ଖୋର୍ଦ୍ଧା: ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ। ଏହି ଆପ୍ତ ବଚନ ପୁଣି ଥରେ ପ୍ରମାଣିତ ହୋଇଛି। ବିଷାକ୍ତ ନିଶା କାରବାରରୁ ସମ୍ପତ୍ତି ଠୁଳ କରିଥିବା ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଅନ୍ୟତମ ପରିଚିତ ବ୍ରାଉନ୍ସୁଗାର ମାଫିଆ ପାକୁର ସମସ୍ତକୁ ଅଚଳ କରି ଦିଆଯାଇଛି। କେବଳ ପାକୁ ନୁହେଁ ତାର ପରିବାର ଓ ସମ୍ପର୍କୀୟଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟ ଅଚଳ ହୋଇଯାଇଛି। ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଗତ ୮ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବିଷାକ୍ତ ନିଶା ବ୍ରାଉନ୍ସୁଗାର ଓ ଗଞ୍ଜେଇ ଆଦିର କାରବାର କରି ଆସୁଥିଲା। ପାକୁ ଓରଫ ସୋମନାଥ ଭୂଜବଳ। ଏହି କାର୍ଯ୍ୟରେ ତାର ବାପା କୃଷ୍ଣଚନ୍ଦ୍ର ଭୂଜବଳ ସମେତ ଅନ୍ୟ ପରିବାର ସଦସ୍ୟ ଓ ସମ୍ପର୍କୀୟ ମଧ୍ୟ ସହଯୋଗ କରୁଥିଲେ। ଏହା ମଧ୍ୟରେ ପୁଲିସ ତାଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରି ଏକାଧିକ ଥର ଗିରଫ କରିଛି, କିନ୍ତୁ ପ୍ରତି ଅପରାଧରେ ସେମାନେ ଜାମିନରେ ବାହାରକୁ ଆସି ପୁଣି ନିଜର କାରବାର ଚଳାଉଥିଲେ। ଶେଷରେ ପୁଲିସ ଓ ପ୍ରଶାସନ ସୋମନାଥର କାରବାରକୁ ସବୁଦିନ ପାଇଁ ବନ୍ଦ କରିବାକୁ ପଦକ୍ଷେପ ଗ୍ରହଣ କରିଛି।
ବେଆଇନ ନିଶା କାରବାରରୁ ଅର୍ଜି ଥିବା ସମ୍ପତ୍ତିର ତାଲିକା ପ୍ରସ୍ତୁତ କରିବାକୁ ଖୋର୍ଦ୍ଧା ପୁଲିସ ଚଳିତମାସ ୧୨ ତାରିଖରୁ ଅଭିଯାନ ଆରମ୍ଭ କରିଥିଲା। ଦୀର୍ଘ ୧୪ ଦିନର ଖୋଳତାଡ଼ ପରେ ପାକୁ ଓ ତାର ପରିବାରର ୬ ସଦସ୍ୟ ଓ ସହଯୋଗୀଙ୍କ ସମ୍ପତ୍ତି ଅଚଳ କରାଯାଇଛି। ଆଜି ଖୋର୍ଦ୍ଧା ଟାଉନ୍ ଥାନାରେ ଏନେଇ ଖୋର୍ଦ୍ଧା ଗ୍ରାମାଞ୍ଚଳ ଏସ୍ପି ରାଜ କିଶୋର ଦୋରା ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ଏଥିରେ ଏସ୍ଡ଼ିପିଓ ସୁଶୀଲ ମିଶ୍ର, ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ବାଲୁଗାଁ ଏସ୍ଡ଼ିପିଓ ମାନସ ଦାସ ଏବଂ ଏସ୍ଆଇ ବିଜୟ କେତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସମ୍ପତ୍ତି ଅଚଳ ସମ୍ପର୍କରେ ଏସ୍ପି ଶ୍ରୀ ଦୋରା କହିଛନ୍ତି, କେନ୍ଦ୍ରାଞ୍ଚଳ ଆଇଜିଙ୍କ ନିର୍ଦେଶନୁସାରେ ଟାଉନ୍ ଥାନାରେ ଅର୍ଥନୈତିକ ତଦନ୍ତ ମାମଲା ନଂ ୧/୨୦୨୧ ରୁଜୁ କରାଯିବା ସହ ତଦନ୍ତ ଭାର ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା।
/sambad/media/post_attachments/wp-content/uploads/2021/11/Brownsugar-Kingpin-Property-seized-10.jpeg)
ସମ୍ପତ୍ତିର ଖୋଳତାଡ଼ କରିବାକୁ ୩ଟି ଟିମ୍ ଗଠନ କରାଯାଇଥିଲା। ଟିମ୍ ସଦସ୍ୟ ଦୀର୍ଘ ୧୪ ଦିନ ନିରନ୍ତର ପ୍ରଚେଷ୍ଟା ପରେ ସାମନ୍ତରାପୁର ଶାଗୁଆନ ବଗିଚାରେ ଥିବା ପାକୁ, ତାଙ୍କ ପତ୍ନୀ ପାପଲି ଗୁରୁ, ତାଙ୍କ ବାପା କୃଷ୍ଣଚନ୍ଦ୍ର ଭୂଜବଳ, ମାଆ ମୀନତି ଭୂଜବଳଙ୍କ ସମ୍ପତ୍ତି ଏବଂ ବାଘମାରି ନିକଟ ସିମୋରରେ ଥିବା ସମ୍ପର୍କୀୟ ସୋନାଲି ଭୂଜବଳ, ପୁଷ୍ପଲତା ସାହୁ, କୋଣାର୍କ ନିକଟ ଅଣସରର ସୂର୍ଯ୍ୟକାନ୍ତ ପରିଡ଼ା ଓରଫ ପିଣ୍ଟୁର ସମ୍ପତ୍ତି ଆକଳନ କରିଥିଲେ।
ବର୍ତ୍ତମାନସୁଦ୍ଧା ଆକଳନରେ, ଆନୁମାନିକ ୧ କୋଟି ୧୦ ଲକ୍ଷ ଟଙ୍କାର କୋଠାଘର, ୧୩ ଲକ୍ଷ ୫୦ ହଜାର ଟଙ୍କାର ଗହଣା, ୭୯ ହଜାର ୬୦୦ ଟଙ୍କାର ବ୍ୟାଙ୍କ ଜମା, ୩ ଲକ୍ଷ ୪୫ ହଜାର ଟଙ୍କା ନଗଦ, ୫୦ ହଜାର ଟଙ୍କାର ଦାମୀ କୁକୁର, ୨୪ ଲକ୍ଷ ୫୦ ହଜାର ଟଙ୍କାର ଦୋକାନ ଘର ଓ ମୋଟରସାଇକଲ, କାର, ଟିପର ଆଦି ୧୧ଟି ଗାଡ଼ି। ବର୍ତ୍ତମାନ ପାକୁ ଓ ତାଙ୍କ ବାପା ସୋମନାଥ ପୁଣୀ ବାସେଳିସାହିରେ ଘଟିଥିବା ଏକ ବ୍ରାଉନ୍ସୁଗାର ଓ ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ୨୦୨୦ ଅକ୍ଟୋବର ୪ ତାରିଖରୁ ପୁରୀ ଜେଲ୍ରେ ବନ୍ଦୀ ଅଛନ୍ତି। କେବଳ ପାକୁ ବିରୋଧରେ ଖୋର୍ଦ୍ଧା ଅବକାରୀ, ଖୋର୍ଦ୍ଧା ଟାଉନ୍ ଥାନା, ପୁରୀ ବାସେଳିସାହି ଥାନାରେ ୪ଟି ବେଆଇନ ନିଶା କାରବାର ମାମଲା ସହ ଅନ୍ୟ ଥାନାରେ ୧୮ଟି ମାମଲା ରହିଛି। ସମ୍ପତ୍ତିର ଆକଳନ ପରେ ଟାଉନ୍ ଥାନା ଚିଠି (୪୧୨୫/୨୪-୧୧-୨୦୨୧)ରେ ସମ୍ପତ୍ତିକୁ ବେଆଇନ ଘୋଷଣା ସହ ଅଚଳ କରି ଦିଆଯାଇଛି। କୋର୍ଟଙ୍କ ବିନା ଅନୁମତିରେ ପାକୁ କିମ୍ବା ତାଙ୍କ ସମ୍ପର୍କୀୟ ଅଚଳ ସମ୍ପତ୍ତି କିମ୍ବା ଆକଳନ ହୋଇନଥିବା ଅନ୍ୟ ସମ୍ପତ୍ତିକୁ ବିକ୍ରି, ହସ୍ତାନ୍ତର କିମ୍ବା ଭଡ଼ା ଦେଇପାରିବେ ନାହିଁ ବୋଲି ଏସ୍ପି ଶ୍ରୀ ଦୋରା କହିଛନ୍ତି।