ଜୟପୁର: ଓଡ଼ିଶାରେ ମୁକ, ବଧିର ଓ ପଙ୍ଗୁ ସରକାର ଚାଲିଛି। ଓଡ଼ିଶାବାସୀ ଯାହାକୁ ଭୋଟଦେଇ ଶାସନ ଗାଦିରେ ବସାଇଥିଲେ, ସେ ଆଜି ନିଜ ଛାଇକୁ ଦେଖି ଡରୁଛନ୍ତି। ଗାଁ, ପଞ୍ଚାୟତ, ବ୍ଲକ ଓ ଜିଲ୍ଲାର ଉନ୍ନତି ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଦେଉଛନ୍ତି, କିନ୍ତୁ ଶାସକ ବିଜେଡିର ନେତା, ମନ୍ତ୍ରୀ ଏବଂ ନିର୍ଦ୍ଧିଷ୍ଟ ସରକାରୀ ଅଧିକାରୀମାନେ ତାକୁ ବାଟମାରଣା କରିଛନ୍ତି। ୫୦ ପ୍ରତିଶତ ପିସି କାରବାର। ଏନେଇ ଯେଉଁ ବ୍ୟକ୍ତି ମୁହଁ ଖୋଲୁଛି ଶାସକ ଦଳର ଗୁଣ୍ଡାମାନେ ତାଙ୍କୁ ମିଥ୍ୟାରୋପ ଲଗାଇ ଜେଲ୍ ପଠାଉଛନ୍ତି। ‘ସରକାର ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି’। ଓଡ଼ିଶାରେ ଆଜି ପଞ୍ଚାୟତରାଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଥିବାବେଳେ ଗଣତନ୍ତ୍ର ବ୍ୟବସ୍ଥା ଧ୍ୱସ୍ତବିଧ୍ୱସ୍ତ ହୋଇ ପଡିଛି। ରାଜ୍ୟର ଶାସନ ବ୍ୟବସ୍ଥାରେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ବ୍ୟବସ୍ଥା ଯାହା ତଳେ ପଞ୍ଚାୟତ ନିର୍ବାଚନ ପ୍ରତିନିଧି ମାନଙ୍କ ଅବସ୍ଥା ତଦୃପ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
ଶ୍ରୀ ସାମଲ କହିଛନ୍ତି, ଓଡ଼ିଶାକୁ ମୋଦୀ ସରକାର ଅନୁଦାନ ଦେଉଛନ୍ତି। କିନ୍ତୁ ରାଜ୍ୟ ସରକାର ସେହି ଟଙ୍କାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇ ପାରୁ ନାହାଁନ୍ତି। ଫଳରେ ଗରିବ ଲୋକଙ୍କ ଆର୍ଥିକ ବିକାଶରେ ବାଧା ପହଞ୍ଚୁଛି। ଜୟପୁରରେ ଆଜି ପର୍ଯ୍ୟନ୍ତ ‘ଜାଗା ମିସନ’ର କାର୍ଯ୍ୟକାରୀ ହୋଇପାରିଲା ନାହିଁ। ରାଜ୍ୟ ସରକାର ଏହି ଅଞ୍ଚଳରେ ଶୁଦ୍ଧପାନୀୟ ଜଳ ଯୋଗାଇବାରେ ବିଫଳ। ରାଜ୍ୟରେ ୫୬ହଜାର ସ୍କୁଲରେ ପାଠପଢ଼ା ବନ୍ଦ ଓ ୪୦ଲକ୍ଷ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ କରନ୍ତୁ। ଶିକ୍ଷକମାନଙ୍କ ମୌଳିକ ଦାବି ପୂରଣ କରନ୍ତୁ। ବିଜୁ ଜନତା ଦଳର ନୈତିକ ସାହସ ଅଛି ତା’ହେଲେ ଓଡ଼ିଶାର କେଉଁ ପଞ୍ଚାୟତରେ କେତେ ଟଙ୍କାର କାର୍ଯ୍ୟ ହୋଇଛି, ତାହା ଘୋଷଣା କରନ୍ତୁ। ୨୩ବର୍ଷର ନବୀନ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗମନାଗମନ, ନିଯୁକ୍ତି ଇତ୍ୟାଦିରେ ଫେଲ ମାରିଛି।
ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଜିଲ୍ଲାଗସ୍ତ କରୁଛନ୍ତି, ଯାହା ଅତ୍ୟନ୍ତ ଚିନ୍ତାଜନକ। ସବୁଠୁ ବଡକଥା ହେଲା ନବୀନ ବାବୁ ଓଡ଼ିଶାର ଲୋକଙ୍କୁ ରୋଜଗାର ନ ଯୋଗାଇ ଅଣଓଡ଼ିଆଙ୍କୁ ଆଣି ଓଡ଼ିଶାରେ ନିଯୁକ୍ତି ଦେଉଛନ୍ତି। ଅଣଓଡ଼ିଆ ଠିକାଦାର ଓ ରାଜ୍ୟ ସରକାର ମିଳିମିଶି ଓଡ଼ିଶାକୁ ବିପଦଗାମି କରି ସାରିଲେଣି। ଓଡ଼ିଶାବାସୀ ବିଜେଡି ସରକାରର ଏକଛତ୍ରବାଦ ଶାସନକୁ ବରଦାସ୍ତ କରିବେ ନାହିଁ। ଦୁର୍ନୀତି, ଭ୍ରଷ୍ଟାଚାର ଓ ଅହଙ୍କାରରେ ବୁଡି ରହିଥିବା ବିଜେଡି ସରକାରର ବିନାଶର ସମୟ ଆସିଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି। ପ୍ରଥମେ ଜୟପୁରରେ ହିଁ ୧୯୭୭ମସିହାରେ ଜନସଂଘର ପ୍ରାର୍ଥୀ ଲାଲା ଲମ୍ବୋଧର ସିଂହ ଦେଓ ବିଧାୟକ ଭାବେ ଜିତି ଏଠାରେ ଭାରତୀୟ ଜନସଂଘର ନିଅ ପକାଇଥିଲେ। ପୂର୍ବ ଗୌରବକୁ ବଜାୟ ରଖି ଜୟପୁର ବିଧାନସଭା ଓସଂସଦୀୟ କ୍ଷେତ୍ରରେ ଏଥରକ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଥିଲେ। ପୂର୍ବଭାରତରବିକାଶ କରିବା ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ହରିଲୁଟ ହେବା ସହ ତଞ୍ଚକତା କରାଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି।
ଲଘୁବନ୍ୟ ଜାତ ଦ୍ରବ୍ୟ, ଧାନ ଆଦିର ଏମଏସପି ଦର ମିଳୁନି। ମଣ୍ଡି ଠିକରେ ଚାଳୁନି। ଏଠାକାର ଧାନ ବାହାର ରାଜ୍ୟକୁ ଚାଳାଣ ହେଉଛି। ଚାଷୀମାନେ ଧାନ ଚାଷରେ ବ୍ୟାପକ କ୍ଷତି ସହିବାକୁପଢ଼ୁଛି ବୋଲି ସଭାପତି, ଉପସଭାପତି ବିରଞ୍ଚିନାରାୟଣ ତ୍ରିପାଠୀ, ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ କହିଛନ୍ତି। କୋରାପୁଟରୁ ଜୟପୁର ରାଜ୍ୟ ସଭାପତି ପହଞ୍ଚିବା ପରେ ତାଙ୍କୁ ଜୟପୁର ବିଧାନସଭା କ୍ଷେତ୍ର ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟ ସ୍ଥାୟୀ ପରିଷଦ ସଭ୍ୟ ଗୌତମ ସାମନ୍ତରାୟଙ୍କ ନେତୃତ୍ବରେ ବାଇକ ରାଲି କରି ସହର ପରିକ୍ରମା କରାଯିବା ପରେ ସନ୍ଧ୍ୟା ଫଙ୍କସନ ହଲକୁ ସଭାପତିଙ୍କୁ ଅଣାଯାଇଥିଲା। ତାଙ୍କୁ ମହିଳାମୋର୍ଚ୍ଚାର ଜିଲ୍ଲା ଉପସଭାନେତ୍ରୀ ଅଞ୍ଜଳୀ ମିଶ୍ର ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଯୁବ ମୋର୍ଚ୍ଚା ସଭାପତି ସାବନ ମହାନ୍ତି ମଞ୍ଚକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ଜିଲ୍ଲାସଭାପତି ସୁମନ୍ତ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ମଞ୍ଚରେ ରାଜ୍ୟ ସମ୍ପାଦିକା ପୁର୍ଣ୍ଣିମା ନାୟକ, ସମ୍ପାଦକ ସରୋଜ କର, ରାଷ୍ଟ୍ରୀୟ ଆଦିବାସୀ ମୋର୍ଚ୍ଚା ସଭାପତି କାଳିରାମ ମାଝୀ, ଗଣେଶ ବେହେରା, ଜୟପୁର ମଣ୍ଡଳ ସଭାପତି ରାଧେଶ୍ୟାମ ପରିଡ଼ା ମଞ୍ଚାସୀନ ହୋଇଥିଲେ। ଜିଲ୍ଲା ବ୍ୟବସାୟୀକ ସାମ୍ମୁଖ୍ୟ ସଭାପତି ଅଶୋକ ମିଶ୍ର, ସୁରଭି ପାଣି, ସୁଷମା ଶୁକ୍ଳ ପ୍ରମୁଖ ଉପସ୍ଥିତ ଥିଲେ।