ରାଉରକେଲା: ସୁନ୍ଦରଗଡ଼ରେ ପ୍ରଦୂଷଣ ସୃଷ୍ଟିକାରୀ ସ୍ପଞ୍ଜ ଆଇରନ୍ କାରଖାନାକୁ ମିଳୁଛି ପ୍ରୋତ୍ସାହନ। ଗୋଟିଏ କି ଦୁଇଟି ନୁହେଁ ତାଲିକାରେ ରହିଛି ମାଳ ମାଳ ସ୍ପଞ୍ଜ ଆଇରନ କାରଖାନା। ବର୍ଷ ବର୍ଷ ଧରି ଚାଲୁଥିବା ଏସବୁ ପ୍ରଦୂଷଣକାରୀ କାରଖାନାକୁ ବିଭାଗୀୟ ଅଧିକାରୀ କେବଳ କାରଣ ଦର୍ଶାଅ ନୋଟିସ୍ ଦେଇ କାମ ସାରିଦେଉଛନ୍ତି। ଯାହାର ସତ୍ୟତା ସାମ୍ନାକୁ ଆସିଥିଲା ନିକଟରେ ଅନୁଷ୍ଠିତ ପୁରୁଷ ହକି ବିଶ୍ବକପ୍ରେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶକ୍ରମେ ପ୍ରଦୂଷଣକାରୀ ୨୪ ସ୍ପଞ୍ଜ ଆଇରନ୍ କାରଖାନାକୁ ୩୦ ଦିନ ବନ୍ଦ କରିଦେଇଥିଲେ। ସିଧାସଳଖ ନ ମାନିଲେ ମଧ୍ୟ ସ୍ପଞ୍ଜକାରଖାନାଗୁଡ଼ିକର ଏଭଳି ସାଂଘାତିକ ତ୍ରୁଟିକୁ ଜିଲ୍ଲା ପ୍ରଶାସନ ପରୋକ୍ଷରେ ସ୍ବୀକାର କରିଥିଲେ। ବିଡମ୍ବନା, ପରବର୍ତ୍ତୀ ସମୟରେ ବନ୍ଦ କାରଖାନାଗୁଡ଼ିକ ପୂର୍ବପରି ସ୍ଥାନୀୟ ଅଞ୍ଚଳକୁ ପ୍ରଦୂଷିତ କରିଚାଲିଛି।
କୁଆରମୁଣ୍ଡା ଓ କଲୁଙ୍ଗା ଶିଳ୍ପାଞ୍ଚଳ ନୁହେଁ ବଣାଇ, ଲହୁଣୀପଡ଼ା, ରାଜଗାଙ୍ଗପୁର ଆଦି ବ୍ଲକ୍ରେ ଗଢ଼ି ଉଠିଥିବା ମାଳ ମାଳ ସ୍ପଞ୍ଜ ଓ ଅନ୍ୟ କାରଖାନାର ଏମତି ତ୍ରୁଟି ସାମ୍ନାକୁ ଆସିଛି। ଏସବୁ କାରଖାନା ବାୟୁମଣ୍ଡଳକୁ ଦୂଷିତ କରୁଛନ୍ତି। ଅଧିକାଂଶ ସ୍ପଞ୍ଜ କାରଖାନା ଇଏସ୍ପି ନ ଚଲାଇ ସିଧାସଳଖ କାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁକୁ ବାୟୁମଣ୍ଡଳକୁ ଛାଡ଼ି ଦେଉଛନ୍ତି। କାରଖାନା ଚତୁଃପାର୍ଶ୍ବରେ ବାସ କରୁଥିବା ଲୋକମାନେ ବର୍ଷ ବର୍ଷ ଧରି ଏମିତି ଦୟନୀୟ ଜୀବନ ଅତିବାହିତ କରୁଥିଲେ ହେଁ, ଆଜିଯାଏ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନ ନିଆଯିବା ସମସ୍ତଙ୍କୁ ବିସ୍ମିତ କରିଛି। ଅବଶ୍ୟ କିଛି ମାସ ପୂର୍ବରୁ ଅଭିଯୋଗ ଆଧାରରେ ବଣାଇ ଶ୍ରୀ ହରି ସ୍ପଞ୍ଜ ଓ କୁଆରମୁଣ୍ଡାର ଖେଦେରିଆକୁ ବନ୍ଦ ନୋଟିସ୍ ଦିଆଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ସିଲ୍ ଓ ବନ୍ଦ ନୋଟିସ୍ ପାଉଥିବା କାରଖାନାଗୁଡ଼ିକୁ କେମିତି ଚାଲୁଛି, ତା’ ମଧ୍ୟ ବଡ଼ ପ୍ରଶ୍ନବାଚୀ। କେବଳ ଦୁଇଟି ସ୍ପଞ୍ଜ କାରଖାନା ନୁହେଁ ବିଗତ ଦିନରେ ଏମିତି ଅନେକ ପ୍ରଦୂଷଣକାରୀ ସ୍ପଞ୍ଜ କାରଖାନାକୁ ବନ୍ଦ ନୋଟିସ୍ ଦିଆଯାଇଛି।
ହେଲେ ଏଯାଏଁ ସେମିତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଉଲ୍ଲେଖଯୋଗ୍ୟ, ପୁରୁଷ ହକି ବିଶ୍ବକପ୍ ସମୟରେ କଲୁଙ୍ଗାର ରିଲାଏବୁଲ ସ୍ପଞ୍ଜ ପ୍ରାଇଭେଟ୍ ଲିମିଟେଡ୍, ଶ୍ରୀ ମହାବୀର ଫେରୋ ଆଲଏଜ୍ ପ୍ରାଇଭେଟ୍ ଲିମିଟେଡ, ବଜରଙ୍ଗବଲି ସ୍ପଞ୍ଜ ଆଣ୍ଡ ପାୱାର ଲିମିଟେଡ, ରାଉରକେଲା ସ୍ପଞ୍ଜ (ତାରିଣୀ ସ୍ପଞ୍ଜ), ମେଟା ସ୍ପଞ୍ଜ ପ୍ରାଇଭେଟ୍ ଲିମିଟେଡ୍, ପୂଜା ସ୍ପଞ୍ଜ, ବବର୍ରିକ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ, ସ୍ପଞ୍ଜ ଉଦ୍ୟୋଗ, ଟାଇମ୍ସ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍, ଉତ୍କଳ ମେଟାଲିକ୍ସ ଲିମିଟେଡ୍ ଆଦିକୁ ବନ୍ଦ କରାଯାଇଥିଲା। ଏଥି ମଧ୍ୟରୁ କିଛି ସ୍ପଞ୍ଜ କାରଖାନା ରେଡ୍ କ୍ୟାଟାଗୋରିରେ ରହିଛି। ସେମିତି କୁଆରମୁଣ୍ଡାର ଶ୍ରୀଗଣେଶ ମେଟାଲିକ୍ସ ଲିମିଟେଡ, ଆଧୁନିକ ମେଟାଲିକ୍ସ ଲିମିଟେଡ (ଲିବର୍ଟି ହାଉସ୍), ପବନଜୟ ସ୍ପଞ୍ଜ ଆଇରନ୍ ଲିମିଟେଡ୍, ସ୍ବସ୍ତିକ ଇସ୍ପାତ ପ୍ରାଇଭେଟ ଲିମିଟେଡ, ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ, ଖେଦେରିଆ ଇସ୍ପାତ ଲିମିଟେଡ, ମା’ ଶାକମ୍ବରୀ ସ୍ପଞ୍ଜ, ସାଇ ଶ୍ରଦ୍ଧା ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡକୁ ମଧ୍ୟ ୩୦ ଦିନ ବନ୍ଦ କରାଯାଇଥିଲା। ଏ ସଂକ୍ରାନ୍ତରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଡକ୍ଟର ଅନୁପ ମଲ୍ଲିକ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୪ ସ୍ପଞ୍ଜ କାରଖାନାକୁ ମାସେ ବନ୍ଦ କରାଯାଇଥିଲା। ଏବେ ଜିଲ୍ଲାର ଯେଉଁ ସ୍ପଞ୍ଜ ଆଇରନ୍ କାରଖାନାଗୁଡ଼ିକ ପ୍ରଦୂଷଣ ସୃଷ୍ଟି କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ନିକଟରେ ବଣାଇ ଓ କଲୁଙ୍ଗାରେ ମଧ୍ୟ କିଛି ସ୍ପଞ୍ଜ କାରଖାନା ବିରୋଧକୁ ବନ୍ଦ ନୋଟିସ୍ ଦିଆଯାଇଛି ବୋଲି କହିଥିଲେ।