ଅଧା ଉଠା ଜଳସେଚନ ପ୍ରକଳ୍ପ ଅଚଳ, ୭୬୪ରୁ ୫୩୩ ପ୍ରକଳ୍ପ କାର୍ଯ୍ୟକ୍ଷମ, ୨୨ ପ୍ରକଳ୍ପ ଖତ ଖାଉଛି

ଜଗତସିଂହପୁର: ଚାଷ କାର୍ଯ୍ୟକୁ ନେଇ ବେଶ୍ ଚିନ୍ତାରେ ଚାଷୀ। ପ୍ରଥମରୁ ବର୍ଷାର ଅଭାବ ସାଙ୍ଗକୁ କେନାଲ ପାଣି ଆସିବାରେ ବିଳମ୍ବ ହୋଇଛି। କେନାଲ ପାଣି ଠିକଣା ସମୟରେ ନ ପହଞ୍ଚିବାରୁ ଜଳସେଚନ ପାଇଁ ଚାଷୀମାନେ ସମସ୍ୟାରେ ପଡ଼ିଛନ୍ତି। ଜିଲ୍ଲାରେ ଥିବା ପ୍ରାୟ ୫୦ ପ୍ରତିଶତ ଜଳସେଚନ ପ୍ରକଳ୍ପ ଅଚଳ। ବିଶେଷକରି କେନାଲ ଅଣଜଳସେଚିତ ଚାଷ ଜମିଗୁଡ଼ିକର ହାଲତ ସଂଗିନ। ପ୍ରତ୍ୟେକ ବର୍ଷ ଏହି ସମସ୍ୟା ଲାଗି ରହିଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ତଥ୍ୟ ମୁତାବକ, ତାଳଦଣ୍ଡା କେନାଲ ଦ୍ବାରା ଜିଲ୍ଲାରେ ୨୨,୮୨୫ ହେକ୍ଟର ଓ ମାଛଗାଁ କେନାଲ ଦ୍ବାରା ୩୪,୦୮୩ ହେକ୍ଟର ଚାଷ ଜମି ଜଳସେଚିତ ହୁଏ। ଏହାକୁ ବାଦ୍ ଦେଲେ ଜିଲ୍ଲାରେ ୮ଟି ବ୍ଲକରେ ଜଳସେଚନ ପାଇଁ ୫୨୪ଟି ଗଭୀର ନଳକୂପ ପ୍ରକଳ୍ପ ଓ ୨୪୦ଟି ନଦୀରୁ ଉଠା ଜଳସେଚନ ପ୍ରକଳ୍ପ ରହିଛି। ସେଥିମଧ୍ୟରୁ ତିର୍ତ୍ତୋଲରେ ୨୦୫ଟି ନଳକୂପ ଓ ୫୬ଟି ଉଠା ଜଳସେଚ ପ୍ରକଳ୍ପ ରହିଥିବା ବେଳେ ରଘୁନାଥପୁରରେ ଯଥାକ୍ରମେ ୬୨ ଓ ୯ଟି ପ୍ରକଳ୍ପ, ବିରିଡ଼ିରେ ୭୭ ଓ ୫ଟି, କୁଜଙ୍ଗରେ ୮ ଓ ୫୪, ଏରସମାରେ ୩ ଓ ୭୬, ବାଲିକୁଦାରେ ୩୭ ଓ ୩୬, ନାଉଗାଁରେ ୮୭ ଓ ୪ ଓ ଜଗତସିଂହପୁରରେ କେବଳ ୪୫ଟି ଗଭୀର ନଳକୂପ ମାଧ୍ୟମରେ ଜଳ ସେଚନ କରାଯାଏ। ଏହାଦ୍ବାରା ତିର୍ତ୍ତୋଲରେ ୩୯୮୨ ହେକ୍ଟର, ରଘୁନାଥପୁରରେ ୧୧୯୦ ହେକ୍ଟର, ବିରିଡ଼ିରେ ୧୪୫୨ ହେକ୍ଟର, କୁଜଙ୍ଗରେ ୧୨୩୮ ହେକ୍ଟର, ଏରସମାରେ ୧୭୩୩ ହେକ୍ଟର, ବାଲିକୁଦାରେ ୧୬୨୬ ହେକ୍ଟର, ଜଗତସିଂହପୁରରେ ୭୩୨ ହେକ୍ଟର ଓ ନାଉଗାଁରେ ୧୪୨୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳୁଥିଲା।

ଅର୍ଥାତ ଜିଲ୍ଲାରେ ଏହି ଦୁଇ ପ୍ରକଳ୍ପ ଦ୍ବାରା ମୋଟ୍ ୧୩,୩୭୩ ହେକ୍ଟର ଜମିରେ ଜଳସେଚନ କରାଯାଉଥିଲା। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରକଳ୍ପ ଗୁଡ଼ିକ ନଷ୍ଟ ହୋଇଯାଇଛି। ତିର୍ତ୍ତୋଲରେ ଉଭୟ ନଳକୂପ ଓ ଉଠା ଜଳସେଚନ ପ୍ରକଳ୍ପକୁ ମିଶାଇ ୧୧୩ଟି ପ୍ରକଳ୍ପ ଅଚଳ ହୋଇପଡ଼ିଥିବା ବେଳେ ରଘୁନାଥପୁରରେ ୨୭ଟି, ବିରିଡ଼ିରେ ୨୦ଟି, କୁଜଙ୍ଗରେ ୧୫ଟି, ଏରସମାରେ ୧୪ଟି, ବାଲିକୁଦାରେ ୧୫ଟି, ଜଗତସିଂହପୁର ୭ଟି ଓ ନାଉଗାଁରେ ମୋଟ୍ ୨୦ଟି ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଏହି ପ୍ରକଳ୍ପ ଦ୍ବାରା ୧୩,୩୭୩ ହେକ୍ଟର ଚାଷ ଜମିକୁ ଜଳ ସେଚନ କରାଯାଉଥିବା ବେଳେ ପ୍ରକଳ୍ପ ଖରାପ ଯୋଗୁଁ ଆହୁରି ୩,୮୦୮ ହେକ୍ଟର ଜମି ଜଳ ସେଚନରୁ ବଞ୍ଚିତ ହୋଇଛି।

୨୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ଖରାପ ଥିବାରୁ ତାହା ମରାମତି ମଧ୍ୟ ସମ୍ଭବ ନୁହଁ। ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।  ଏ ସମ୍ପର୍କରେ ଉଠାଜଳସେଚନ ବିିଭାଗ ନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ପ୍ରଧାନ କହିଛନ୍ତି ଗତବର୍ଷ ରାଜ୍ୟ ସରକାର ୩୯ଟି ଅଚଳ ପ୍ରକଳ୍ପର ମରାମତି ପାଇଁ ଅନୁଦାନ ଦେଇଥିଲେ ଓ ସେଗୁଡ଼ିକର ମରାମତି କାମ ଚାଲିଛି। ଚଳିତ ବ‌େର୍ ମଧ୍ୟ ରାଜ୍ୟ ସରକାର ୫୩ଟି ପ୍ରକଳ୍ପର ପୁନରୁଦ୍ଧାର ନିମନ୍ତେ ଅର୍ଥ ମଂଜୁର କରିଥିବାରୁ ସେଗୁଡ଼ିକ ମଧ୍ୟ ମରାମତି କରାଯିବ ।

ସମ୍ବନ୍ଧିତ ଖବର