ଅନଲାଇନରେ ଲଟକିଥିଲା ପାଠପଢା, ଏବେ ପରୀକ୍ଷା: ଦ୍ବନ୍ଦ ଆଉ ଚିନ୍ତାରେ ୟୁଜି ଓ ପିଜି ଛାତ୍ରଛାତ୍ରୀ

 ଭଞ୍ଜନଗର: କରୋନା ମହାମାରୀ ପାଦୁର୍ଭାବ ଫଳରେ ଗତ ଦୁଇ ବର୍ଷ ଧରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଆଡ଼କୁ ଠେଲି ହୋଇଯାଇଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା ସ୍ବରୁପ ଅନଲାଇନ ଶିକ୍ଷା ବ୍ୟବସ୍ଥାକୁ ଆପଣାଇଛନ୍ତି। ହେଲେ ଶତପ୍ରତିଶତ କଲେଜ୍ ଛାତ୍ରଛାତ୍ରୀ ଏହି ବ୍ୟବସ୍ଥାର ସୁଫଳ ପାଇ ପାରିନାହାନ୍ତି। କିଛି ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟ ଫୋନ୍ ନାହିଁ ତ ଆଉ କାହା ପାଖରେ ସ୍ମାର୍ଟ ଫୋନ ଥାଇ ବି ନେଟୱର୍କ ସମସ୍ୟା ଯୋଗୁ ମିଳୁଥିବା ଶିକ୍ଷାଦାନରୁ ବଞ୍ଚିତ ରହିଛନ୍ତି।

ଶ୍ରେଣୀକକ୍ଷ ପାଠପଢା ଭଳି ସମସ୍ତ ଛାତ୍ରଛାତ୍ରୀ ସମାନ ଭାବେ ଶିକ୍ଷା ପାଇପାରୁ ନଥିବାରୁ ଚଳିତ ବର୍ଷ ପାଠ ପଢା ମଧ୍ୟ ପ୍ରଭାବିତ ହୋଇଛି। ଏଭଳି ପରିସ୍ଥିତିରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ,ସରକାରୀ ଓ ବେସରକାରୀ ଡିଗ୍ରି ମହାବିଦ୍ୟାଳୟର ୟୁଜି(ସ୍ନାତକ) ଓ ପିଜି(ସ୍ନାତୋକତ୍ତର)ଶେଷ ବର୍ଷ ପରୀକ୍ଷା ଅନଲାଇନ ଦ୍ବାରା ଜୁଲାଇ ଓ ଅଗଷ୍ଟରେ ଅନୁଷ୍ଠିତ ହେବା ନେଇ ଘୋଷଣା ହୋଇଛି। ଦୀର୍ଘ ପ୍ରଶ୍ନୋତ୍ତର ରହିବ ନା କେବଳ ମଲ୍ଟିପୁଲ ଚଏସ୍ ରହିବ ତାହା ସ୍ପଷ୍ଟ ହୋଇନି। ଯାହା ଫଳରେ କିଭଳି ଏବଂ କେଉଁ ପ୍ରକ୍ରିୟାରେ ପରୀକ୍ଷା ହେବ ସେନେଇ ଛାତ୍ରଛାତ୍ରୀ ଦ୍ବନ୍ଦରେ ରହିଥିବା ବେଳେ ବିନା ପାଠ ପଢାରେ ଘରେ କିଭଳି ଅନ୍ଲାଇନ ଦ୍ବାରା ପରୀକ୍ଷା ଦେବେ ଚିନ୍ତାରେ ପଡିଛନ୍ତି।

ବିଶ୍ବବିଦ୍ୟାଳୟ ଅଧିନରେ ଥିବା କଲେଜ୍ ଗୁଡ଼ିକରେ ନିୟମିତ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷାଦାନ ଜାରି ରହିଛି। କିନ୍ତୁ ଅନେକ ଏହି ଶିକ୍ଷା ପାଇବାରୁ ବଞ୍ଚିତ ରହିଥିବାରୁ କୋଭିଡ଼ ନିୟମ ଅନୁଯାୟୀ ଏହି ପରୀକ୍ଷା କରିବା ପାଇଁ ନିବେଦନ କରିଛନ୍ତି। ସରକାର ପରୀକ୍ଷା ପୂର୍ବରୁ ଡାଉଟ୍ କ୍ଳିୟର କ୍ଳାସ୍ କରିବା ପାଇଁ ନିଷ୍ପତି ନେଇଥିବା ବେଳେ କିଭଳି ଏବଂ କେଉଁ ସମୟରେ ପରୀକ୍ଷା ହେବ ସେହି ନିଷ୍ପତି ବିଶ୍ବ ବିଦ୍ୟାଳୟ ଏବଂ ସ୍ବଂୟଶାସିତ ମହାବିଦ୍ୟାଳୟ ଉପରେ ନ୍ୟସ୍ତ କରିଛନ୍ତି। ଛାତ୍ରଛାତ୍ରୀ ନିଜ ଘରୁ କିମ୍ବା ଯେକୌଣସି ସୁବିଧାଜନକ ସ୍ଥାନରେ ରହି ଏହି ଅନଲାଇନ ପରୀକ୍ଷା ଦେଇପାରିବେ।

ଦରକାର ପଡ଼ିଲେ, ସେମାନଙ୍କ ଘର ପାଖରେ ଥିବା ଡିଗ୍ରି ମହାବିଦ୍ୟାଳୟକୁ ଯାଇ ଏହି ଅନ୍ଲାଇନ୍ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ ବୋଲି ଘୋଷଣ କରିଥିବାରୁ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନ୍ଲାଇନ ବଦଳରେ ଅଫଲାଇନ କରିବାକୁ ବହୁ ଛାତ୍ରଛାତ୍ରୀ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସ୍ଥିର ହୋଇଥିଲେ ମଧ୍ୟ ଅନ୍ୟ ପିଲାଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିବାରୁ ଛାତ୍ରଛାତ୍ରୀ ଦ୍ବନ୍ଦରେ ରହିଛନ୍ତି। ୟୁଜି ଓ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଗୋଟିଏ ବି ସେମିଷ୍ଟର୍ ପରୀକ୍ଷା ଦେଇନାହାନ୍ତି। ଦ୍ବିତୀୟ ସେମିଷ୍ଟାର ପାଠପଢ଼ା, ପରୀକ୍ଷା ହେବ କି ନାହିଁ, ସେମିଷ୍ଟର୍ ପ୍ରମୋସନ ହେବ ନା ଅନ୍ଲାଇନ୍ରେ ପରୀକ୍ଷା କରାଯିବ, ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ।

ସରିତା ନାୟକ,ପିଜି ଶେଷ ବର୍ଷ,ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବର୍ତ୍ତମାନ କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଜୀବନକୁ ଗୁରୁତ୍ଵ ଦେବା ଜରୁରୀ। ତେଣୁ ପରିସ୍ଥିତିକୁ ଦୁଷ୍ଟିରେ ରଖି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ। କିନ୍ତୁ ଶ୍ରେଣୀଗୃହ ପାଠପଢାରେ ଯେପରି ଭାବେ ସନ୍ଦେହ ଦୂରୀଭୁତ ହୁଏ ତାହା ଅନଲାଇନ ପାଠପଢ଼ାରେ ସମ୍ଭବ ନାହିଁ। ଯାହା ପଢା ହୋଇଛି ସଂପୂର୍ଣ୍ଣ ସିଲାବସ୍ ସରିନାହିଁ। ପରୀକ୍ଷାରେ କିଛି ପାଠ୍ୟକ୍ରମ କମାଇବା ଜରୁରୀ ହୋଇପଡ଼ିଛି।

ସୁମନ କୁମାର ରଣା ଶେଷ ବର୍ଷ ଛାତ୍ର,ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗ, ଭଞ୍ଜନଗର କଲେଜ ପୂର୍ବରୁ ସବୁବେଳେ ଦୀର୍ଘ ପ୍ରଶ୍ନୋତ୍ତର ସହ ଛୋଟ ପ୍ରଶ୍ନୋତ୍ତର ରହୁଥିଲା। ପଢା ସମୟରେ ଦୀର୍ଘ ପ୍ରଶ୍ନୋତ୍ତର ପ୍ରତି ଅଧିକା ଗୁରୁତ୍ବ ଦେଉଥିଲୁ। ଅନଲାଇନ ପରୀକ୍ଷା ଦ୍ବାରା ସବୁ ବିଟ୍ ପ୍ରଶ୍ନଉତ୍ତର ଆସିବାର ସମ୍ଭାବନା ରହିଛି। ଯାହାର ଫଳାଫଳ ପ୍ରକୃତ ଜିନିଷକୁ ଉପସ୍ଥାପନା ହୋଇପାରିବ ନାହିଁ।

ଅନିତା କୁମାରୀ ବେହେରା +୩ ଶେଷ ବର୍ଷ କଳା,କେଏସ୍ୟୁବି କଲେଜ୍ ଅନଲାଇନ ପରୀକ୍ଷା ନ ହୋଇକି ଅଫଳାଇନ ହୋଇଥିଲେ ଭଲ ହୁଅନ୍ତା। ଅନଲାଇନ ପାଠପଢାରେ ଶ୍ରେଣୀ ପାଠ ପଢା ଭଳି ସନ୍ତୁଷ୍ଟି ଲାଗୁନି। ଗ୍ରାମାଞ୍ଚଳରେ ରହୁଥିବାରୁ ବିଭିନ୍ନ ସମୟରେ ମୋବାଇଲ ନେଟୱର୍କ ସମସ୍ୟା ସୃଷ୍ଟି ହେଉଛି। ମାନସୀ ପାତ୍ର, ଯୁକ୍ତତିନି ଶେଷ ବର୍ଷ, ଇଂରାଜୀ ବିଭାଗ, ସାବିତ୍ରୀ ମହିଳା ମହାବିଦ୍ୟାଳୟ।

ଗଲା ଦେଢବର୍ଷ ହେଲା ଭଲ ଭାବେ କଲେଜ ଯାଇଛୁ ନା ପାଠ ପଢିଛୁ। ଆଉ ମାସେ ପରେ ପରୀକ୍ଷା ହେବ। ଅନଲାଇନ ପରୀକ୍ଷା ବର୍ତ୍ତମାନ ସୁଦ୍ଧା କିପରି ହେବ ଜଣାପଡିନି। ଅନଲାଇନ ପରୀକ୍ଷା ହେଲେ ବହୁ ଛାତ୍ରଛାତ୍ରୀ କପି କରିବେ। ଯୋଗ୍ୟ ପିଲା ଭଲ ନମ୍ବର ରଖିବାରୁ ବଞ୍ଚିତ ରହିବେ। ତେଣୁ କୋଭିଡ କଟକଣା କୁ ପାଳନ କରି ସାମାଜିକ ଦୂରତା ରଖି ପରୀକ୍ଷା କରାଯାଉ।

ସମ୍ବନ୍ଧିତ ଖବର