ଭଦ୍ରକ: ରାଜ୍ୟ ସରକାର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରୁଛନ୍ତି। ଭଦ୍ରକବାସୀ ଦୀର୍ଘ ୨୦ ବର୍ଷଧରି ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦାବି କରୁଛନ୍ତି। ମାତ୍ର ରାଜ୍ୟ ସରକାର ଭଦ୍ରକବାସୀଙ୍କର ଏଇ ପ୍ରମୁଖ ଦାବିକୁ ଆଡ ନଜରରେ ଦେଖୁଛନ୍ତି। ଭଦ୍ରକବାସୀଙ୍କ ପ୍ରତି କାହିଁକି ସରକାରଙ୍କର ଏଭଳି ବୈମାତୃକ ମନୋଭାବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠିଛି।
ଭଦ୍ରକର ହକ୍ ହେଉଛି ମେଡିକାଲ କଲେଜ ପ୍ରତିଷ୍ଠା। ଏହା ଆମ ମାଟିର ସ୍ବର। ଏ ସ୍ବରକୁ ଦବାଇ ଦେବାକୁ ଅପଚେଷ୍ଟା କରାଯାଉଛି। ଏ ସ୍ବର କେବେ ନରମିବ ନାହିଁ। ଦାବି ହାସଲ ନହେବା ପର୍ଯ୍ୟନ୍ତ ଚାଲିବ ଆନ୍ଦୋଳନ। ଜିଲ୍ଲାବାସୀଙ୍କର ଏଇ ଦାବିକୁ ରାଜ୍ୟ ସରକାର ଶୁଣିବାର ଆବଶ୍ୟକତା ରହିଛି। ତାହା ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିବା ବୁଦ୍ଧିଜୀବୀ ଚେତାବନୀ ଦେଇଛନ୍ତି।
ଭଦ୍ରକ ଜିଲ୍ଲା ହେବାର ୨୭ ବର୍ଷ ପୂରି ଯାଇଛି। ଏହାର ବିକାଶ ଯେଉଁଠି ପହଞ୍ଚିବା କଥା ତାହା ହେଲା ନାହିଁ। ଏଠି ସ୍ବାସ୍ଥ୍ୟ ସେବା ବ୍ୟପର୍ଯ୍ୟସ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ହେଉ ନାହିଁ। ଗେଲପୁର ମୌଜାର ଜମି ଚିହ୍ନଟ ହୋଇ ସେମିତି ପଡିଛି। ମେଡିକାଲ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି।
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବ ବିଦ୍ୟାଳୟ କରିବାର ନାଁ ଗନ୍ଧ ଧରୁ ନାହାନ୍ତି। ଜିଲ୍ଲା କୋଭିଡ୍ ହସପିଟାଲରେ ଭେଣ୍ଟିଲେଟର ନାହିଁ। ସବୁ ନାହିଁ ନାହିଁ ଭିତରେ ରହିଛି ଭଦ୍ରକ। ଜିଲ୍ଲାବାସୀଙ୍କର ମୁଖ୍ୟ ଦାବି ଭିତରେ ମେଡିକାଲ କଲେଜ ପ୍ରତିଷ୍ଠା ଏକ ପ୍ରମୁଖ ଦାବି ହୋଇଛି। ଏଇ ଦାବି ନେଇ ୨୦୧୮ ମସିହାରେ ଭଦ୍ରକ ବନ୍ଦ କରାଯାଇଥିଲା। ଏଥିରେ ସମସ୍ତଙ୍କର ପୂର୍ଣ୍ଣ ସମର୍ଥନ ଥିଲା। ସରକାର ବନ୍ଦ ଡାକରାରୁ ଜାଣିବା ଉଚିତ ଯେ, ମେଡିକାଲ କଲେଜ ପ୍ରତିଷ୍ଠା ହକ୍ ହେଉଛି ଭଦ୍ରକବାସୀଙ୍କର।
ଜିଲ୍ଲାବାସୀଙ୍କର ମନ ଜିଣିବାକୁ ହେଲେ ସରକାର ଭଦ୍ରକବାସୀଙ୍କର ଦାବି ପ୍ରତି ସମ୍ମାନ ଦେବା ଉଚିତ। ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଭଦ୍ରକବାସୀ ମେଡିକାଲ କଲେଜ ଦାବି ଉଠାଇ ଆନ୍ଦୋଳନର ସାମିଲ ହୋଇଥିଲେ। ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦିଲ୍ଲୀ, ସୁରଟ, କଲିକତା, ବାଙ୍ଗାଲୋର ସହରରୁ ମଧ୍ୟ ସ୍ବର ଉଠିଥିଲା। ତିନି ଦଳର ପ୍ରମୁଖ ନେତା ନିର୍ବାଚନ ବେଳେ ଏଇ ମୁଦାକୁ ନେଇ ନିର୍ବାଚନ ବୈତରଣୀ ପାର ହେଲେ। ନିର୍ବାଚନ ପରେ ସବୁ କିଛି ଚୁପ୍ ପଡିଗଲା। ଭଦ୍ରକ ମାଟିର ସ୍ବର ମେଡିକାଲ କଲେଜ ଦାବି। ଏ ଦାବି ହାସଲ ନହେବା ପର୍ଯ୍ୟନ୍ତ ଆମ ଆନ୍ଦୋଳନ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି।
ଆଜିର ଏଇ ସାମ୍ବାଦିକ ସମ୍ମିଳନୀରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଡ.ହରେକୃଷ୍ଣ ନାୟକ, ସମାଜସେବୀ ସୁଧାକର ରାଉତ,ବୈଲୋଚନ ବେହୁରିଆ, ଶିକ୍ଷାବତ୍ ଶାନ୍ତନୁ ରାଉତ, ଟୁକୁନା ସ୍ବାଇଁ, କବୟିତ୍ରୀ ଗୀତାରାଣୀ ଆଇଚଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗଦେଇଥିଲେ।
ଆମ ନିର୍ବାଚିତ ଲୋକ ପ୍ରତିନିଧି ଜିଲ୍ଲାବାସୀଙ୍କର ସ୍ବର ସହ ସ୍ବର ମେଳାଇ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ବିଧାନସଭାରେ ସ୍ବର ଉଠାଇବା ଉଚିତ। ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଆମ ନେତା ପାଟି ନଖୋଲିଲେ ଆଗାମୀ ଦିନରେ ସେମାନଙ୍କୁ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ ନେଇ ଗାଁ ଗାଁରେ ବିରୋଧ କରାଯିବ। ସର୍ବସାଧାରଣରେ ପ୍ରଶ୍ନ କରାଯିବ ବୋଲି ପ୍ରସ୍ତୁତ ହେଉଛନ୍ତି ଭଦ୍ରକର ଜନତା।