ଜଗତସିଂହପୁର ଟାଉନ୍: ଜଗତସିଂହପୁର ଥାନା ସିଙ୍ଗିପୁର ଗ୍ରାମର ରାଜ କିଶୋର ଦାସଙ୍କ ୧୩ ବର୍ଷର ପୁଅ ରୁଦ୍ର(ସାଗର)କୁ ଗତ କାଲି ଚାରି ଜଣ ଦୁର୍ବୃତ୍ତ ଅପହରଣ କରି ନେଇଥିବା ବେଳେ ସେ ଅଧାବାଟରୁ ଖସି ଆସିବା ଘଟଣା ନେଇ ଥାନାରେ ଅଭିଯୋଗ ପରେ ଚାଂଚଲ୍ୟ ସୃଷ୍ଟି ହୋଇଛି। ଏନେଇ ରାଜକିଶୋର ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ କେସ୍ ନଂ ୬୫୯/୨୧ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କିନ୍ତୁ ପୁଲିସ୍ ତଦନ୍ତ ବେଳେ ଏକ ଚୋରି ଅଭିଯୋଗ ଓ ସିସିଟିଭି ଫୁଟେଜ୍ ପ୍ରମାଣରୁ ଅନେକ ଦ୍ବନ୍ଦ୍ବ ଦେଖାଦେଇଛି। ଅପହରଣର କୌଣସି ଖାସ୍ ପ୍ରମାଣ ମିଳୁନଥିବା ବେଳେ ଅପହୃତ ଛାତ୍ରର ଏକ ଚୋରି ଘଟଣାରେ ସଂପୃକ୍ତି ନେଇ ସନ୍ଦେହ ବଢ଼ିଛି। ତେଣୁ ଚୋରି ଘଟଣାକୁ ଲୁଚାଇବାକୁ ଏପରି ଅପହରଣ ନାଟକ ରଚା ଯାଇ ନାହିଁ ତ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ସାଗରଙ୍କୁ କିଏ କାହିଁକି ଅପହରଣ କରିଛି ଓ ଘଟଣାର ସତ୍ୟତା କେତେ ? ଯଦି ସାଗରକୁ ଅପହରଣ କରାଯାଇଥିଲା ତା ପଛର କାରଣ କଣ ? ପୁଲିସ୍ ସେନେଇ ଛାନ୍ଭିନ୍ ଚଳାଇଛି। ଅଭିଯୋଗ ଅନୁସାରେ, ଗତକାଲି ୨୯ ତାରିଖ ଅପରାହ୍ନରେ ସାଗର ଡିହସାହି ବଜାର ନିକଟକୁ ଟ୍ୟୁସନ ଯାଇଥିଲା। ଟ୍ୟୁସନ ସାରି ଫେରିବା ବେଳକୁ କଲ୍ୟାଣପୁର–ବାଇଜଙ୍ଗା ରାସ୍ତାର ଏକ ନିଛାଟିଆ ସ୍ଥାନରେ ସାଇକେଲ୍ ଚେନ୍ ଖସି ଯିବାରୁ ସେ ତାହା ସଜାଡ଼ୁଥିଲା। ଏହି ସମୟରେ ମୁଖା ପିନ୍ଧା ଚାରି ଜଣ ଲୋକ ଦୁଇଟି ବାଇକ୍ରେ ଆସି ତାକୁ ଉଠାଇ ନେଇଥିଲେ। ପାଟି କରିବାରୁ ତା ମୁହଁରେ ଜରି ଅଠା ଲଗାଇ ଦେଇଥିଲେ। ସେମାନେ ଡିହସାହି ବଜାର ଦେଇ ଯିବା ବେଳେ କାଠସିଙ୍ଗିପୁର ବଜାରରେ ଏକ ବରଯାତ୍ରୀ ଶୋଭାଯାତ୍ରା ଭିଡ଼ରେ ଫସି ଯାଇଥିଲେ।
ଏହାର ସୁଯୋଗ ନେଇ ସାଗର ଦୁର୍ବୃତ୍ତଙ୍କ କବଳରୁ ଖସି ଦୌଡ଼ି ପଳାଇ ଗଉଡ଼ୁଣି ପଡ଼ିଆରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିଲା। ଏହାପରେ ପରିବାର ଲୋକ ପହଞ୍ଚି ସାଗରକୁ ଆଣି ଥାନାରେ ଅଭିଯୋଗ କରିଥିଲେ। ଏପରିକି ଆଜି ପୁଲିସ୍ ସାଗରକୁ ନେଇ କେଉଁ ସ୍ଥାନରୁ ତାକୁ ଅପହରଣ କରାଯାଇଥିଲା, କେମିତି ଦୁର୍ବୃତ୍ତଙ୍କ କବଳରୁ ଖସି ଗଲା ଏବଂ କେମିତି ସମ୍ପର୍କୀୟଙ୍କ ଘରେ ପହଚିଂଲା ସେସବୁ ଦୃଶ୍ୟର ଡେମୋ କରିଛି ସାଗର। ଥାନା ଅଧିକାରୀ ପ୍ରଭାସ ସାହୁଙ୍କ ସୂଚନା ଅନୁସାରେ ଏହି ଘଟଣାରେ କେଉଁ ମାନେ ସଂପୃକ୍ତ ତାହା ଜଣା ପଡ଼ି ନାହିଁ। ଅନ୍ୟ ସମସ୍ତ ଦିଗକୁ ବିଚାର କରିବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ୨୮ ତାରିଖର ଏକ ଘଟଣା ଏହି ମାମଲାକୁ ଅଧିକ ଗୋଳିଆ କରିଛି। ସାଗରଙ୍କ ଘରକୁ ଲାଗିଥିବା କୈଳାସ ଦାସଙ୍କ ଘରୁ ୩୫୦୦ ଟଙ୍କା ଚୋରି ହୋଇଥିଲା। ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ ଅଭିଯୋଗ ଅନୁସାରେ ଘରେ କେହି ନଥିବା ବେଳେ ବ୍ୟାଗ୍ ପଡ଼ିଥିଲା। ସେଥିରୁ ୩୫୦୦ ଟଙ୍କା ଚୋରି ଯାଇଥିଲା।
ଘର ସାମ୍ନା ପ୍ରମୋଦ ନାୟକଙ୍କ ସିସିଟିଭି ଫୁଟେଜ୍ରେ ରାଜକିଶୋରଙ୍କ ପୁଅ ସାଗର ଘର ଭିତରକୁ ଯିବା ଓ କିଛି ସମୟ ପରେ ବାହାରି ଆସିବା ଦେଖିବାକୁ ମିଳିଛି। ଏହାପରେ କୈଳାସ ଅଭିଯୋଗ କରିବାକୁ ବାହାରିରୁ ଦୁଇ ଜଣ ଭଦ୍ର ଲୋକଙ୍କ ଜରିଆରେ ରାଜ କିଶୋର ଦାସ ଚୋରି ଟଙ୍କା ଫେରାଇବାକୁ ରାଜି ହୋଇଥିଲେ। ଏପର୍ଯ୍ୟନ୍ତ ଟଙ୍କା ଫେରାଇ ନାହାନ୍ତି ବୋଲି ଲକ୍ଷ୍ମୀପ୍ରିୟା କହିଛନ୍ତି। ଏନେଇ ସାଗରର ମା’ କଲ୍ୟାଣୀ ବେହେରା କହିଛନ୍ତି ‘ମୋ ପୁଅ ଟଙ୍କା ଚୋରି କରି ନାହିଁ ବରଂ ଏକ ରକେଟ୍’ ଆଣିଥିଲା । ଏ ଘଟଣା ଜଣାପଡ଼ିବା ପରେ ଦ୍ବନ୍ଦ୍ବରେ ପଡ଼ିଛି ପୁଲିସ। ପ୍ରକୃତରେ ସାଗରକୁ କେହି ଅପହରଣ ଉଦ୍ୟମ କରିଥିଲା ନା ଏହା ଏକ ସୁପରିକଳ୍ପିତ କାହାଣୀ ତାକୁ ନେଇ ତନାଘନା ଆରମ୍ଭ କରିଛି। ଆଜି ପୁଲିସ ଅପହରଣ କରାଯାଇଥିବା ରାସ୍ତାରେ ଥିବା ସିସିଟିଭିଗୁଡ଼ିକ ମଧ୍ୟ ଯାଞ୍ଚ କଲା ବେଳେ ସେଭଳି କିଛି ପ୍ରମାଣ ମିଳି ନାହିଁ। ଅନ୍ୟପଟେ ସାଗରକୁ ଅପହରଣ କରାଯାଇଥିବା ସ୍ଥାନ ନିକଟରେ ତାର ସାଇକଲ ମଧ୍ୟ ପଡ଼ି ନଥିଲା। ବରଂ ଉଦ୍ଧାର ହୋଇଥିବା ଜାଗା ନିକଟରୁ ତାର ସାଇକେଲ୍ ମିଳିଥିଲା। ଯଦି କାଠସିଙ୍ଗିପୁର ନିକଟରେ ଦୁର୍ବୃତ୍ତଙ୍କ ଠାରୁ ଖସି ଯାଇଥିଲା ଏବଂ ବଜାର ଭିଡ଼ ଥିଲା, ତେବେ ସେଠାରେ ଆଉ କେହି ଦେଖି ପାରିଲେନି କେମିତି ? ବଜାରରେ କୌଣସି ବ୍ୟବସାୟୀଙ୍କ ସହଯୋଗ ନଲୋଡ଼ି ସାଗର ଦୁଇ କିମି ଦୌଡ଼ି ଯିବା ଓ ସମ୍ପର୍କୀୟଙ୍କ ସହଯୋଗ ଲୋଡ଼ିବା କଥାରୁ ନାନା ସନ୍ଦେହ ଘନୀଭୂତ ହେଉଛି। ତେବେ ଆଗକୁ ପୋଲିସ ତଦନ୍ତରେ ସବୁ କିଛି ସ୍ପଷ୍ଟ ହୋଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/JSP-TWN-13-YEAR-BOY-KIDNAP-NEWS-30112021-1_6.jpg)