ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ କୁଳପତି ଭୁବନେଶ୍ବର ଏମ୍ସର ଇନ୍‌ଷ୍ଟିଚ୍ୟୁଟ୍‌ ବଡ଼ି ମେମ୍ବର ମନୋନୀତ

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ, ବାରିପଦାର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି। ବିଶ୍ବବିଦ୍ୟାଳୟର କୁଳପତି ତଥା ବିଶିଷ୍ଟ ଶିକ୍ଷାବିତତ ପ୍ରଫେସର କିଶୋର କୁମାର ବସାଙ୍କୁ ଏମ୍‌ସ ଭୁବନେଶ୍ବରର ଇନ୍‌ଷ୍ଟିଚ୍ୟୁଟ୍‌ ବଡ଼ି ମେମ୍ବର ଭାବେ ମନୋନୀତ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଦ୍ଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି ଏନେଇ ଏମ୍‌ସ ଭୁବନେଶ୍ବର ପକ୍ଷରୁ ଶ୍ରୀ ବସାଙ୍କୁ ପତ୍ର ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି। ଚଳିତ ମାସ ୧୯ରେ ଭାରତ ସରକାର ଗେଜେଟ୍‌ ଅଫ୍‌ ଇଣ୍ଡିଆରେ ମଧ୍ୟ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯାହାକି ମୟୂରଭଞ୍ଜ ପାଇଁ ଏକ ବିରଳ ସଫଳତା ବୋଲି ବିବେଚନା କରାଯାଉଛି।

ଏଣିକି ଏମ୍‌ସ ଭୁବନେଶ୍ବରର ବିଭିନ୍ନ ନୀତିଗତ ନିଷ୍ପତ୍ତି ପ୍ରକ୍ରିୟାରେ ଶ୍ରୀ ବସା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଧାରା ୪ ଅନ୍ତର୍ଗତ ଏମ୍‌ ଅଧିନିୟମ, ୧୯୫୬(୨୫, ୧୯୫୬) ସଂଶୋଧିତ ଏମ୍‌ସ ଅଧିନିୟମ, ୨୦୧୨(୩୭, ୨୦୧୨) ଅନ୍ତର୍ଗତ କେନ୍ଦ୍ର ସରକାର ଶ୍ରୀ ବସାଙ୍କୁ ଏହି ପଦରେ ମନୋନୀତ କରିଛନ୍ତି। ଏହି ସଦସ୍ୟ ପଦ ପରେ ଶ୍ରୀ ବସାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି। ତେବେ ଏହି ସମ୍ମାନଜନକ ସଦସ୍ୟ ପଦ ମିଳିବା ବିଶ୍ବବିଦ୍ୟାଳୟର ସଫଳତା ବୋଲି ମତବ୍ୟକ୍ତ କରିଛନ୍ତି ପ୍ରଫେସର ବସା। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି ଭାବେ ମୋତେ ଏହି ସଦସ୍ୟ ପଦ ମିଳିଥିବାରୁ ବେଶ୍‌ ଖୁସି ଲାଗୁଛି ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରୁ ନଥିଲେ ମଧ୍ୟ ନିଜର ଅଧ୍ୟବସାୟ ଏବଂ ଦକ୍ଷତା ପାଇଁ ଶ୍ରୀ ବସାଙ୍କୁ ଏହି ପଦ ମିଳିଥିବାରୁ ମୟୂରଭଞ୍ଜ ପାଇଁ ଏହା ଏକ ଖୁସିର ବିଷୟ ବୋଲି ମତ ପ୍ରକାଶ ପାଇଛି। ଡ. ଇଶାନ ପାତ୍ରଙ୍କ ସ୍ଥାନରେ ପ୍ରଫେସର ବସା ଏହି ଦାୟିତ୍ବ ତୁଲାଇବେ।

 

ସମ୍ବନ୍ଧିତ ଖବର