ବ୍ରହ୍ମପୁର: ‘ଓଡ଼ିଆ ଜାତିର ସ୍ବାଭିମାନ ପାଇଁ ଲଢ଼େଇ କରିବା ଏବଂ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଗଢ଼ିବାରେ ଖଲ୍ଲିକୋଟ ରାଜପରିବାରର ଅବଦାନ ଅତୁଳନୀୟ। ଗଞ୍ଜାମ ଜିଲ୍ଲାରେ ଶିକ୍ଷା ଓ କୃଷିର ବିକାଶ ଦିଗରେ ବି ମର୍ଦ୍ଦରାଜ ପରିବାରର ଅବଦାନ ରହିଛି’ ବୋଲି ‘କିସ୍‌’ ଶିକ୍ଷାନୁଷ୍ଠାନ ସମୂହର ମୁଖ୍ୟ ପୁରୋଧା ତଥା କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ କୁମାର ସାମନ୍ତ ପ୍ରକାଶ କରିଛନ୍ତି। ଖଲ୍ଲିକୋଟ ସାଂସ୍କୃତିକ ପରିଷଦର ମର୍ଦ୍ଦରାଜ ମହୋତ୍ସବ ପାଳନ କମିଟି ପକ୍ଷରୁ ପ୍ରଥମ ଥର ପାଇଁ ଆଜି ବ୍ରହ୍ମପୁରସ୍ଥିତ କେ.ସି. ପବ୍ଲିକ ସ୍କୁଲ ପରିସରରେ ରାଜବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ଡଃ. ସାମନ୍ତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳେଇ ଓ ମୁଖ୍ୟବକ୍ତା ଭାବେ ପ୍ରଫେସର୍ ବିଷ୍ଣୁଚରଣ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ। ‘ଖଲ୍ଲିକୋଟ କଲେଜର ପ୍ରତିଷ୍ଠାତା ହେଉଛନ୍ତି ମର୍ଦ୍ଦରାଜ ପରିବାର। ରାଜାସାହେବଙ୍କ ଉଦ୍ୟମରେ ଜିଲ୍ଲାରେ ଶିକ୍ଷାରେ ଉନ୍ନତି ହେବା ସହ ବହୁ ବିଦ୍ୟାର୍ଥୀ ଏଠାରୁ ଭଲ ମଣିଷ ହୋଇପାରିଛନ୍ତି। ତାଙ୍କ ଭଳି ବ୍ୟକ୍ତିତ୍ବଙ୍କୁ ସ୍ମରଣ କରିବା ଗର୍ବର ବିଷୟ’ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

Advertisment

ଏହି ଅବସରରେ ବ୍ରହ୍ମପୁର ସହରର ଏକ ରାସ୍ତା କିମ୍ବା ସାହିକୁ ମର୍ଦ୍ଦରାଜ ଦେଓଙ୍କ ନାମରେ ନାମିତ କରିବା ସହ ଇତିହାସ ପୁସ୍ତକରେ ତାଙ୍କ ବିଷୟରେ ସ୍ଥାନିତ କରାଗଲେ ଆଗାମୀ ଯୁବପିଢ଼ି ତାଙ୍କ ଜୀବନୀ ଏବଂ କୃତିତ୍ବ ବିଷୟରେ ଜ୍ଞାନ ଆହରଣ କରିପାରିବେ ବୋଲି ଐତିହାସିକ ପ୍ରଫେସର ଅଶୋକ କୁମାର ରଥ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ସାଂସଦ ଡଃ. ସାମନ୍ତଙ୍କୁ ପ୍ରଥମ ‘ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିଭଳି ବିଶିଷ୍ଟ ଐତିହାସିକ ଡ.ଅଶୋକ କୁମାର ରଥଙ୍କୁ ‘ମର୍ଦ୍ଦରାଜ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ‘ମର୍ଦ୍ଦରାଜ’ ସ୍ମରଣିକାକୁ ଉନ୍ମୋଚନ କରାଯାଇଥିଲା। ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ମହୋତ୍ସବ କମିଟିର ସଦସ୍ୟ ଡଃ. ଜଗନମୋହନ ମହାପାତ୍ର, ଅଶୋକ କୁମାର ମିଶ୍ର, ରାମଚନ୍ଦ୍ର ପାଢ଼ୀ, ପ୍ରକାଶ ଚନ୍ଦ୍ର ମିଶ୍ର, ଡଃ. ଅନନ୍ତରାମ କର, ଡଃ. ଲଲିତ କୁମାର ଦେଓ, ଡଃ. ଲକ୍ଷ୍ମୀନାରାୟଣ ରାଉତ, ଡଃ. ପ୍ରଫୁଲ୍ଲ କୁମାର ମହାନ୍ତି, ପ୍ରକାଶ ପଟ୍ଟନାୟକ, ଶ୍ରୀକାନ୍ତ ମହାପାତ୍ର, ସିଦ୍ଧାର୍ଥ ଶଙ୍କର ପାଢ଼ୀ, ହୃଷିକେଶ ପଣ୍ଡା, ରାଜେନ୍ଦ୍ର କୁମାର ବେହେରା, ସୁନୀଲ ପଟ୍ଟନାୟକ, ଏମ୍.ମୃତ୍ୟୁଞ୍ଜୟ ଆଚାରୀ, ଶ୍ରୀକାନ୍ତ କୁମାର ମହାପାତ୍ର, ଗୁପ୍ତେଶ୍ବର ଷଡ଼ଙ୍ଗୀ, ରବୀନ୍ଦ୍ରନାଥ ପଟ୍ଟନାୟକ, ଦିଲ୍ଲୀପ କୁମାର ଦାଶ, ଦେବୀ ପ୍ରସାଦ ମହାପାତ୍ର ଓ ବାୟାମନୁ ଚର୍ଚ୍ଚିଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।