ଖୋର୍ଦ୍ଧା: ଉଚ୍ଚ ଶିକ୍ଷା ପାଇଁ ଘରୁ ଗୋଡ଼ ବାହାରକୁ କାଢ଼ିବାକୁ ପଡ଼ିବ। ଏହି ସମୟରେ ପିତା-ମାତାଙ୍କ ଆକଟ, ପରାମର୍ଶ ଓ ପ୍ରତ୍ୟକ୍ଷ ସହାୟତା ନଥିବ। ନିଜର ଲକ୍ଷ୍ୟ ପଥରେ ନିଜକୁ ନିଜେ ହିଁ ନିୟନ୍ତ୍ରଣ କରି ଆଗକୁ ବଢ଼ିବାକୁ ପଡ଼ିବ। ଏହି ଘଡ଼ିସନ୍ଧି ମୁହୂର୍ତରେ ନିଜକୁ ମାର୍ଗଦର୍ଶନ ଦେବା ପାଇଁ ସବୁଠାରୁ ଉତ୍କୃଷ୍ଟ ଉପାୟ ହେଉଛି, ଦିନର କୌଣସି ସମୟରେ ନିଜର ବାପା-ମା’ଙ୍କୁ କିଛି ସମୟ ମନେ ପକାଇବା। ଏହାଦ୍ବାରା ବିଶୃଙ୍ଖଳିତ ମନ ଶୃଙ୍ଖଳିତ ହେବ, ନିଜର ଚରିତ୍ର ନଷ୍ଟ ହେବନାହିଁ ବୋଲି ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟ ଠାରେ ଥିବା କନକମଞ୍ଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟ (କେଏମ୍ବିବି)ର ନୂତନ ଛାତ୍ରଛାତ୍ରୀଙ୍କ ଅନୁସ୍ଥାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ୟୁନିର୍ଭସିଟି ଅଫ୍ ଟେକ୍ନଲୋଜିକାଲ ରିସର୍ଚ୍ଚ (ଓୟୁଟିଆର୍)କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳ ପରାମର୍ଶ ଦେଇଛନ୍ତି।
ନିଜ ଅଭିଭାଷଣରେ ପ୍ରଫେସର ବିଶ୍ବାଳ କହିଥିଲେ ଯେ, କାହାରି ଚାପରେ ପାଠ ପଢ଼ା ଭଲ ହୁଏନାହିଁ କି ଏହାଦ୍ବାରା ଜୀବନ ଗଠନ ହୁଏନାହିଁ। ବୈଷୟିକ ଶିକ୍ଷା ଗ୍ରହଣ କରି କେବଳ ଏକ ଯନ୍ତ୍ରୀ ହେବା ପାଇଁଲକ୍ଷ୍ୟ ରଖିବା ଠିକ୍ ନୁହେଁ। ସଂଗୀତ, ଫଟୋଗ୍ରାଫୀ, କ୍ରୀଡ଼ା, ଅଭିନୟ ଆଦି ଭଳି ନିଜର ଅଭିଳାଷା ଦ୍ବାରା ମଧ୍ୟ ବୃତ୍ତି ନିର୍ଦ୍ଧାରଣ କରିହେବ। ନୂତନ ଶିକ୍ଷାନୀତି, ଆଞ୍ଚଳିକ ଭାଷାରେ ବୈଷିୟକ ଓ ଡାକ୍ତରୀ ଶିକ୍ଷା ଆଦି ସମ୍ପର୍କରେ ଆଲୋଚନା କରି ଏକ ବିଦ୍ୟାର୍ଥୀ ନିଜ ଜୀବନକୁ ଶୃଙ୍ଖଳା ଓ ସମୟାନୁବର୍ତିତା ଶିକ୍ଷା କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ସେହିଭଳି ସମ୍ମାନିତ ଅତିଥି ଭାବେ ସିଏସ୍ଏମ୍ ଟେକ୍ନଲୋଜିର ମୁଖ୍ୟ ଡାଟା ଅଧିକାରୀ ନୀଳାବ୍ଧି ସାମନ୍ତରାୟ ନିଜର ସଂକ୍ଷୀପ୍ତ ତଥାପି ଉପାଦେୟୀ ବକ୍ତବ୍ୟରେ କହିଥିଲେ ଯେ କିଏ, କେଉଁଠାରୁ ଆସିଛି ତାହା ଗୁରୁତ୍ବ ରଖେନାହିଁ, ଜ୍ଞାନ ଓ ଜ୍ଞାନୀ ହିଁ ସବୁଠାରେ ସମ୍ମାନ ପାଏ। ଜ୍ଞାନ ହିଁ ସବୁଠାରେ ଜିଜେ। ପାଠ ପଢ଼ିବା ପ୍ରତି ମନଯୋଗ ଓ ପରିଶ୍ରମ ହିଁ ବିଦ୍ୟାର୍ଜନରେ ସଫଳତାର ମୂଳମନ୍ତ୍ର। କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ସମ୍ପର୍କରେ ଆଲୋଚନା କରି ଏହାଦ୍ବାରା ନିଯୁକ୍ତ ହ୍ରାସ ପାଇବ ବୋଲି ଭାବିବା ଭୁଲ ବୋଲି କହିଥିଲେ।
ଏକ ସର୍ଭେରେ ଏହାଦ୍ବାରା ଯେତିକି ନିଯୁକ୍ତି ହ୍ରାସ ପାଇବ ସେହି ସଂଖ୍ୟା ଠାରୁ ୭୫ ନିୟୁତ ଅଧିକ ନିଯୁକ୍ତି ସୃଷ୍ଟି କରିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଅନୁଷ୍ଠାନର ଅଧ୍ୟକ୍ଷ, ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଏହି ଯେଉଁ ଶିକ୍ଷାର ୪ ବର୍ଷ ଏହା ସବୁଠାରୁ ମୂଲ୍ୟବାନ। ଏହାଦ୍ବାରା ନିଜର ଭବିଷ୍ୟତ ଜୀବନ ନିର୍ଦ୍ଧାରଣ ହୋଇଥାଏ। ବୈଷୟିକ ଶିକ୍ଷାର ସ୍ନାତକ ସମୟରେ ଘର ଛାଡ଼ି ହୋଷ୍ଟେଲରେ ରହିବାକୁ ପଡ଼େ। ଏହି ସମୟରେ ନିଜକୁ ଏକ ବୃହତ ପରିବାର ସଦସ୍ୟ ବୋଲି ମନେ କରିବା ଉଚିତ। ପରସ୍ପର ମନୋମାଳିନ୍ୟ, ବିବାଦ ତ ରହିବ କିନ୍ତୁ ଏହା ଏକ ସୀମାମଧ୍ୟରେ ରହିବାକୁ ପଡ଼ିବ। ଗୋପବନ୍ଧୁ ଓ ତାଙ୍କର ସତ୍ୟବଦୀ ବନ୍ଧୁଙ୍କ ଜୀବନର ସ୍ମୃତିଚାରଣ କରି ଶ୍ରୀପଟ୍ଟନାୟକ କହିଥିଲେ ଯେ ନିଜର ଜୀବନକାଳରେ ରାଜ୍ୟ, ଦେଶ, ଅନୁଷ୍ଠାନକୁ ଯେଉଁଭଳି ଦେଖିଥାଉ ତା’ଠାରୁ ଉନ୍ନତ ଦେଖି ମୃତ୍ୟୁଲିଭିବା ଜୀବନର ଧ୍ୟେୟ ହେବା ଉଚିତ ବୋଲି ପରାମର୍ଶ ଦେଇ
ନୂତନଛାତ୍ରଛାତ୍ରୀଙ୍କୁ ସମୃଦ୍ଧିମୟ ଶିକ୍ଷାଜୀବନର କାମନା କରିଥିଲେ।
ମହାବିଦ୍ୟାଳୟର ନିର୍ଦ୍ଦେଶକ (ପ୍ରଶାସନ) ପ୍ରଫେସର ସରୋଜ କୁମାର ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସଫଳ ଅଧ୍ୟୟନ ପାଇଁ ଆଶୀର୍ବାଦ ଦେବା ସହ ଇଂରାଜୀ ସହ ନିଜର ମାତୃଭାଷାକୁ ମଧ୍ୟ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସୌମ୍ୟଦର୍ଶନ ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ଡିଏନ୍ (ଶିକ୍ଷା) ଡଃ. ଗଣେଶ ପ୍ରସାଦ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ନୂତନ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକ, ପିତାମାତା, ମହାବିଦ୍ୟାଳୟର ଅଧ୍ୟାପକଅଧ୍ୟାପିକା, କର୍ମଚାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟର ବରିଷ୍ଠ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।