ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ଦଳେଇପୁଟ ଠାରେ ଥିବା କନକମଞ୍ଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟ (କେଏମ୍ବିବି)ର ପର୍ସନାଲ୍ ଅଧିକାରୀ ସୌରଜିତ ମହାପାତ୍ରଙ୍କ ବିୟୋଗରେ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ କେଏମ୍ବିବିର ପ୍ରଶାସନିକ ନିର୍ଦେଶକ ପ୍ରଫେସର ସରୋଜ କୁମାର ପଣ୍ଡା, ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ଭାବନୀ ପ୍ରସନ୍ନ ପଟ୍ଟନାୟକ, ଆକାଉଣ୍ଟ ପରିଚାଳକ କାବୁକି ମହାରଣା, ଇଷ୍ଟେଟ୍ ଅଧିକାରୀ ଶୁଭ୍ରନାରାୟଣ ଷଡ଼ଙ୍ଗୀ, ଆକାଉଣ୍ଟ ଅଧିକାରୀ ଲକ୍ଷ୍ମୀକାନ୍ତ ଦାସ, ମେକାନିକାଲ୍ ବିଭାଗର ମୁଖ୍ୟ ଡଃ. ଅଜୟ କୁମାର ସାହୁ, ସିଭିଲ୍ ବିଭାଗର ମୁଖ୍ୟ ଡଃ. ଦେବଦତ୍ତ ଜେନା, ବିଦ୍ୟୁତ୍ ବିଭାଗର ମୁଖ୍ୟ ଡଃ. ଗଣେଶ ପ୍ରସାଦ ଖୁଣ୍ଟିଆ, କଂମ୍ପ୍ୟୁଟର ବିଜ୍ଞାନ ବିଭାଗର ମୁଖ୍ୟ ମନମୋହନ ସାହୁ, ବୈଦ୍ୟୁତିକ ଓ ଯୋଗାଯୋଗ ବିଭାଗର ମୁଖ୍ୟ ପ୍ରକାଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ।
ସୌରଜିତ ୨୦୧୯ରୁ ମହାବିଦ୍ୟାଳୟରେ ପର୍ସନାଲ୍ ବିଭାଗର ଅଧିକାରୀ ଭାବେ କାର୍ଯ୍ୟାରମ୍ଭ କରିଥିଲେ। କିନ୍ତୁ ଅଳ୍ପଦିନ ମଧ୍ୟରେ ନିଜର କର୍ମଠ, ଶୃଙ୍ଖଳିତ ଓ ମେଳାପୀ ସ୍ୱାଭବ ଯୋଗୁଁ ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ। ଏଭଳି ଜଣେ କର୍ମଚାରୀଙ୍କ ବିୟୋଗ ମହାବିଦ୍ୟାଳୟ ପାଇଁ ଏକ ବଡ଼ କ୍ଷତି ବୋଲି ପ୍ରାଶାସନିକ ନିର୍ଦେଶକ ଶ୍ରୀ ପଣ୍ଡା କହିଥିଲେ। ସୂଚନାଯୋଗ୍ୟ, ଜୁନ୍ ୨୯ ତାରିଖ ରାତିରେ ସୌରଜିତ ନିଜର ଜଣେ ଅସୁସ୍ଥ ସମ୍ପର୍କୀୟଙ୍କୁ ଆମ୍ବୁଲାନ୍ସରେ ନେବା ସମୟରେ ତାଙ୍କୁ ସହାୟତା କରିବାକୁ ପଛରେ ମୋଟରସାଇକଲରେ ଯିବା ବେଳେ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ଘଟିଥିଲା। ସେ ବର୍ଷକ ପୂର୍ବେ ବିବାହ କରିଥିବା ବେଳେ ତାଙ୍କର ବାପା-ମା, ପତ୍ନୀ ଓ ୧୦ମାସର ପୁତ୍ରସନ୍ତାନ ରହିଛି।