ଜୟପୁର: ରାଜ୍ୟ ସରକାର ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇଛନ୍ତି। କିନ୍ତୁ କମ ଦିନ ମଧ୍ୟରେ ୟୁଜିସି (ୟୁନିଭରସିଟି ଗ୍ରାଣ୍ଟ କମିସନ)ରୁ ବିଶ୍ବବିଦ୍ୟାଳୟର ସ୍ବୀକୃତି ହାସଲ କରିବାକୁ ପଡ଼ିବ। ଏହା ପରେ ଯାଇ ବିଶ୍ବବିଦ୍ୟାଳୟର କାଗଜପତ୍ର ପ୍ରସ୍ତୁତ ହେବା ସହ ପୂର୍ଣ୍ଣାଙ୍ଗ ହୋଇ ପାରିବ। ୟୁଜିସିର ଅଧିନିୟମ୍ -୨ଏଫ୍ ମାର୍ଗଦର୍ଶିକା ଅନୁଯାୟୀ ସବୁ ପୁରଣ କରିବାକୁ ପଡ଼ିବ। ଏହି ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟର ଓଏସଡି ଡଃ. ଦେବୀ ପ୍ରସାଦ ମିଶ୍ର। ସୂଚନା ଯୋଗ୍ୟ, ବିକ୍ରମ ଦେବ ମହାବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରିଥିଲେ। ଜୁନ୍ ମାସରୁ ଏହା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ଘୋଷଣା କରିଥିଲେ। ଏହାପରେ ପ୍ରଥମେ କଲେଜର ଅଧ୍ୟକ୍ଷ ଡଃ. ଗୋପାଳ ହାଲଦାରଙ୍କୁ ଭାରପ୍ରାପ୍ତ ରେଜିଷ୍ଟ୍ରାର ଭାବେ ଦାୟିତ୍ବ ଦିଆଯାଇଥିଲା। ଗତ ୫ଦିନ ତଳେ ରାଜ୍ୟପାଳ ତଥା କୂଳପତି ବିଶ୍ବବିଦ୍ୟାଳୟର ପ୍ରଥମ ଓଏସଡି ନିଯୁକ୍ତି ଦେଇଛନ୍ତି।
ତେବେ ବିଶ୍ବବିଦ୍ୟାଳୟର ସ୍ବୀକୃତି ୟୁଜିସି ଦେଇଥାଏ। ଏହି ପ୍ରକ୍ରିୟା କାମ ଏବେ ଆରମ୍ଭ ହୋଇଛି ବୋଲି ନୂଆ ଓଏସଡି କହିଛନ୍ତି। ପୂର୍ବରୁଥିବା ମହାବିଦ୍ୟାଳୟର ସମସ୍ତ ଶିକ୍ଷା (ଟିଚିଂ) ଓ ଅଣଶିକ୍ଷା (ନନଟିଚିଂ) କର୍ମଚାରୀ ମାନେ ବିଶ୍ବବିଦ୍ୟାଳୟ ଅଧିନକୁ ଆସିଛନ୍ତି। ତେବେ ବିଶ୍ବବିଦ୍ୟାଳୟର ପ୍ରାରମ୍ଭିକ ପର୍ଯ୍ୟାୟ ପାଇଁ କୋଠା ରହିଛି ତେବେ ଯେତେ ସଂଖ୍ୟକ କର୍ମଚାରୀଙ୍କର ଆବଶ୍ୟକତା ସେହି ପରିମାଣର ଏଠାରେ ନାହାନ୍ତି। ଖାସ୍ କରି ବେଶି ସଂଖ୍ୟକ ନନଟିଚିଂ କର୍ମଚାରୀ ନାହାନ୍ତି। ୭୦ଜଣ ନନଟିଚିଂ (ସେକ୍ସନ ଅଫିସର, ସିନିୟର ଆସିଷ୍ଟାଣ୍ଟ, ଲାଇବ୍ରେରିଆନ୍, ଓ ପିଅନ) କର୍ମଚାରୀଙ୍କର ଆବଶ୍ୟକତା ରହିଥିବା କହିଛନ୍ତି ଓଏସଡି। ସେଭଳି ଟିଚିଂ ପାଇଁ ୧୫ଜଣ ଅତିଥି ଅଧ୍ୟାପକଙ୍କର ଆହୁରି ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଏସବୁର ତାଲିକା ଧରି ସେ କୂଳପତି ଓ ରାଜ୍ୟସରକାରଙ୍କ ଉଚ୍ଚଶିକ୍ଷା ବିଭାଗକୁ ଭେଟି ଅବଗତ କରିବେ। ଏବଂ ତୁରନ୍ତ ଏହାର ପୁରଣ କରିବାକୁ ଅନୁରୋଧ କରିବେ ବୋଲି କହିଛନ୍ତି ଓଏସଡି। ସେଭଳି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧିନରେ ରହିଥିବା ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ୬୩ଟି ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଅଧିନକୁ ଆସିଥିଲେ ହେଁ ସେମାନଙ୍କ ଠାରୁ ଅନୁରୋଧପତ୍ର ଗ୍ରହଣ କରିବା ସହ ଟିମ୍ ପଠାଇ ଯଞ୍ଚ କରି ବିଶ୍ବବିଦ୍ୟାଳୟର ସ୍ବୀକୃତି ପ୍ରଦାନ କରିବା କାମ ଏବେ ପ୍ରାଥମିକତା ପର୍ଯ୍ୟାୟରେ ରହିଛି ବୋଲି କହିଛନ୍ତି ଓଏସଡି।
ଏହି ମାସ ଶେଷ ସପ୍ତାହରେ ସମସ୍ତ ୬୩ଟି ଯାକ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଡାକି ବିଶ୍ବବିଦ୍ୟାଳୟରେ ସମ୍ମିଳନୀ କରାଯିବା ପାଇଁ ଯୋଜନା ରହିଛି। ବୋର୍ଡ ଅଫ ଷ୍ଟଡିଜ୍, ସିଣ୍ଡିକେଟ୍, ଆକାଡେମୀକ କାଉନସିଲ ଗଠନ କରିବାକୁ ପଡ଼ିବ। ସେଭଳି ବୈଧାନିକ ଅଧିକାରୀ କମ୍ପ୍ରୋଟଲର ଅଫ ଫାଇନାନ୍ସ, ରେଜିଷ୍ଟ୍ରାର, କମ୍ପ୍ରେଟଲର ଅଫ ପରୀକ୍ଷା ବି ସରକାର ନିଯୁକ୍ତି କରିବା ବାକି ରହିଛି। ଅପରପକ୍ଷରେ ସମଗ୍ର ରାଜ୍ୟରେ ସ୍ନାତକର ପାଠ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗଦ୍ବାରା ପ୍ରଦତ୍ତ। କିନ୍ତୁ ବିଶ୍ବବିଦ୍ୟାଳୟର ନିଜସ୍ବ ପାଠ୍ୟକ୍ରମ ପିଜିରେ ପଢ଼ାଯିବା କଥା। କିନ୍ତୁ ଏହି ଶିକ୍ଷାବର୍ଷରେ ଆଉ ସମୟ ନଥିବାରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପିଜି ପାଠ୍ୟକ୍ରମ ଏଠାରେ ଲାଗୁ କରାଯିବ।
ଆସନ୍ତା ଶିକ୍ଷାବର୍ଷରେ ଆବଶ୍ୟକ ହେଲେ ଏହାକୁ ପରିବର୍ତ୍ତନ କରି ବିଶ୍ବବିଦ୍ୟାଳୟର ନିଜସ୍ବ ପିଜି ପାଠ୍ୟକ୍ରମ ଆରମ୍ଭ ହେବ। ୟୁଜିସି ଆକ୍ଟ ୨-ଏଫରେ ବିଶ୍ବବିଦ୍ୟାଳୟର ସ୍ବୀକୃତି ପାଇବା ପରେ ୟୁଜିସି ଆକ୍ଟ-୧୨ବିରେ ଆବେଦନ କରାଯିବ। ଏଥି ପାଇଁ ଗୋଟିଏ ଗୋଟିଏ ବିଭାଗରେ ଜଣେ ପ୍ରଫେସର, ୨ଜଣ ଆସୋସିଏଟ୍ ପ୍ରଫେସର, ୩ଜଣ ଆସିଷ୍ଟାଣ୍ଟ ପ୍ରଫେସର ରହିବା ବାଧ୍ୟତାମୂଳକ। ୧୨ବି ପାଇବା ପରେ ରୁସାର ଅନୁଦାନ ଆସିବ ବୋଲି କହିଛନ୍ତି ଓଏସଡି। ସେଭଳି ୫ଟି ମୋ କଲେଜ ଅଭିଯାନରେ ସାଢ଼େ ୨କୋଟି ଟଙ୍କା ମିଳିଛି। ଏଥିରେ ସ୍ମାର୍ଟ ଶ୍ରେଣୀଗୃହ, ଖେଳପଡ଼ିଆ, ଇ-ଲାଇବ୍ରେରୀ ସହ ଲାଇବ୍ରେରୀର ପୁନଃରୁଦ୍ଧାର, ଶୌଚାଳୟ, ଛାତ୍ରାବାସ ଆଦିର ନିର୍ମାଣ କାମ ଜାରି ରହିଛି ବୋଲି କହିଛନ୍ତି ଓଏସଡି।