ରାୟଗଡା: ରାୟଗଡ଼ା ସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ ରହିଥିବା ସଭାଗୃହରେ କିଟ୍‌ ଓ କିସ୍‌ ତରଫରୁ ପ୍ରତିବର୍ଷ ମେ ୧୭ ତାରିଖରେ ଆୟୋଜିତ ହେଉଥିବା ସାହାଯ୍ୟକାରୀଙ୍କୁ ସାହାଯ୍ୟ କାର୍ଯ୍ୟକ୍ରମର ୧୦ବର୍ଷ ପୂର୍ତ୍ତି ଅବସରରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ଡିଆଇଭିର ଡିଏସପି, ସିଡିଏମଓ କାର୍ଯ୍ୟାଳୟର କର୍ମକର୍ତ୍ତା, ବ୍ଲକ ଉପାଧ୍ୟକ୍ଷ ହର ହେପ୍ରୁକା, ଅମୂଲ୍ୟରତ୍ନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଗତ ୨୦୧୩ ମସିହା ମେ ୧୭ ତାରିଖରେ ସାହାଯ୍ୟକାରୀଙ୍କୁ ସାହାଯ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଚଳିତବର୍ଷ ୧୦ବର୍ଷ ପୂର୍ତ୍ତି ଅବସରରେ ୧୨୦ ଦେଶରେ ଏବଂ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

Advertisment

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଉପାୟରେ ଜନସାଧାରଣଙ୍କୁ ସାହାଯ୍ୟ ଓ ସହଯୋଗ କରିଆସୁଥିବା ବିଭିନ୍ନ ବର୍ଗର ଲୋକଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ସେଥିମଧ୍ୟରୁ ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଟୋ ରିକ୍ସା ଚାଳ, ଟ୍ରିଫିକ ପୁଲିସ, ଆମ୍ବୁଲେନସ ଚାଳକ, ସଫେଇ କର୍ମଚାରୀ ଅନ୍ୟତମ। ମୁଖ୍ୟ ଅତିଥି ଭାସ୍କର ରାଓ କିଟ ଓ କିସର ପ୍ରତିଷ୍ଠାତା ଡଃ. ଅଚ୍ୟୁତ ସାମନ୍ତଙ୍କ ସହ ବିତାଇଥିବା ବହୁ ସ୍ମରଣୀୟ ସ୍ମୃତିକୁ ମନେ ପକାଇଥିଲେ। ତାଙ୍କର ଏଭଳି ସମଜସେବା କାର୍ଯ୍ୟକୁ ପ୍ରଶଂସା କରିବା ସହ ତାଙ୍କର ପିଲାଙ୍କ ପ୍ରତି ରହିଥିବା ଅଗାଢ ପ୍ରେମକୁ ମଧ୍ୟ ମନେ ପକାଇଥିଲେ। ହଜାର ହଜାର ଶିଶୁ ଆଜି ତାଙ୍କ ନିକଟରେ ଋଣି ବୋଲି କହିଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାର ହଜାର ହଜାର ପିଲା କିଟ ଓ କିସରେ ପାଠ ପଢି ବଡ ମଣିଷ ହୋଇ ପାରିଛନ୍ତି। ତେଣୁ ସମସ୍ତଙ୍କୁ ଅସହାୟଙ୍କ ପ୍ରତି ସହଯୋଗ ରହିବା ଉଚିତ ବୋଲି କୁହାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କିସର ସଂଯୋଜକ ରୋନିତ ଶବର ପରିଚାଳନା କରିଥିଲେ।