କୋରାପୁଟ: ସ୍ଥାନୀୟ ବିଜ୍ଞାନ ଅନ୍ତର୍ଜାତୀୟ ମହାବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବସେବା ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର କୋରାପୁଟ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକା ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ‘ଯୁବ ଗୋଷ୍ଠୀ ରାଷ୍ଟ୍ର ନିର୍ମାଣର ମୁଖ୍ୟ ବିନ୍ଧାଣି’ ବୋଲି ଅଭିହିତ କରିବା ସହିତ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠୋର ତପସ୍ୟା କରିବାକୁ ପଡ଼ିଥାଏ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ। ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ହରିଶ ରୁପାଲ ଯୁବ ଉତ୍ସବ ସମ୍ପର୍କରେ ବିସ୍ତ୍ରୁତ ସୂଚନା ପ୍ରଦାନ କରିଥିଲେ। ଲେଖାପାଳ ତଥା କାର୍ଯ୍ୟକ୍ରମ ତତ୍ବାବଧାରକ ଦ୍ଵିତୀୟ ବାଞ୍ଚୁର ଭାରତ ସରକାରଙ୍କ ପଞ୍ଚ ପ୍ରାଣ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ଓ ବିଭିନ୍ନ ବ୍ଳକର ଯୁବକ ଯୁବତୀ ମାନଙ୍କୁ ନେଇ ସାଂସ୍କୃତିକ, ବକୃତା, କବିତା ଲେଖନ, ମୋବାଇଲ ଚିତ୍ର ଉତ୍ତୋଳନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମ୍ମାନିତ ଅତିଥି ରୂପେ କୋରାପୁଟ ପୈରପରିଷଦ ପୈରଦକ୍ଷ ଲଲାଟ ରଞ୍ଜନ ସେଠୀ, ବିଜ୍ଞାନ ଅନ୍ତର୍ଜାତୀୟ ମହାବିଦ୍ୟାଳୟ କୋରାପୁଟ ପ୍ରତିଷ୍ଠାତା ଇଂ. ସୁବ୍ରତ ମିଶ୍ର, ଉପ ନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ଓ ମୁଖ୍ୟ ବକ୍ତା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ସମ୍ବାଦ ଓ ଗଣଯୋଗାଯୋଗ ବିଭାଗ ବରିଷ୍ଠ ସହକାରୀ ପ୍ରାଧ୍ୟାପକ ସୌରଭ ଗୁପ୍ତା ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ସ୍ମୃତି ଚିହ୍ନ ପ୍ରଦାନ କରିଥିଲେ। ଅଧ୍ୟାପକ କିଶୋର ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଅଧ୍ୟାପକ ସୈମେନ୍ଦ୍ର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।