ବ୍ରହ୍ମପୁର : କେବଳ ବ୍ରହ୍ମପୁର ସହରର ନୁହେଁ, ରାଜ୍ୟର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟର ଏହାମଧ୍ୟରେ ନବକଳେବର ହୋଇଛି। ଆଜବେଷ୍ଟସ୍ ଛପର ବିଶିଷ୍ଟ କୋଠରିର ସ୍ଥାନ ନେଇଛି ୫ମହଲା ବିଶିଷ୍ଟ ଏକ ସୁଦୃଶ୍ୟ କୋଠା। ଏହି କୋଠାର ନିର୍ମାଣ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହେଲାଣି। ଫଳରେ ପୂର୍ବରୁ ଥିବା ଶ୍ରେଣୀଗୃହ ସମସ୍ୟା ଅନେକାଂଶରେ ଦୂର ହୋଇଛି। ବାହାରୁ ମଧ୍ୟ ବେଶ୍‌ ସୁନ୍ଦର ଦେଖାଯାଉଛି। ତେବେ ଛାତ୍ରୀମାନଙ୍କ ପ୍ରଥମ ପସନ୍ଦ ଏହି ମହାବିଦ୍ୟାଳୟରେ ବର୍ଷକୁ ବର୍ଷ ମାନବ ସମ୍ବଳ କମିବାରେ ଲାଗିଛି। ଅଧାରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଏବେ ଖାଲି ପଡ଼ିଛି। ଖାଲି ସେତିକି ନୁହେଁ ୨୦୦୭ରେ ୟୁଜିସି ପକ୍ଷରୁ ଏହି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ କରାଯାଇଥିଲା। ପ୍ରତି ୫ବର୍ଷରେ ଏହାର ନବୀକରଣ ହେବା କଥା। କିନ୍ତୁ ୨୦୧୨ପରଠୁ ଆଜିପର୍ଯ୍ୟନ୍ତ ତିନିତିନି ଥର ଆବେଦନ କରାଯାଇଥିଳେ ମଧ୍ୟ କିଛି ସୁଫଳ ମିଳିନାହିଁ। ବିଭିନ୍ନ କାରଣ ପାଇଁ ୮ବର୍ଷ ହେଲା ଏହାର ସ୍ବୟଂଶାସିତ ମାନ୍ୟତା ମଧ୍ୟ ନବୀକରଣ ହୋଇପାରୁନାହିଁ।

Advertisment

ଏହି ସରକାରୀ ମହିଳା ମହାବିଦ୍ୟାଳୟରେ ବର୍ତ୍ତମାନ ସ୍ନାତକ ଡିଗ୍ରୀ ଶିକ୍ଷାଦାନ ପାଇଁ ଉପଲବ୍ଧ ଥିବା ମୋଟ ସ୍ବୀକୃତ ଶିକ୍ଷକ ପଦବି (ସାଙ୍କସନ୍‌ଡ ପୋଷ୍ଟ)ର ପ୍ରାୟ ଦୁଇ ତୃତୀୟାଂଶ ଖାଲି ପଡ଼ିଛି। ସେହିପରି +୨ଶିକ୍ଷାଦାନ ପାଇଁ ଉପଲବ୍ଧ ଥିବା ମୋଟ ଶିକ୍ଷକ ପଦବୀର ଅର୍ଦ୍ଧାଧିକ ଖାଲି। ସୂଚନା ମୁତାବକ ଏହି ମହାବିଦ୍ୟାଳୟର +୩ରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ସେଲ୍ଫଫାଇନାନ୍ସିଂରେ ଥିବ‌ା ୧୭ଟି ବିଷୟରେ ଶିକ୍ଷାଦାନ ପାଇଁ

ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୪୩ଟି ଶିକ୍ଷକ ପଦବି ରହିଛି। ବର୍ତ୍ତମାନ କିନ୍ତୁ ମାତ୍ର ୧୫ଜଣ ସ୍ଥାୟୀ ଶିକ୍ଷକ ଅଛନ୍ତି। ଅର୍ଥାତ୍ ପ୍ରାୟ ଦୁଇ ତୃତୀୟାଂଶ ଶିକ୍ଷକ ପଦବୀ ଖାଲି ପଡ଼ିଛି। ରସାୟନବିଜ୍ଞାନ, ଅର୍ଥନୀତି, ପରିବେଶବିଜ୍ଞାନ, ତେଲୁଗୁ ଏବଂ ପ୍ରାଣୀବିଜ୍ଞାନର ମଧ୍ୟ ସମସ୍ତ ଶିକ୍ଷକ ପଦବି ଖାଲି ପଡ଼ିଛି। ଖାଲି ସେତିକିନୁହେଁ ଇଂରାଜୀ (୩ଶିକ୍ଷକ )ଓ ମନୋସ୍ତତ୍ତ୍ବବିଜ୍ଞାନ(୪ଶିକ୍ଷକ)ରେ ସ୍ନାତକ ସହ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ମଧ୍ୟ ରହିଥିବା ବେଳେ ପଢ଼ାଇବାପାଇଁ ଜଣେ ହେଲେ ସ୍ଥାୟୀ ଶିକ୍ଷକ ନାହାନ୍ତି।  ସେହିପରି +୨ଶିକ୍ଷାଦାନ ପାଇଁ ସ୍ବୀକୃତ ଶିକ୍ଷକ ପଦବି ମଧ୍ୟରୁ ଅର୍ଦ୍ଧାଧିକ ଖାଲି ହୋଇସାରିଲାଣି। ଏଥିପାଇଁ ମୋଟ ୧୮ଟି ସ୍ଥାୟୀ ଶିକ୍ଷକ ପଦବି  ଥିବା ବେଳେ ଅଛନ୍ତି ମାତ୍ର ୮ଜଣ। ୩ଜଣ ଆଡହକ୍‌ରେ ନିଯୁକ୍ତ ଅଛନ୍ତି। ତେବେ ଇତିହାସ, ହିନ୍ଦୀ, ଲଜିକ୍‌ ଆଣ୍ଡ ଫିଲୋସୋଫି, ଗଣିତ, ରାଜନୀତିବିଜ୍ଞାନ ବିଭାଗ ଶିକ୍ଷକଶୂନ୍ୟ ହୋଇଯାଇଛି। ତେଣୁ ଶିକ୍ଷାଦାନ ପ୍ରଭାବିତ ହେବା ସ୍ବାଭାବିକ। ଏଥିପ୍ରତି ସରକାରଙ୍କ ଦୃଷ୍ଟି ନାହିଁ।

ଖାଲି ଶିକ୍ଷକ ନୁହେଁ, ଦୁଇ ତୃତୀୟାଂଶ ଅଣଶିକ୍ଷକ ପଦବି ମଧ୍ୟ ଖାଲି ପଡ଼ିଛି। ତେଣୁ ଜଣେଜଣେ କର୍ମଚାରୀଙ୍କୁ ଏକାଧିକ ଦାୟିତ୍ବ ନିର୍ବାହ କରିବାକୁ ପଡ଼ୁଛି।  ତଥ୍ୟ ମୁତାବକ ମୋଟ ୬୯ଟି ସ୍ବୃୀକୃତ ଅଣଶିକ୍ଷକ ପଦବୀ ମଧ୍ୟରୁ ଏବେ ୪୮ଟି ଖାଲିପଡ଼ିଛି। ଉଲ୍ଲେଖନୀୟ ବିଷୟ ହେଲା ୧୧ଟି ସ୍ବୀକୃତ ଡେମୋନୋଷ୍ଟ୍ରେଟର୍‌ ପଦବୀ ଥିଲେ ମଧ୍ୟ ଜଣେବି କେହି ନାହାନ୍ତି। ସେହିପରି ୧୭ଜଣ ଲାବ୍ରୋଟାରି ଆଟେଣ୍ଡାଣ୍ଟ ପଦବି ମଧ୍ୟରୁ ୧୩ଟି ଖାଲିଥିବା ବେଳେ ମାତ୍ର ୪ଜଣ ଅଛନ୍ତି। ୪ଟି କନିଷ୍ଠ କିରାଣି ପଦବି ସମ୍ପୂର୍ଣ୍ଣ ଖାଲି ପଡ଼ିଛି। ଲାଇବ୍ରେରୀର ପରିଚାଳନା ପାଇଁ ଗୋଟିଏ ଲେଖାଏଁ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍, ଜୁନିଅର୍‌ ଲାଇବ୍ରେରିଆନ୍, ଲାଇବ୍ରେରି ଆଟେଣ୍ଡାଣ୍ଟ ପଦବି ଥିବା ବେଳେ ଏହି ସମସ୍ତ ପଦବୀ ବର୍ଷବର୍ଷ ଧରି ଖାଲି ପଡ଼ିଥିଲେମଧ୍ୟ ପୂରଣ ହେଉନି। ତେଣୁ ଲାଇବ୍ରେରୀର ପରିଚାଳନା ଦାୟିତ୍ବ ଜଣେ ବରିଷ୍ଠ କିରାଣିଙ୍କୁ ନ୍ୟସ୍ତ କରାଯାଇଛି। ଶାରୀରିକ ଶିକ୍ଷା ପାଇଁ ଥିବା ଏକମାତ୍ର ପିଇଟି ପଦବି ମଧ୍ୟ ଖାଲିପଡ଼ିଛି। ଏମିତି ନାହିଁନାହିଁରେ ଚାଲିଛି ଏତେ ବଡ଼ ପ୍ରମୁଖ ଉଚ୍ଚଶିକ୍ଷା ଅନୁଷ୍ଠାନ।