ବରଗଡ଼: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବରଗଡ଼ ଜିଲ୍ଲା ବାଉଲ୍ସିଂହାସ୍ଥିତ ବିପିସିଏଲ୍ର ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟ ପରିଦର୍ଶନ କରିବା ସହ ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ବର୍ତ୍ତମାନ ପ୍ଲାଣ୍ଟ କାମ ୭୦ ପ୍ରତିଶତ ଉପରେ ଶେଷ ହୋଇଛି। ସୁରୁଖୁରୁରେ ସବୁକାମ ଚାଲିଲେ ଚଳିତବର୍ଷ ଶେଷସୁଦ୍ଧା ପ୍ଲାଣ୍ଟରୁ ଉଭୟ ୧-ଜି ଏବଂ ୨-ଜି ଇଥାନଲ୍ ଉତ୍ପାଦନ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ କଳ୍ପନାରେ ପ୍ରାୟ ୧୬୦୭ କୋଟି ଟଙ୍କା ବ୍ୟୟରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି। ପ୍ରାୟ ୭୦ ଏକର ପରିମିତ ଜମିରେ ପ୍ରତିଷ୍ଠା ହେଉଥିବା ଏହି ପ୍ଲାଣ୍ଟ ଦୈନିକ ୨୦୦ କିଲୋଲିଟର ଇଥାନଲ ଉତ୍ପାଦନ କରିବ। ନଡ଼ା, ବଳକା ଓ ଖରାପ ଚାଉଳରୁ ଇଥାନଲ ପ୍ରସ୍ତୁତ ହେବ। ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବଲାଙ୍ଗୀର ସମେତ ଆଖପାଖ ଅଞ୍ଚଳର ଚାଷୀଙ୍କ ଆୟକୁ ବୃଦ୍ଧି କରିବାରେ ଏହି ପ୍ଲାଣ୍ଟ ସହାୟକ ହେବ। ସ୍ଥାନୀୟ ଅଞ୍ଚଳରେ ରୋଜଗାର ଓ ସ୍ୱରୋଜଗାରର ସୁଯୋଗ ସୃଷ୍ଟିହେବ। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ପ୍ଲାଣ୍ଟ ସବୁଜ ଇନ୍ଧନକୁ ପ୍ରୋତ୍ସାହନ ଦେବ। ଆଗାମୀଦିନରେ ସୁବର୍ଣ୍ଣପୁର ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଇଥାନଲ ପ୍ଲାଣ୍ଟ ସ୍ଥାପନ କରାଯିବ ବୋଲି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ।ସମୀକ୍ଷା ବେଳେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ପ୍ଲାଣ୍ଟର କାର୍ଯ୍ୟକାରୀ ନିର୍ଦ୍ଦେଶକ ସଂଜୀବ ପଲ୍ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
‘ଗୋଟିଏ ପରିବାର ହାତରେ ୨୮ବର୍ଷ ଶାସନ’
ବରଗଡ଼: ଓଡ଼ିଶାରେ ଗୋଟିଏ ପରିବାର ହାତରେ ପୂର୍ବର ୫ବର୍ଷ ଏବଂ ବର୍ତ୍ତମାନର ୨୩ବର୍ଷକୁ ମିଶାଇଲେ ୨୮ବର୍ଷର ଶାସନ ରହିଛି। ମାତ୍ର, ଏହି ଶାସନକାଳରେ ପଛୁଆ ଜାତି ସବୁଠୁ ଖରାପ ଅବସ୍ଥାରେ ଅଛି ବୋଲି ପାଇକମାଲ ନୃସିଂହନାଥଠାରେ ‘ବାବା ବିଶାଶହେ କୁଳ କୁଲତା ସମାଜ ଯୁବ ସଂଗଠନ’ର ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ଭୋଗ ମଣ୍ଡପର ଶିଳାନ୍ୟାସ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହା କହିଛନ୍ତି।
‘ପଦ୍ମପୁରକୁ ପ୍ରତିଶ୍ରୁତି କୁଆଡ଼େ ଗଲା?’
ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ, ଏହି ପ୍ରତିଶ୍ରୁତି କୁଅାଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପାଇକମାଲ ନୃସିଂହନାଥ ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ ରେ ଯୋଗଦେବା ଅବସରରେ ସେ ଏହି ପ୍ରଶ୍ନ ଉଠାଇବା ସହିତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷ ଶାସନର ବିଭିନ୍ନ ସଫଳତା ବଖାଣିଥିଲେ।