ପ୍ରମାଣ ବଣ୍ଟନ କାର୍ଯ୍ୟକ୍ରମରେ ବିଜେପି କାଉନ୍ସିଲରଙ୍କୁ ଧମକ ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧା ପୌର ପରିଷଦ ନିର୍ବାଚନ ଶେଷ ହେଲା। ଆଜି ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ ଥିଲା। ପୌର ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର କର୍ମକର୍ତା ଉପସ୍ଥିତ ରହିବା ସହ ଭାଜପା ଓ ଅନ୍ୟ ସ୍ୱାଧୀନ କାଉନ୍ସିଲରଙ୍କୁ ଧମକ ଦେଇଥିବା ନେଇ ବିଜେପି ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି। ବିଜେପିର ଅଧ୍ୟକ୍ଷା ପ୍ରାର୍ଥୀ ତଥା ପୂର୍ବତନ ପୌର ଉପାଧ୍ୟକ୍ଷ କୁନିଲତା ସ୍ୱାଇଁଙ୍କ କହିବାନୁସାରେ, ଆଜି ଗତକାଲି ନବ ନିର୍ବାଚିତ ପୌର ପରିଷଦ ପ୍ରତିନିଧିଙ୍କୁ ପ୍ରମାଣପତ୍ର ଦେବା ପାଇଁ ପୌର ପରିଷଦ କାର୍ଯ୍ୟାଳୟକୁ ଡକାଯାଇଥିଲା।

ପୌର ପରିଷଦର ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରମାଣପତ୍ର ବାଣ୍ଟିବା ପରେ ପୌରାଧ୍ୟକ୍ଷଙ୍କ ସହ ବିଜେଡି ମହିଳା ସଂଗଠନର ଦୁଇଜଣ ନେତ୍ରୀ ସେଠାରେ ଉପସ୍ଥିତ ରହି ଭାଷଣ ଦେଇଥିଲେ। ସେମାନେ ପୌରାଧ୍ୟକ୍ଷଙ୍କୁ ସହଯୋଗ ନକଲେ ଅଣ ବିଜେଡି ପ୍ରାର୍ଥୀ ଜିତିଥିବା ୱାର୍ଡ଼ରେ କୌଣସି ଉନ୍ନୟନ କାମ ହେବନାହିଁ ବୋଲି ଧମକ ମଧ୍ୟ ଦେଇଥିଲେ। ଏହାଦ୍ୱାରା ଲୋକଙ୍କ ମତ ଓ ପୌର ପରିଷଦର ମର୍ଯ୍ୟାଦା ହାନୀ ହୋଇଛି। ଏପରିକି ଉପଜିଲ୍ଲାପାଳ ସେଠାରେ ଉପସ୍ଥିତ ରହି ମଧ୍ୟ ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟର ପ୍ରତିବାଦ କଲେ ନାହିଁ। ଏହାଦ୍ୱାରା ପ୍ରଶାସନ ଓ ବିଜେଡି ମଧ୍ୟରେ ସମ୍ପର୍କରେ ସ୍ପଷ୍ଟ ହୋଇଛି। ଆଜି ଦାବିପତ୍ର ପ୍ରଦାନରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ରଶ୍ମୀ ରଂଜନ ମହାପାତ୍ର, ପୂର୍ବତନ ସଭାପତି ନିକୁଞ୍ଜ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର