ରାଉରକେଲା: ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଟି ପଞ୍ଚାୟତର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲିଙ୍କ ସହ ଆଲୋଚନା କରିଛନ୍ତି ପ୍ରଶାନ୍ତ ସେଠୀ। ଜିଲ୍ଲାପାଳ ସମସ୍ୟାଗୁଡ଼ିକୁ ପର୍ଯ୍ୟାୟକ୍ରମେ ସମାଧାନ କରିବାକୁ ଶ୍ରୀ ସେଠୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ପ୍ରଶାନ୍ତ ୭ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ପ୍ରଶାନ୍ତ ତାଙ୍କ ଦାବିପତ୍ରରେ ଲାଠିକଟା ବ୍ଲକ୍ର ଲାଠିକଟା,ବଲାଣି, ସୁଇଡିହି, ହାତୀବନ୍ଧା, ଜଲଦା, ମୁଣ୍ଡାଯୋର ଓ ରାମଯୋଡି ପଞ୍ଚାୟତରେ ଗୋଟିଏ ବି କଲ୍ୟାଣ ମଣ୍ଡପ ନାହିଁ। ତେଣୁ ବିବାହ, ବ୍ରତ ଭଳି ସାମାଜିକ କାର୍ଯ୍ୟକ୍ରମରେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପ୍ରତି ପଞ୍ଚାୟତରେ ରୋଷେଇ ଘର ସହ କଲ୍ୟାଣ ମଣ୍ଡପ କରିବା।

Advertisment

ଏହି ପଞ୍ଚାୟତରେ ଅବସ୍ଥାପିତ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପାଇଁ ଷ୍ଟାଫ୍ କ୍ବାର୍ଟର୍ସ ନଥିବାରୁ ଏମାନେ ଦୂରଦୂରାନ୍ତରୁ ବିଦ୍ୟାଳୟକୁ ଯିବା ଆସିବାରେ ବହୁ ଅସୁବିଧା ଭୋଗୁଛନ୍ତି। ୭ଟି ପଞ୍ଚାୟତର ମୁଖ୍ୟ ରାସ୍ତାରେ ଆଲୋକ ବ୍ୟବସ୍ଥା ନଥିବାରୁ ଜନସାଧାରଣ ରାତିରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ‘ମୋ ବସ’ ସେବା ଏକ ଯୁଗାନ୍ତକାରୀ ପଦକ୍ଷେପ ସହ ଜନସାଧାରଣ ଏହାର ସୁଯୋଗ ନେଉଛନ୍ତି। ମାତ୍ର କୌଣସି ପଞ୍ଚାୟତରେ ଯାତ୍ରୀ ପ୍ରତୀକ୍ଷାଳୟ ନଥିବାରୁ ଜନସାଧାରଣ ଖରା ଓ ବର୍ଷା ଦିନେ ଅନେକ ସମସ୍ୟା ‌ଭୋଗୁଛନ୍ତି। ପଞ୍ଚାୟତ ଅଞ୍ଚଳର ଶିକ୍ଷିତ ଯୁବକଯୁବତୀ ବେକାର ଥିବାବେଳେ ସେମାନଙ୍କୁ ଚାକିରିର ସୁଯୋଗ ନାହିଁ। ତେଣୁ ବ୍ଲକ୍ସ୍ତରୀୟ ନିଯୁକ୍ତି ମେଳା ଆୟୋଜନ କରି ଏମାନଙ୍କ ମଧ୍ୟରେ ଯୋଗ୍ୟ ବିବେଚିତଙ୍କୁ ଚାକିରି ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ଏଥିସହ ସବୁ ପଞ୍ଚାୟତର ହାତୀ ଉପଦ୍ରବ ରୋକିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଦାବିପତ୍ରରେ ଦର୍ଶାଇଛନ୍ତି।