କଳାହାଣ୍ଡି ଉତ୍ସବରେ ଘୁମୁରା ପରିବର୍ତ୍ତେ ଘୁମ୍‌ରା ଉଚ୍ଚ।ରଣ କରାଯାଉ :  ମନ୍ତ୍ରୀ ଦିବ୍ୟଶଙ୍କର

କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଅବସରରେ ଜିଲ୍ଲା ପ୍ରଶାସନର ଭାରଚୁଆଲ ମିଟ

ଭବାନୀପାଟଣା: କଳାହାଣ୍ଡି ଉତ୍ସବରେ ଘୁମୁରା ପରିବର୍ତ୍ତେ ଘୁମ୍‌ରା ଉଚ୍ଚାରଣ କରାଯାଉ । ସେହିଭଳି କାଲାହାଣ୍ଡି ପରିବର୍ତେ କଳାହାଣ୍ଡି ଉଚ୍ଚାରଣ ପାଇଁ ସମଗ୍ର ଜିଲ୍ଲାବାସୀଙ୍କୁ ଆଜି କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଭାରଚୁଆଲ ମିଟରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଆହ୍ୱାନ ଦେଇଥିଲେ । ସେହିଭଳି କଳାହାଣ୍ଡି ଜିଲ୍ଲାରେ କୋଭିଡ ରୋଗୀମାନଙ୍କୁ ତୁରନ୍ତ ଭଲ କରିବା ପାଇଁ ଅଧିକରୁ ଅଧିକ ପ୍ଲାଜମା ଦାନ ପାଇଁ ସଚେତନ କରାଯିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
କଳାହାଣ୍ଡି ଜିଲ୍ଲାପାଳ ଡ଼ା. ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭାରଚୁଆଲ ମିଟରେ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଅବସରରେ ଜିଲ୍ଲାରେ ଅଧିକରୁ ଅଧିକ ପ୍ଲାଜମା ଦାନ ପାଇଁ ଜିଲ୍ଲା ବ୍ୟାପୀ ସଚେତନ କରାଯିବ । ଜିଲ୍ଲାରେ ପ୍ରାୟ ୫ ହଜାର ରୁ ଉର୍ଦ୍ଧ୍ବ କୋଭଡ଼ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପ୍ରାୟ ୪ ହଜାର କୋଭିଡ ରୋଗୀ ସୁସ୍ଥ ହୋଇ ସାରିଛନ୍ତି । ଏହି ସୁସ୍ଥ ହୋଇଥିବା କୋଭିଡ ରୋଗୀ ପ୍ଲାଜମା ଦାନ କଲେ ଅନ୍ୟ ରୋଗୀମାନେ ସୁସ୍ଥ ହୋଇ ଫେରି ପାରିବେ । ତେଣୁ ପ୍ରତି ବ୍ଲକ ସ୍ତରରେ ସେମାନଙ୍କ ସଚେତନ କରି ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବା ଦିଗରେ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ ।
ସେହିଭଳି କୃଷି ଭିତ୍ତିକ ଶିଳ୍ପ ଓ ବ୍ୟବସାୟ ପାଇଁ ସବୁ ପ୍ରକାର ସହଯୋଗ କରାଯିବ, ଯାହା ଦ୍ଵାରା କଳାହାଣ୍ଡି ଜିଲ୍ଲା ଉଦ୍ୟୋଗ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇ ପାରିବ । ଏହି ଭାରଚୁଆଲ ମିଟ ରେ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ନର୍ଲା ବିଧାୟକ ଭୁପିନ୍ଦର ସିଂ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ସିସିଏମଓ ଡ଼ା ପ୍ରତାପ ବେହେରା, ଜିଲ୍ଲା ଯୋଜନା ଉପନିର୍ଦେଶକ ଶ୍ରୀକାନ୍ତ ଦଳେଇ, ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର, କର୍ତ୍ତବ୍ୟର ଅଶୋକ ପଟ୍ଟନାୟକ, ସେବାଜଗତର ସତ୍ୟ ନାରାୟଣ ପଟ୍ଟନାୟକ, ଲକ୍ଷ୍ମୀ ସିଂ, ବିଜୁ ଯୁବ ବାହିନୀ ଜିଲ୍ଲା ସଂଯୋଜକ ଅବିନାଶ ଠାକୁର ପ୍ରମୁଖ ଉଦବୋଧନ ଦେଇଥିଲେ । କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 
ସମ୍ବନ୍ଧିତ ଖବର