ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୬୪ତମ ସାମ୍ବତ୍ସରିକ ଉତ୍ସବ

ଉଚ୍ଚତମ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଡଃ. ଅରଜିତ ପାଶାୟତଙ୍କୁ ପ୍ରାଣନାଥ ସମ୍ମାନ ଓ ଅଧ୍ୟାପକ ବିଶ୍ୱରଞ୍ଜନଙ୍କୁ ମଞ୍ଜରୀଦେବୀ ସାହିତ୍ୟ ସମ୍ମାନ

ଖୋର୍ଦ୍ଧା: ଆଜି ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ୬୪ତମ ସାମ୍ବତ୍ସରିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳିତବର୍ଷର ପ୍ରାଣନାଥ ସମ୍ମାନ ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ଡଃ. ଅରଜିତ ପାଶାୟତଙ୍କୁ ପ୍ରାଣନାଥ ସମ୍ମାନ ଓ ଅଧ୍ୟାପକ ବିଶ୍ୱରଞ୍ଜନଙ୍କୁ ମଞ୍ଜରୀଦେବୀ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଛି। ପ୍ରାଣନାଥ ସମ୍ମାନ ଗ୍ରହଣ କରିବା ପରେ ଡଃ. ପାଶାୟତ ନିଜ ଅଭିଭାଷଣରେ ଖୋର୍ଦ୍ଧା କୋର୍ଟକୁ ଜଣେ ଆଇନଜୀବୀ ଭାବେ ଆସିଥିବା ସମୟର ସ୍ମୃତିଚାରଣ କରିଥିଲେ।

ସମ୍ବିଧାନର ଧାରା ୨୦ ଅନୁସାରେ ଦେଶର ପ୍ରତ୍ୟେକ ନାଗରିକ ସମ୍ମାନର ସହ ଜୀବନଧାରଣ କରିବାର ଯେଉଁ ଅଧିକାର ରହିଛି ସେନେଇ ଆଲୋଚନା କରିଥିଲେ। ଏହାସହ ପ୍ରାଣନାଥ ପଟ୍ଟନାୟକ ଓ ତାଙ୍କ ସାଥୀମାନେ ଦେଶର ସ୍ୱାଧୀନତା ସଂଗ୍ରାମ ହେଉ କିମ୍ବା ସାଧାରଣ ଲୋକଙ୍କ ସମ୍ମାନର ସହ ବଞ୍ଚିବାର ଅଧିକାର ପାଇଁ ଯେଉଁ ସଂଗ୍ରାମ କରିଛନ୍ତି ତାହା ଉଲ୍ଲେଖନୀୟ ବୋଲି କହିଥିଲେ। ମଞ୍ଜରୀଦେବୀ ସମ୍ମାନ ଗ୍ରହଣ କରି ଅଧ୍ୟାପକ ବିଶ୍ୱରଞ୍ଜନ ନିଜର ୬୦ଦଶକର ଛାତ୍ର ଜୀବନ ଓ ପ୍ରାଣନାଥ ମହାବିଦ୍ୟାଳୟ ସହ ସମ୍ପର୍କର ସ୍ମୃତିଚାରଣ କରି କହିଥିଲେ ଯେ ସେ ସମୟରେ ସେ ଆନ୍ତଃ ମହାବିଦ୍ୟାଳୟ ପୁରସ୍କାର ଗ୍ରହଣ କରିଥିଲେ ବର୍ତମାନ ପୁଣି ୬୦ ବର୍ଷ ପରେ ଏଠାରୁ ସମ୍ମାନ ଗ୍ରହଣ କରିଛନ୍ତି, ଏହା ତାଙ୍କ ପାଇଁ ବଡ଼ ସମ୍ମାନ। ଜଣେ ଶିକ୍ଷକ ଭାବେ ସେ ବୃତ୍ତି ଗ୍ରହଣ କରିଥିବାରୁ ସେ ନିଜକୁ ଧନ୍ୟ ମନେ କରନ୍ତି। ଜଣେ ଶିକ୍ଷକର ଧର୍ମ ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ଜଣେ ଉତ୍ତମ ଶିକ୍ଷକ ଆଜୀବନ ଶିଖାଏ ଓ ନିଜେ ଶିଖେ। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅଧ୍ୟକ୍ଷତା କରିଥିଲେ।

ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ାର ବିଧାୟକ ଶଶିଭୂଷଣ ବେହେରା ଯୋଗ ଦେଇ ମହାବିଦ୍ୟାଳୟର ବିକାଶ ପାଇଁ ସେ ଉଭୟ ବିଧାୟକ ଓ ସାଂସଦ ଥିବା ବେଳେ ତାଙ୍କର ଯୋଗଦାନ ସ୍ମରଣ କରି ଏହାକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ଉଚିତ ବୋଲି ମତ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ମଞ୍ଚାସୀନ ଥିଲେ। ଏହି ଅବସରରେ ତିନିଜଣ କୃତୀ ଛାତ୍ରଛାତ୍ରୀ- ବିଜ୍ଞାନ ବିଭାଗର ଲିଜୁ ସାମଲ, କଳା ବିଭାଗର ପୂଜା ବାରିକ, ବାଣିଜ୍ୟ ବିଭାଗର ବର୍ଣ୍ଣବାସ ପ୍ରଧାନ ଏବଂ ୭ଜଣ ପୁରାତନ ଛାତ୍ରଛାତ୍ରୀ- ଜିଲ୍ଲାଜଜ୍ ଲଳିତେନ୍ଦୁ ଜେନା, ଅବସରପ୍ରାପ୍ତ କମିସନର ମନମୋହନ ମିଶ୍ର, କଳାକାର କୃଷ୍ଣଚନ୍ଦ୍ର ମିଶ୍ର, ଡାକ୍ତର ରାଜକିଶୋର ଜେନା, ସମୟବାୟ ବ୍ୟାଙ୍କ ପରିଚାଳନା କମିଟି ସଭାପତି ଅଭିଷେକ ସିଂହସାମନ୍ତ, ସମାଜର ସହସମ୍ପାଦକ ସୁଜିତ ମିଶ୍ର, ଫୋଟଗ୍ରାଫର ଦୁର୍ଯ୍ୟୋଧନ ଜେନାଙ୍କୁ ସମ୍ମାନିତ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ଅଜନ୍ତା ଶତପଥୀ ସ୍ୱାଗତଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଧ୍ୟାପକ ଶୁଭେନ୍ଦୁ ମହାନ୍ତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର