଶାପାଲ୍ଲୀରେ ଘରଡିହ ପଟ୍ଟା ଯୋଜନା

ଜୟପୁର:  ରାଜ୍ୟରେ  କେହି ବି ବାସ ହୀନ, ଜମି ହୀନ ରହିବେ ନାହିଁ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ଓ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିବାକୁ କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି। ତେବେ କୋରାପୁଟ ଜିଲ୍ଲାର ଜୟପୁର ସହରରେ ଏହାର କେତେ ଦୁର କାର୍ଯ୍ୟକାରିତା ହେଉଛି ତାହାକୁ ନେଇ ଉଠିଛି ପ୍ରଶ୍ନ। ସରକାରୀ ନିୟମର ପଶାପାଲ୍ଲୀରେ ସହରରେ ଥିବା ବସ୍ତିବାସିନ୍ଦା ମାନେ ନିଜେ ରହୁଥିବା ଘରର ପଟ୍ଟା ପାଇବେ କି ନାହିଁ ତାହାକୁ ନେଇ ଉଠିଛି ଏବେ ବିରାଟ ବଡ ପ୍ରଶ୍ନ ।

ପୌରପାଳିକା ପକ୍ଷରୁ ୫ବର୍ଷ ତଳୁ  ଡ୍ରୋନ କ୍ୟାମେରାରେ ୨୭ଟି ବସ୍ତି ବାସିନ୍ଦାଙ୍କ ଘରର ଚିହ୍ନଟ ସର୍ଭେ କରାଯାଇଥିଲା।  ଏଥିରେ ୫୧୧୬ ଲୋକେ ଜମି ପାଇ ପାରିବେ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଥିଲା। ତେବେ ଏମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ଏଲଆରସି (ଲ୍ୟାଣ୍ଡ ରାଇଟସ୍ ସାର୍ଟିପିକେଟ) ୨୮୫୬ଜଣ ପାଇଛନ୍ତି। ପୌରପାଳିକାକୁ ଆବାସଯୋଜନାରେ ଘର ନିର୍ମାଣ ପାଇଁ ୨୭ଟି ବସ୍ତିରୁ ୪୫୬୪ଟି ଆବେଦନପତ୍ର ଆସିଥିଲା। ଏଥିରୁ ୫୦୦ଜଣଙ୍କର ନାକଚ ହୋଇଥିବା ବେଳେ ୩୮୧୮ଜଣଙ୍କୁ ପକ୍କାଘର ନିର୍ମାଣ ପାଇଁ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇଛି। ବଳକା ୨୪୬ଜଣଙ୍କର ଆବାସ ଯୋଜନାରେ ଜିଲ୍ଲାପାଳଙ୍କ ନିକଟକୁ ଅନୁମୋଦନ ପାଇଁ ଯାଇଥିବା ପୌରପାଳିକା ପକ୍ଷରୁ ସୂଚନା ମିଳିଛି। କାର୍ଯ୍ୟଦେଶ ମିଳିଥିବା ହିତାଧିକାରୀଙ୍କ ମଧ୍ୟରୁ ୩୪୦୭ଜଣଙ୍କର ଆଧାରାକାର୍ଡ ଅଫଟୁଡେଟ୍ , ୩୦୩୭ଜଣଙ୍କର ଜିଅଟ୍ୟାଗ୍ ସରିଲାଣି। ଏଥିମଧ୍ୟରୁ ୧୯୯୮ଟିର ଘର ନିର୍ମାଣ ସରିବା ପରେ ହିତାଧିକାରୀ ମାନେ ଏଠାରେ ରହୁଛନ୍ତି। ବଳକା୧୦୪୪ଟି ନିର୍ମାଣାଧୀନ ରହିଛି। ୧୫୭ଟିର ପୁରଣାଘର ଭାଙ୍ଗିବା କାମ ଆରମ୍ଭ ହୋଇଥିବା ପୌରପାଳିକା ପକ୍ଷରୁ କୁହାଯାଇଛି। ସେପରି ଏଲଆରସି ପଟାରେ ୧୫୭୨ଜଣଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଥିବା ବେଳେ ଏଥିରୁ ୫୯୦ଜଣ ଘର କାମ ଶେଷ କରିଛନ୍ତି।

୨୭ ବସ୍ତିର ୨୫୩୦ ଅପେକ୍ଷାରେ

୨୮ ଵାର୍ଡରେ ୩୮୧୮ ଆବାସ ଯୋଜନାରେ ସାମିଲ

ଅନୁମୋଦନ ଅପେକ୍ଷାରେ ୨୪୬

ଯମୁନାଗୁଡାବାସିନ୍ଦାଙ୍କୁ  କେବେ ମିଳିବ ଆରଓଆର

ସହରର ୨୭ଟି ବସ୍ତିରେ ଏଲଆରସି ପଟ୍ଟା ୨୮୫୬ଜଣ ପାଇଛନ୍ତି। ସେମାନଙ୍କୁ ଭୋଟ ପରିଚୟପତ୍ର ମିଳିବା ପର ଠାରୁ ଠିକଣା ମିଳିଛି। ବିଶେଷ କରି ପିଲା ମାନେ ଉଚ୍ଚଶିକ୍ଷା ପାଇଁ ବାସିନ୍ଦା ପ୍ରମାଣପତ୍ର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରମାଣପତ୍ର ମଧ୍ୟ ପାଇପାରୁନାହାନ୍ତି। ସରକାର ଘର ନିର୍ମାଣ କରିବା ପାଇଁ ସହାୟତା ଦେଉଥିଲେ ହେଁ ଏମାନଙ୍କ ନିକଟରେ ଘରଡିହ ପଟ୍ଟା ନଥିବାରୁ ଏଥିରୁ ବଂଚିତ ହେଉଛନ୍ତି। ତେବେ ଏହାର ସୁଯୋଗ ନେଇ କିଛି ନ୍ୟାସ୍ତସ୍ବାର୍ଥ ବ୍ୟକ୍ତି ଜମି ପଟ୍ଟା କରିଦେବା ଆଳରେ ଏମାନଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟି ମଧ୍ୟ ନେଇଗଲେଣି।

ଯମୁନାଗୁଡା ଅଂଚଳରେ ରହୁଥିବା ୪୫୦ ହିତାଧିକାରୀଙ୍କ ଜମିର ଆରଓଆର (ରେକର୍ଡ ଅଫ ରାଇଟସ୍ ) ନାହିଁ। ଏହାର ସର୍ଭେ ରାଜସ୍ବ ବିଭାଗ ପକ୍ଷରୁ କରାଯାଇ ପଟ୍ଟା ଦେବାର ବାକି ରହିଛି ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ । ସେଭଳି ସହରର ବହୁ ବସ୍ତି ଅଂଚଳର ଲୋକେ ରାଣୀଙ୍କ ଜମି, ଜଳାଶୟ,ସରକାରୀ ଜମି ଆଦିକୁ ଜବରଦଖଲ କରି ବସ୍ତି କରିଛନ୍ତି। ସେ ଅଂଚଳରେ କିଭଳି ପଟ୍ଟା ମିଳିବ ବୋଲି ପ୍ରଶ୍ନ କରିଛନ୍ତି ନିର୍ବା‌ହୀ ଅଧିକାରୀ। ଏହି ସ୍ଥିତିରେ୨୫୩୦ଜଣ ହିତାଧିକାରୀ ରହୁଥିବା ଜମିର ପଟ୍ଟା ପାଇବେ  ନା ନାହିଁ ତାହାକୁ ନେଇ ବିରାଟ ବଡ ପ୍ରଶ୍ନ।

ସମ୍ବନ୍ଧିତ ଖବର