ପରୀ ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିଜେପିର ବିକ୍ଷୋଭ, ବାରିପଦା ଓ ଖୋର୍ଦ୍ଧାରେ ପ୍ରତିବାଦ

ବାରିପଦା/ଖୋର୍ଦ୍ଧା:କୁନି ଝିଅ ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବି ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ଆଜି ବାରିପଦା ସହରର ଟ୍ରାଫିକ ଛକ ନିକଟରେ ବିଜେପି ମୟୂରଭଞ୍ଜ ପୂର୍ବ ସଙ୍ଗଠନ ପକ୍ଷରୁ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ ଓ ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁଙ୍କ ନେତୃତ୍ୱରେ ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଯେତେ ଦିନ ପର୍ଯ୍ୟନ୍ତ ପରୀକୁ ନ୍ୟାୟ ନ ମିଳିଛି ଓ ପରୀ ହତ୍ୟା ମାମଲାର ପର୍ଦ୍ଦାଫାସ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ବିଜେପି ତାର ଆନ୍ଦୋଳନକୁ ଜାରି ରଖିବ ବୋଲି ଜିଲ୍ଲା ସଭାପତି ଶ୍ରୀ ସୋରେନ କହିଛନ୍ତି ।

ସେହିପରି ଖୋର୍ଦ୍ଧା ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ମଧ୍ୟ ବିକ୍ଷୋଭ ଓ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ମୋର୍ଚ୍ଚାର ମହିଳା ସଦସ୍ୟ ଓ କର୍ମକର୍ତାଙ୍କ ସହ ବିଜେପିର ଅନ୍ୟ କର୍ମକର୍ତା ଏକ ରାଲିରେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡରୁ ଏକ ରାଲିରେ ବାହାରିଥିଲେ । ସହର ପରିକ୍ରମା କରିବା ପରେ ସମବାୟ ବ୍ୟାଙ୍କ ଛକରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଏଥିରେ ମୋର୍ଚ୍ଚାର ସଭାନେତ୍ରୀ ପ୍ରବୀଣା ଭଂଜଦେଓ କହିଛନ୍ତି ଯେ ରାଜ୍ୟରେ ସରକାରୀ ଦଳର ନେତା ଓ ପ୍ରଶାସକଙ୍କ ପ୍ରୋତ୍ସାହନରେ ମହିଳା ଓ ଶିଶୁଙ୍କ ପ୍ରତି ନିର୍ଯାତନ ଓ ହତ୍ୟା ବୃଦ୍ଧି ପାଉଛି ।

ଦୋଷୀଙ୍କୁ ଦଣ୍ଡ ଦେବା ପରିବର୍ତେ ସେମାନଙ୍କୁ ସମସ୍ତ ସୁରକ୍ଷା ଦିଆଯାଉଛି । ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାରେ ପ୍ରମୁଖ ଅଭିଯୁକ୍ତ ବାବୁଲି ନାୟକ ମନ୍ତ୍ରୀ ଅରୁଣ ସାହୁଙ୍କ ଖାସ୍ ଲୋକ ଥିବା ବେଳେ ଖୋଦ୍ ଅରୁଣ ସାହୁ ବିଭିନ୍ନ ସମୟରେ ପରୀଙ୍କ ବାପା-ମା ଓ ଅନ୍ୟମାନଙ୍କୁ ଧମକଚମକ ଦେଉଛନ୍ତି । ଏଣୁ ଏହି ଘଟଣାରେ ଅରୁଣ ସାହୁଙ୍କ ସମ୍ପୃକ୍ତି ସ୍ପଷ୍ଟ ଜଣାପଡ଼ୁଛି । ରାଜ୍ୟ ସରକାର ତୁରନ୍ତ ମନ୍ତ୍ରୀଙ୍କ ବିରୋଧରେ ପଦକ୍ଷେପ ନିଅନ୍ତୁ ।

ସମ୍ବନ୍ଧିତ ଖବର