ସୁନ୍ଦରଗଡ଼: ହାତରେ, କାଖରେ ଗରା, ବାଲଟି ଧରି ଗାଁର ଭରା ନାଳ ପାର ହେଉଥିଲେ ମହିଳା। ନାଳରେ କେଉଁଠି ଅଣ୍ଟାଏ ତ କେଉଁଠି ଛାତିଏ ପାଣି। ଟିକିଏ ସାବଧାନରେ ନଗଲେ ପାଣି ସୁଅରେ ଭାସିଯିବାର ଭୟ ରହିଛି। ତଥାପି ପିଇବା ପାଣି ଗରାଏ ପାଇଁ ନାଳ ଆରପଟ ଗାଁକୁ ଜୀବନକୁ ଏମିତି ପାଣି ଛଡାଇ ଯାଉଥିଲେ ଦଳଦଳ ମହିଳା। ଅଭାବନୀୟ ଚିତ୍ରଟି ଆସିଛି ଆଦିବାସୀ ଅଧ୍ଯୁଷିତ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଗୋପାଳପୁର ପଞ୍ଚାୟତ ନାକଟିଦେଉଳରୁ। ଯେଉଁ ସମୟରେ ସରକାର କହୁଛନ୍ତି, ସହର ସହ ଗାଁ ଅଞ୍ଚଳରେ ମଧ୍ଯ ଘର ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି ବା ବ୍ଯବସ୍ଥା କରାଯାଉଛି। ସେହି ସମୟରେ ଦିନେ କି ଦୁଇ ଦିନ ନୁହେଁ, ପୂରା ବର୍ଷା ସମୟଯାକ ପ୍ରତିଦିନ ଏମିତି ଜଳ ଯନ୍ତ୍ରଣାର ଯାତ୍ରାରେ ଯାଆନ୍ତି ମହିଳା। ବିଡ଼ମ୍ବନାର ବିଷୟ ହେଲା, ଗାଁଟି ରହିଛି ମହାନଦୀ ଖୋଲା ମୁହଁ କୋଇଲା ଖଣି ଅଞ୍ଚଳରେ। ଯେଉଁ ଅଞ୍ଚଳର ବିକାଶ ପାଇଁ ଜିଲ୍ଲାରେ ରହିଛି ହଜାରେ କୋଟିର ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ ଓ ଓଡିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମବାଡସି)।

Advertisment

ଗୋପାଳପୁର ପଞ୍ଚାୟତର ନାକଟିଦେଉଳରେ ରହିଛି ୫୦ ଘର, ବସବାସ କରନ୍ତି ୩ ଶହ ଲୋକ। ଗାଁର ବଡ଼ ଦୁଃଖ ହେଉଛି ଗାଁ ମୁଣ୍ଡରେ ଥିବା ନାଳ। ବର୍ଷା ଦିନ ନାଳ ଭରିଯାଏ। ଗାଁରେ ଥିବା ନଳକୂପରେ ପାନୀୟ ଅଯୋଗ୍ଯ ଗୋଳିଆ ପାଣି ବାହାରୁଥିବାରୁ ମହିଳାମାନେ ବର୍ଷାଋତୁରେ ଭରା ନାଳ ପାର ହୋଇ ଆରପଟ ଗାଁ ତେଲେନଡିହିକୁ ପାଣି ପାଇଁ ଯାଆନ୍ତି। ତେଲେନଡିହି ଗାଁ ଅବସ୍ଥା ଆହୁରି ଶୋଚନୀୟ। ଏହି ନାଳ ହିଁ ଗାଁର ପଥ ଓଗାଳିଛି କହିଲେ ଭୁଲ୍ ହେବ ନାହିଁ। ଅନ୍ଯ ଋତୁରେ ଜୀବନଯାପନ କଷ୍ଟେମଷ୍ଟେ ଚଲି ଯାଉଥିବାବେଳେ ବର୍ଷାରେ ଗାଁଟି ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଏ। ଗାଁ ସ୍କୁଲକୁ ବହିବସ୍ତାନୀ ଧରି ପିଲା ତ ଯାଆନ୍ତି, ହେଲେ ଶିକ୍ଷକ ନାଳ ଡେଇଁ ଆସିବା ସମ୍ଭବ ହୋଇ ନଥାଏ। ଶିକ୍ଷା, ସ୍ବାସ୍ଥ୍ଯ, ଗମନାଗମନ ଭରା ନାଳ ପାର ହୋଇପାରେ ନାହିଁ। ତେବେ ସେଠାରେ ଏକ ସେତୁ ନିର୍ମାଣ ପାଇଁ ଉଭୟ ଗାଁ ଲୋକେ ଅନେକଥର ବ୍ଲକ୍ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କରିଥିଲେ। କୋଇଲା ଖଣି ଲାଭାଂଶର ୧୦ ପ୍ରତିଶତ ଅର୍ଥ ସ୍ଥାନୀୟ ଅଞ୍ଚଳର ବିକାଶ କ୍ଷେତ୍ରରେ ବିନିଯୋଗ କରାଯିବା ନିର୍ଦ୍ଦେଶ ଥିବାରୁ ସେଥିରୁ କିଛି ସେତୁ ନିର୍ମାଣ ପାଇଁ ଖର୍ଚ୍ଚ କରାଯାଉ ବୋଲି କହିଥିଲେ। କିନ୍ତୁ ପ୍ରଶାସନ ନିରବ। ଫଳସ୍ବରୂପ ଗାଁ ଲୋକେ ଭାଗ୍ଯକୁ ନିନ୍ଦି ବର୍ଷ ବର୍ଷ ଏମିତି ଯନ୍ତ୍ରଣା ଭୋଗି ଚାଲିଛନ୍ତି।