ଖୋର୍ଦ୍ଧା: ବିଦ୍ୟାଳୟର ମର୍ଯ୍ୟାଦା ରଙ୍ଗୀନ କୋଠା, ସୁଦୃଶ ଶୀତତାପନିୟନ୍ତ୍ରିତ ଶ୍ରେଣୀଗୃହରେ ନୁହେଁ। ଏହା ଉତ୍ତମ ଶିକ୍ଷକ ଦ୍ୱାରା ପ୍ରତିଷ୍ଠିତ ହୁଏ। ଜଣେ ଶିକ୍ଷକଙ୍କ ନିଜର ଛାତ୍ରଛାତ୍ରୀଙ୍କ ସାର୍ବଙ୍ଗୀଣ ଶିକ୍ଷାର ବିକାଶ ପ୍ରତି ପ୍ରତିବଦ୍ଧତା ହିଁ ବିଦ୍ୟାଳୟର ମାନ ବୃଦ୍ଧି କରାଏ ବୋଲି ଆଜି ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କେରଙ୍ଗ ଜୈତୁନ ନିସା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ, ନିଜ ଅଭିଭାଷଣରେ ଶ୍ରୀ ପଟ୍ଟନାୟକ ନେସଲନ ମଣ୍ଡେଲାଙ୍କ ଶିକ୍ଷା ସମ୍ପର୍କିତ ଉପଦେଶକୁ ସ୍ମରଣକରି ଶିକ୍ଷାର ବିକାଶ ପାଇଁ ସମସ୍ତେ ଚେଷ୍ଟିତ ହେବା ଉଚିତ ବୋଲି ମତ ଦେଇଥିଲେ। ଘରୋଇ ବିଦ୍ୟାଳୟ ଗୁଡ଼ିକ, ଯେଉଁଠି ଶିକ୍ଷକଙ୍କ ଦରମା ସରକାରୀ ଶିକ୍ଷକଙ୍କ ଠାରୁ ଅପେକ୍ଷାକୃତ କମ ସେଠାରେ କାହିଁକି ଛାତ୍ରଛାତ୍ରୀ ପରୀକ୍ଷାରେ ଭଳ ପ୍ରଦର୍ଶନ କରୁଛନ୍ତି ସେନେଇ ଆତ୍ମଅନୁଶୀଳନ କରିବା ଆବଶ୍ୟକତା ରହିଛି ବୋଲି କହିବା ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ ବିଦ୍ୟାଳୟ ପ୍ରତି ଥିବା ଋଣକୁ ଶୁଝିବାକୁ ଆହ୍ୱାନ ଦେଇଥିଲେ। ଯେଉଁ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଯେତିକି ସମୃଦ୍ଧ ସେହି ବିଦ୍ୟାଳୟ ସେତିକି ସମୃଦ୍ଧ ହୁଏ ବୋଲି କହିବା ସହ ରାଜ୍ୟ ସରକାରଙ୍କ ୫-ଟି ଅଧୀନର ମୋ ବିଦ୍ୟାଳୟ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ।
ମୁଖ୍ୟବକ୍ତା ଭାବେ ସ୍ୱନାମଧନ୍ୟ ସ୍ତମ୍ବକାର, ଲେଖକ ଜିତେନ୍ଦ୍ର ନାରାୟଣ ଦାଶ ଓରଫ ଦାଶ ବେନେହୁର ଯୋଗ ଦେଇ ପ୍ରତ୍ୟେକ ବିଦ୍ୟାଳର ଆତ୍ମା ଏହାର ଲକ୍ଷ୍ୟ ବୋଲି କହିଥିଲେ। ଇରାନର ମୁସଲିମ ସନ୍ଥ ଅବ୍ଦୁଲ କାଦିର ଗିଲାନୀଙ୍କ ଜୀବନର ସ୍ମୃତିଚାରଣ କରି ପ୍ରତ୍ୟେକ ଛାତ୍ରଛାତ୍ରୀ, ବ୍ୟକ୍ତି ନିଜ ଜୀବନରେ ସତ୍ଚରିତ୍ର ଗଠନ ଓ ପ୍ରଖର ସତ୍ୟବାଦୀ ହେବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ୪ଟି ସ୍ତମ୍ବ- ଶିକ୍ଷକ, ବିଦ୍ୟାର୍ଥୀ, ଶିକ୍ଷା ଉପକରଣ ଓ ଶିକ୍ଷାନୁଷ୍ଠାନ ମଧ୍ୟରୁ ଶିକ୍ଷକଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇ ଶିକ୍ଷକ କେବଳ ଶିକ୍ଷାଦାନ ନୁହେଁ ମଣିଷକୁ ମଣିଷ ଭଳି ଗଢ଼େ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇ କେରଙ୍ଗର ଫୁଟବଲ ଖେଳାଳୀ, ଦେଶର ପ୍ରତିରକ୍ଷା ବାହିନୀରେ ଏହାର ଯୁବକଙ୍କ ଯୋଗଦାନକୁ ପ୍ରଶଂସା କରିବା ସହ ବିଦ୍ୟାଳୟର ନୂତନ କୋଠା ଓ ପାନୀୟ ଜଳର ସମସ୍ୟାର ସମାଧାନ ପାଇଁ ନିଜ ବିଧାୟକ ହାତପାଣ୍ଠୀରୁ ସହାୟତା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଅନ୍ୟତମ ଅତିଥି ତଥା ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ ନିଜ ଅଭିଭାଷଣରେ ସର୍ବଧର୍ମ ସମନ୍ୱୟ ଓ ଭାଇଚାରାର ଭୂମି କେରଙ୍ଗ ବୋଲି ଅଭିହିତ କରିବା ସହ ବର୍ତମାନର ପରିବେଶ ପ୍ରଦୂଷଣ ଓ ଅସନ୍ତୁଳନ ରକ୍ଷା କରିବାକୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଗଛ ଲଗାଇବା ଓ ଏହାକୁ ବଂଚାଇ ରଖିବାକୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ପୂର୍ବତନ ଆଇସିଏସ୍ ଅଧିକାରୀ ଖାନ୍ ବାହଦୁର ଖାନ ଓ ତାଙ୍କ ପତ୍ନୀ ଜୈତୁନ ନିସାଙ୍କ ନାତୁଣୀ ରୋଶନାରା ଓ ଜାହାନାରା ବେଗମଙ୍କୁ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟର ପ୍ରତିଷ୍ଠାତା ଶିକ୍ଷକ ତ୍ରିବିକ୍ରମ ସାହୁଙ୍କ ସମେତ ଅନ୍ୟ ୧୦ଜଣ ପୁରାତନ ଶିକ୍ଷକ ଓ ବିଦ୍ୟାଳୟର କର୍ମଚାରୀଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କେରଙ୍ଗ କେଶରୀ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଇଂ. ରୋଶନ ଅହମ୍ମଦ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜହରୁଲ୍ ହକ୍, ପୁରାତନ ଛାତ୍ର, ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ। ସକାଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ମଶାଲ ଶୋଭାଯାତ୍ରା, କେରଙ୍ଗ ଓ ଆଖପାଖର ୧୦ଟି ସାହି ଓ ଗାଁ ପରିକ୍ରମା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/keranga-jaitun-nisha-Vidyalaya-ra-subarna-jayanti1.jpg)