ଖୋର୍ଦ୍ଧା ଟାଉନ ଥାନା ପୁଲିସ ବିରୋଧରେ ବଜରଙ୍ଗ ଦଳର ବିକ୍ଷୋଭ ଓ ଦାବିପତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୁଲିସ ବିରୋଧରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ରାଜ୍ୟପାଳ, ୫-ଟି ସଚିବଙ୍କ ସମେତ ଜିଲ୍ଳାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ବିଭିନ୍ନ ସମୟରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଅପରାଧୀ ଓ ଅଭିଯୁକ୍ତଙ୍କୁ ସହଯୋଗ କରୁଥିବା ଅଭିଯୋଗ କରି ସମସ୍ତ ମାମଲାର ନିରପେକ୍ଷ ତଦନ୍ତ ସହ ଦୋଷୀ ଅଧିକାରୀଙ୍କୁ ଆଇନାନୁସାରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି। ମଙ୍ଗଳବାର ସକାଳେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର ପ୍ରାୟ ୫୦ରୁ ଊର୍ଦ୍ଧ୍ବ କର୍ମକର୍ତ୍ତା ଓ ସଦସ୍ୟ ହାତରେ ବ୍ୟାନର, ପ୍ଲାକାର୍ଡ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ସେମାନେ ବିକ୍ଷୋଭ କରିବା ପରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

ବିଶ୍ୱ ହିନ୍ଦୁ ପରିଷଦର ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ପ୍ରଦୀପ କୁମାର ସ୍ୱାଇଁ କହିଛନ୍ତି ଯେ, ନିକଟରେ ଖୋର୍ଦ୍ଧା ଟାଉନ ଥାନାରେ ରୁଜୁ ହୋଇଥିବା ନଂ. ୩୨୦/୨୦୨୩ ମାମଲାରେ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ଅଭିଯୁକ୍ତ ବିରୋଧରେ ପଦକ୍ଷେପ ନେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ପୂର୍ବରୁ ଖୋର୍ଦ୍ଧା ୧୨ ନମ୍ବର ୱାର୍ଡ଼ରେ ଜଣେ ହିନ୍ଦୁ ମହିଳାଙ୍କୁ ବାଂଲାଦେଶୀ ମୁସଲିମ ମିସ୍ତ୍ରି ଦୁଷ୍କର୍ମ ଘଟଣାରେ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଏ ସଂକ୍ରାନ୍ତରେ ନଂ.୬୬/୨୦୨୩ରେ ରୁଜୁ ହୋଇଥିବା ମାମଲାକୁ ରଫା ଦଫା କରିବାକୁ ଉଦ୍ୟମ କରିଥିଲେ।

ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଅଣ କଲେଜ ଯୁବକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିଲେ ମଧ୍ୟ ଟାଉନ ଥାନା ପୁଲିସ କୌଣସି ପଦକ୍ଷେପ ନନେବା ସାଧାରଣରେ ପୁଲିସର ବିଶ୍ୱସନୀୟତା ଓ ନିରପେକ୍ଷତା ପ୍ରତି ସନ୍ଦେହ ସୃଷ୍ଟି ହୋଇଛି। ଏଣୁ ଅଭିଯୁକ୍ତଙ୍କୁ ଏଭଳି ସହାୟତା ଦେବା ଘଟଣାରେ ଜଣେ ଡିଏସପି ସ୍ତରର ଅଧିକାରୀଙ୍କ ଦ୍ବାରା ନିରପେକ୍ଷ ତଦନ୍ତ କରାଯିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏନେଇ ଆଇନମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ସମ୍ବନ୍ଧିତ ଖବର