ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ଅଂଚଳରେ ରହିଥିବା ଉତ୍କଳ ଆଲୁମିନା କମ୍ପାନି ନିର୍ମାଣ ହେବା ବେଳକୁ ଏହି ଅଂଚଳର ୨୪ ଖଣ୍ଡ ଗ୍ରାମକୁ ବିସ୍ଥାପିତ କରାଗଲା। ଏପରିକି ଡି.କରୋଳ ଗ୍ରାମକୁ ମଧ୍ୟ ବିସ୍ଥାପିତ କରାଯିବା ନେଇ କମ୍ପାନି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏଥିପାଇଁ ସରକାରଙ୍କର ସମସ୍ତ ବିସ୍ଥାପିତ ନିୟମ ଅନୁଯାୟୀ ସହଯୋଗ କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଥିଲା। ସେଥିପାଇଁ ଡି.କରୋଳ ଗ୍ରାମର ଲୋକେ ନିଜର ପୈତୃକ ଜମି ସବୁକୁ କମ୍ପାନି ହାତରେ ଟେକି ଦେଇଥିଲେ। ପ୍ରାୟ ୯୫ ଭାଗ ଜମି ଉତ୍କଳ ଆଲୁମିନା ନେଇ ଉତ୍କଳ ଆଲୁମିନା ପ୍ରକଳ୍ପ ନିର୍ମାଣ ହେଲା। କିନ୍ତୁ କମ୍ପାନି ଡି.କରୋଳ ଗ୍ରାମର ଦୁଇ ସାହି ମଧ୍ୟରୁ ଗୋଟିଏ ସାହିକୁ ବିସ୍ଥାପିତ କରି ଅନ୍ୟ ସାହିକୁ ବିସ୍ଥାପିତ କରିନାହିଁ।ଡି.କରୋଳ ଗ୍ରାମର ଉପର ସାହିକୁ ବିସ୍ଥାପିତ ନକରିବାରୁ ଏନେଇ ବାରମ୍ବାର କମ୍ପାନି ସହ ସରକାରଙ୍କ ନିକଟରେ ଲୋକମାନେ ଫେରାଦ ହୋଇଥିଲେ। କେବଳ ଡି.କରୋଳ ଗ୍ରାମର ଉପରସାହି ହିଁ କମ୍ପାନି ପରିସର ମଧ୍ୟରେ ରହିଛି।
ଗତ ୨୭ ବର୍ଷହେଲା କମ୍ପାନି ତଥା ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଲୋକମାନେ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ। ଏପରିକି ଏହାକୁ ବିଚାର କରି ରାଜସ୍ବ ବିଭାଗୀୟ କମିଶନର ତାଂକର ଚିଠି ନମ୍ବର ୩୨୪/ ଏଲଏ୨/୨.୨.୨୦୨୧ରେ ଡି.କରୋଳ ଉପର ସାହିକୁ ବିସ୍ଥାପିତ କରିବା ନିମନ୍ତେ ସରକାରଙ୍କୁ ଏକ ଚିଠି ମାଧ୍ୟମରେ ଅବଗତ କରିଥିଲେ। କିନ୍ତୁ ସରକାର କିମ୍ବା କମ୍ପାନି ଏହାରି ଉପରେ କୌଣସି ପଦକ୍ଷେପ ନେଉନାହାନ୍ତି। ଉତ୍କଳ ଆଲୁମିନା କମ୍ପାନି ଆମକୁ ବିସ୍ଥାପିତ କରିବାର ପ୍ରତିଶ୍ରୁତି ଦେଇ ଆମମାନଙ୍କ ଠାରୁ ଜମି ଅଧିଗ୍ରହଣ କରି କେବଳ ଗୋଟିଏ ସାହିକୁ ବିସ୍ଥାପିତ କରି ଛାଡି ଦେଇଛି। ଏବେ ଆମ ପାଖରେ କୌଣସି ଜମି ନାହିଁ। ଏପରିକି ଶୌଚ କରିବା ପାଇଁ ମଧ୍ୟ ଆଂଶିକ ପରିମାଣର ଜମି ନାହିଁ। ଯାହାଫଳରେ ଦୈନନ୍ଦିନ ଜୀବନରେ ବହୁ ହଇରାଣ ହେଉଛୁ।
ବାରମ୍ବାର ଏନେଇ ପ୍ରଶାସନ ନିକଟରେ ଗୁହାରି କରିବା ପରେ କୌଣସି ସୁଫଳ ନମିବାରୁ ଆଜି ଶତାଧିକ ମହିଳା ପୁରୁଷ ଏକତ୍ର ହୋଇ କୋରାପୁଟ ଛକଠାରୁ ଏକ ବିଶାଳ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ସେଠାରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଆଗାମୀ ଦିନରେ ଯଦି କୌଣସି ପଦକ୍ଷେପ ନିଆନଯାଏ ତେବେ ରାଜରାସ୍ତାକୁ ଅବରୋଧ କରି ସବୁ ଠପ୍ କରିଦେବୁ ବୋଲି ଡି.କରୋଳ ଉପର ସାହି ବାସିନ୍ଦା ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/Rgda-collector-office-gherau-1.jpg)