୧୧ ଜଣ ଗଂଜେଇ ବେପାରୀଙ୍କ ୩ କୋଟି ୫ ଲକ୍ଷ ଟଂକାର ସଂପତ୍ତି ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗଂଜେଇ କାରବାର ଜୋରସୋରରେ ଚାଲିଥିବା ବେଳେ ପୁଲିସ ଏବଂ ଅବକାରୀ ବିଭାଗ ଏହାକୁ ରୋକ ଲଗାଇବା ପାଇଁ ଜୋରସୋରରେ ଧରପଗଡ ଆରମ୍ଭ କରିଛନ୍ତି। ତେବେ ଗଂଜେଇ ବେପାରି ଜେଲ ଯିବା ପରେ ପୁଣି ଫେରି ଏହି କାମରେ ଲିପ୍ତ ହେଉଥିବାରୁ ପୁଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି।  ତେବେ ଏବେ ପୁଲିସ ଗଂଜେଇ ବେପାରୀଙ୍କ ସମସ୍ତ ସଂପତ୍ତିକୁ ଜବତ କରିବା ପାଇଁ ନିଷ୍ପତ୍ତି ନେବା ପରେ ଗଂଜେଇ ମାଫିଆଙ୍କ ମଧ୍ୟରେ ଛନକା ପସିଛି। ତତ୍କାଳୀନ ଏସପି  ଋଶିକେଷ ଖିଲାରୀ ଏବଂ ବର୍ତ୍ତମାନର ଏସପି ପ୍ରହ୍ଲାଦ ସହାୟ ମୀନାଙ୍କ ନିର୍ଦେଶରେ ଏସଡିପିଓ ଅଂଶୁମାନ ଦ୍ବିବେଦୀ ଗଂଜେଇ ମାଫିଆଙ୍କ କଳାକାରନାମା ପଛରେ ଲାଗିବା ସହ ସେମାନେ ଗଂଜେଇ ବ୍ୟବସାୟରୁ କେତେ ଟଂକା ରୋଜାଗର କରିଛନ୍ତି ତାହାର ତଦନ୍ତ କରି ୧୧ ଜଣ ଗଂଜେଇ ମାଫିଆଙ୍କ ଗଂଜେଇ ଜବତ କରାଯାଇଥିବା ଆଜି ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି।

ଗତ ଫେବ୍ରୁଆରି ୧ ତାରିଖ ଦିନ ଏମଭି-୭୯ ଥାନା ଚଢାଉ କରି ୧୪୧୧ କିଲୋ ଗଂଜେଇ ଜବତ କରିବା ସହ ୧୧ ଜଣ ନାମରେ କେଶ ରୁଜୁ କରିଯାଇଛି। ତେବେ ଏହି ୧୧ ଜଣଙ୍କର ସମସ୍ତ ସଂପତ୍ତି ବିଷୟରେ ତଦନ୍ତ କରି ତୁରନ୍ତ ଜବତ କରିବା ପାଇଁ ନିର୍ଦେଶ ପାଇବା ପରେ ଏସଡିପିଓ ଶ୍ରୀ ଦ୍ବିବେଦୀ ଏହା ପଛରେ ଲାଗି ପଡିଥିଲେ। ଆଇଆଇସି ଜୋନ କୁଜୁର ଏହି ଗଂଜେଇ କେଶର ତଦନ୍ତ ସେତେବେଳେ କରୁଥିଲେ। କିନ୍ତୁ ଏସଡିପିଓ ଅଂଶୁମାନ ଦ୍ବିବେଦୀ ଏମାନଙ୍କର ସଂପତ୍ତିକୁ ନେଇ ତଦନ୍ତ ଆରମ୍ଭ କରିଥିଲେ।

ଏହି ୧୧ ଜଣ ଗଂଜେଇ ମାଫିଆ ମାନେ ଯେଉଁମାନଙ୍କ ନାମରେ ୩ କୋଟି ୫ ଲକ୍ଷ ୫୭ ହଜାର ଟଂକାର ସଂପତ୍ତି ରହିଥିଲା। ଯାହାକୁ ପୁଲିସ ତଦନ୍ତ ପରେ ଜବତ କରିଛି। ଯେଉଁ ମାନଙ୍କ ନାମରେ ଗାଡି, ଘର, ବ୍ୟାଙ୍କ ବ୍ୟାଲେନସ ରହିଛି ସେମାନେ ହେଲେ କ୍ରିଷ୍ଣା ବାଲା, ମୀନାଲ ମଣ୍ଜଳ, ବିବେକାନନ୍ଦ ହାଲଦାର, ଦୀପକ ବାଲା, ରାଜେଶ ମଣ୍ଡଳ, ନାକାଲାମା ଆରିପିଲି, କିଷାନ ବାଲା, ସୁକଜିତ ସିଂହ, ବିକ୍ରମ ମାଣ୍ଡେ, ରାହୁଲ ବାଲା ଏବଂ ସୁଧା ମଣ୍ଡଳ। ଏମାନଙ୍କ ମଧ୍ୟରୁ ଜଣେ ପୁଲିସ କର୍ମଚାରୀ ରହିଛନ୍ତି। ଯାହାର ନାମରେ ୧ କୋଟିରୁ ଉର୍ଦ୍ଧ୍ବ ଟଂକାର ସଂପତ୍ତି ରହିଥିଲା। ପୁଲିସ ସେସବୁ ସଂପତ୍ତିକୁ ଜବତ କରିଛି। ତେବେ ଏହି ଗଂଜେଇ ମାଫିଆଙ୍କ ସଂପତ୍ତି ବ୍ୟାଜାପ୍ତ ପରେ ଗଂଜେଇ ମାଫିଆ ମାନଙ୍କ ମଧ୍ୟରେ ନିଶ୍ଚିତ ଭାବେ ଭାଳେଣୀ ପଡିବ। ଗଂଜେଇ ବେପାର କରି କୋଟି କୋଟି ଟଂକା ରୋଜଗାର କରିଥିବା ଗଂଜେଇ ମାଫିଆ ମାନଙ୍କର ସମସ୍ତ ସଂପତ୍ତି ଆଗାମୀ ଦିନରେ ବ୍ୟାଜାପ୍ତ କରାଯିବ ବୋଲି କୁହାଯାଇଛି। ଯାହାଦ୍ବାରା ଗଂଜେଇ ଚାଲାଣକୁ ରୋକା ଯାଇପାରିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର