ମାଲକାନଗିରି: ଚାଲିଛି ଖୁଲମଖୁଲା ଗଞ୍ଜେଇ ଚାଷ ଆଉ ବେପାର। କିଏ ଗଞ୍ଜେଇ ଗଛରେ ସାର ପ୍ରୟୋଗ କରୁଛି ତ ଆଉ କିଏ ପତ୍ର ଓ ମଞ୍ଜିକୁ ଆଲଗା କରୁଛି।ଗଂଜେଇକୁ ଶୁଖାଇ ମାଡି ମକଚି ଏକାଠି କରିବା ପରେ ପୋଲିଥିନରେ ପ୍ୟାକିଂ ହେଉଛି।ଆଉ ମଧ୍ୟସ୍ଥିଙ୍କ ଜରିଆରେ ମାଫିଆ ତଥା ବ୍ୟବସାୟୀଙ୍କ ସହ ମୂଲଚାଲ ପରେ ଗାଡି ଲାଗୁଛି ଘର ଦ୍ବାରରେ। ଏଭଳି ବେଧଡକ ଚାଲିଛି ଗଞ୍ଜେଇ ବେପାର।ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳରେ ବେଲଗାମ ଭାବେ ହେଉଛି ଏହି ବେଆଇନ କାରବାର। କିଛି କ୍ଷେତ୍ରରେ ନକ୍ସଲଙ୍କର ଆର୍ଶିବାଦ ରହୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ପୁଲିସ ଏବଂ ଅବକାରୀ କର୍ମଚାରୀ ମାଫିଆଙ୍କ ସହ ହାତ ମିଳାଇ ବେପାରକୁ ପ୍ରୋତ୍ସାହିତ କରୁଛନ୍ତି। ରାତାରାତି କୋଟିପତି ହୋଇଯିବା ନିଶାରେ ସମସ୍ତେ ମୁହାଉଛନ୍ତି ଏହି ନିଶା ବେପାର ଆଡକୁ।ବିଶେଷକରି ପାଠ ପଢି ଭଲ ମଣିଷ ହେବାର ସ୍ବପ୍ନ ଦେଖିବା ବଦଳରେ ଯୁବ ସମାଜ ଏହି ସବୁଜ ଚାଷରେ ମାତି ବିପଥାଗାମୀ ହେବାରେ ଲାଗିଛି।
Advertisment
ବିଛିନ୍ନାଞ୍ଚଳରେ ଜୀବନ ଜୀବିକା ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ଗଲାବେଳେ ସେଠାରେ ଦେଖିବାକୁ ମିଳିଥିଲା ଅବିଶ୍ବସନୀୟ ଚିତ୍ର।ଚାଷ ଜମି ଠାରୁ ଆରମ୍ଭ କରି ଜଂଗଲ ଜମି ସବୁଜ ରଂଗରେ ହସି ଉଠୁଥିଲା।ପାଖକୁ ଯାଇ ଦେଖିଲା ବେଳକୁ ଆଖିକୁ ବିଶ୍ବାସ ହୋଇନଥିଲ।ଶହ ଶହ ଏକର ସବୁଜ କ୍ଷେତରେ ଅନ୍ୟ କିଛି ନୁହେଁ ବୋଇଥିଲା ଗଂଜେଇ ଚାଷ।କେତେକ ଚାଷୀ ଗଂଜେଇ ଗଛରେ ସାର ପ୍ରୟୋଗ କରୁଥିବା ଦେଖିବାକୁ ମିଳିଥିଲା।ଜନବସତି ଅଂଚଳକୁ ଗଲାବେଳେ ଗଂଜେଇ ଅମଳ କାର୍ୟ୍ୟରେ ଉଭୟ ମହିଳା ଏବଂ ପୁରୁଷ ଲାଗିଥିବା ଦେଖିବାକୁ ମିଳିଥିଲା।କିଏ ଗଂଜେଇ ଗଚରୁ ପତ୍ରକୁ ଅଲଗା କରୁଥିଲା,ତ ଆଉ କିଏ ଏହାକୁ ବିଛାଇ ଗୋଡରେ ମାଡୁଥିଲା।ଏହି ନିଷିଦ୍ଧ କାର୍ୟ୍ୟ ନିର୍ଭୟର ସହ ଘର ବାରଣ୍ଡାରେ କରୁଥିଲେ।ପୁଲିସ କିମ୍ବା ଅବକାରୀ ଚଢାଉର ଆଶଂକା ରହିଥିଲେ ମଧ୍ୟ ଏହି ଲୋକମାନେ ବେଫିକର ଥିଲେ।ଫଟୋ ଉତ୍ତୋଳନ ବେଳେ ନିଜକୁ ଭୟ ଲାଗୁଥିଲେ ମଧ୍ୟ ଏହି କାର୍ୟ୍ୟ କରୁଥିବା ଲୋକେ ବାରଣ ମଧ୍ୟ କରୁନଥିଲେ।ସତେ ଯେମିତି ଅନ୍ୟ ଚାଷ ଭଳି ଗଂଜେଇ ମଧ୍ୟ ଏହି ଦୁର୍ଗମ ଅଂଚଳବାସୀଙ୍କ ପାରଂପାରିକ ବେଉସା ପାଲଟିଯାଇଛି।ପରିବାରର ସବୁ ସଦସ୍ୟ ଏହି କାମରେ ନିୟୋଜିତ ହେଉଛନ୍ତି।ଏହି ଚାଷରେ ବିପର୍ୟ୍ୟୟ ଅର୍ଥ ରହିଥିବା ଏବଂ ଚାଷ ପାଇଁ ସବୁକିଛି ଅଗ୍ରୀମ ମିଳୁଥିବାରୁ ଲୋକେ ମଧ୍ୟ ଧାନ,ମାଣ୍ଡିଆ,କଳଥ,ହଳଦୀ ଚାଷ ବଦଳରେ ଗଂଜେଇ ଚାଷକୁ ଆପଣେଇ ନେଇଥିବା ଜାଣିବାକୁ ମିଳିଥିଲା।କିଛି ଗଂଜେଇ ଚାଷିଙ୍କ ସହ ଆଲୋଚନାରୁ ଜଣାଗଲା ଯେ ମାଫିଆ ତଥା ବ୍ୟବସାୟୀମାନେ ଗଂଜେଇ ଚାଷ କରିବା ପାଇଁ ଅଗ୍ରୀମ ଆକାରରେ ଟଂକା ପ୍ରଦାନ କରିଥାନ୍ତି।ସାଧାରଣତଃ ବର୍ଷା ଋତୁର ଆରମ୍ଭରେ ଜମିକୁ ଉର୍ବରକରି ବିହନ ବୁଣାଯାଇଥାଏ।ଏଥିସହ ଚାରା ଉଠିବା ପରେ ସେଗୁଡିକର ଯତ୍ନ ନିଆଯାଇଥାଏ।ଏଥିପାଇଁ ପରିବାରର ଲୋକେ ପାଳି କରି ନିଜ ଅଧିନରେ ଥିବା ଜମିର ଯତ୍ନ ନେଉଥାନ୍ତି।ନିୟମିତ ପାଣି ଯୋଗାଇ ଦେବା ସହ ସାର,ଖତ ଇତ୍ୟାଦି ଗଛ ମୂଳରେ ଦେଇଥାନ୍ତି।ଧିରେ ଧିରେ ଗଛ ବଡ ହୁଏ ଏବଂ ସେଥିରେ ଫୁଲ ଧରେ।ଗଛ ପାକଳ ହେବା ସହ ଗଛର କେନା କେନା ଜଟ ଝୁଲେ।ଡେସେମ୍ବର ମାସ ହେଉଛି ଗଂଜେଇ ଅମଳର ପ୍ରକଷ୍ଟ ସମୟ।ଡିସେମ୍ବର ମାସ ଠାରୁ ଫେବୃୟାରୀ ପର୍ୟ୍ୟନ୍ତ ଚାଷି ନିଜ ନିଜ ଜମିରୁ ଗଂଜେଇ ଅମଳ କରି ଘରକୁ ଆଣେ।ତାପରେ ସେସବୁକୁ କିଛି ଦିନ ଧରି ଟାଣ ଖରାରେ ଶୁଖାଇଥାନ୍ତି।
ଏହା ସଂପୂର୍ଣ୍ଣ ଶୁଖିଯିବା ପରେ ଗଂଜେଇ ଜଟ ସବୁକୁ ହାତରେ ମନ୍ଥି ଏବଂ ଦରକାର ପଡିଲେ ପାଦରେ ଦଳି ବିକ୍ରି ଉପଯୋଗୀ କରାଯାଏ।ଗଂଜେଇକୁ ଅମଳ କରି ବ୍ୟବସାୟ ପର୍ୟ୍ୟନ୍ତ ପହଞ୍ଚାଇବାରେ ସମସ୍ତ ପ୍ରକାର ସହଯୋଗ ଚାଷୀ କରିଥାନ୍ତି।କେତେବେଳେ କାଉଡିରେ ଭାର ବୋହି ତ ଆଉ କେତେବେଳେ ବସ୍ତାରେ ଭର୍ତ୍ତି କରି ବ୍ୟବସାୟୀଙ୍କ ପାଖରେ ପହଞ୍ଚାଇବାର ଦାୟୀତ୍ବ ମଧ୍ୟ ଚାଷୀ ନେଇଥାଏ।ତେବେ ଗଂଜେଇ ମାଫିଆ ତଥା ମୁଖ୍ୟ ବ୍ୟବସାୟୀମାନେ ପରଦା ପଛରେ ରହି ଏସବୁ କାର୍ୟ୍ୟକୁ ପରିଚାଳନା କରନ୍ତି।ଧରାପଡିଲେ ଚାଷୀ କିମ୍ବା ଚାଲାଣ କରୁଥିବା ବ୍ୟକ୍ତି କାଠ ଗଡାକୁ ଯାଏ।ଆଉ ମାଫିଆଙ୍କ କିଛି ହୁଏ ନାହିଁ।ଏହାର କାରଣ ହେଲା ପୁଲିସ କିମ୍ବା ଅବକାରୀ ବିଭାଗ ଏହା ଜାଣିବା ପରେ ମଧ୍ୟ କିଛି କିଛି ସମୟରେ ପକେଟ ଗରମ ହେବା ଯୋଗୁଁ ଏମାନ ଖସିବାରେ ସଫଳ ହେଉଛି।ଏହି ମାଫିଆଙ୍କୁ ଖସାଇବାର ସମସ୍ତ ବ୍ୟବସ୍ଥା କରାଯାଏ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ବହୁ ସମୟରେ ପୁଲିସ କର୍ମଚାରୀ ଗଂଜେଇ ବେପାରରେ ସାମିଲ ରହିବା ଏବଂ ଗିରଫ ହେବା ନଜରକୁ ଆସିଛି।ତେବେ ଗତକାଲି ସ୍ବାଭିମାନ ଅଂଚଳରେ ଲୋକେ ଏକତ୍ରୀତ ହୋଇ ଅବକାରୀ ବିଭାଗକୁ ଟାର୍ଗେଟ କରିଥିଲେ।କିନ୍ତୁ ଅନ୍ୟଦିଗରେ ଗତ କିଛି ବର୍ଷ ହେଲା ପୁଲିସ ଏବଂ ଅବକାରୀ ବିଭାଗ ତରଫରୁ ଲଗାତାର ଗଂଜେଇ ଚାଲାଣ ରୋକିବାରେ ସଫଳ ହେବା ସହ ଶତାଧିକ ଗଂଜେଇ ମାଫିଆ ଏବଂ ଯାନବାହାନକୁ ଜବତ କରିବାରେ ସଫଳ ହୋଇଛନ୍ତି।ତେବେ ସ୍ବାଭିମାନ ଅଂଚଳରେ ଚାଲିଥିବା ଏହି ସବୁଜ ବିପ୍ଲବ କେବେ ବନ୍ଦ ହେବ ତାହା ଦେଖିବାକୁ ବାକି ରହିଲା।