ଦଶରଥପୁର: ଦଶରଥପୁର ବ୍ଲକ୍ ଅଧୀନ ଖାନନଗର ପଞ୍ଚାୟତରେ ବେଆଇନ ମାଟି ଲୁଟ୍କୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ପଞ୍ଚାୟତର କହେଁଇନାଳ ଆଡ଼ିବନ୍ଧ, ନୂଆପାଟଣା ଗ୍ରାମ୍ୟ ପୋଖରୀ ସମେତ ଲାଲବାଗ ଗ୍ରାମ ଶ୍ମଶାନରୁ କିଛି ମୁଷ୍ଟିମେୟ ବ୍ୟକ୍ତି ଦିନରାତି ମାଟି ଲୁଟ୍ କରିଚାଲିଛନ୍ତି। ଏସମ୍ପର୍କରେ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହାକୁ ନେଇ ଆଜି ଖାନନଗର ପଞ୍ଚାୟତରେ ଜନ ଅସନ୍ତୋଷ ପ୍ରକାଶ ପାଇଛି।
ଲାଲବାଗ ଗୋପାଳସାହି ସମୁଖରେ ଥିବା ଶତାଧିକ ବର୍ଷର ଶ୍ମଶାନ(ସୋଲାବନ୍ଧ ଶ୍ମଶାନ ) ଖାନନଗର ମୌଜା, ପ୍ଲଟ ନଂ - ୧୦୨୭ ଜମିର ପରିମାଣ ୨ ଏକର ୫ ଡିସିମିଲରୁ ଗତ ଦୁଇଦିନ ଧରି ଶତାଧିକ ଟ୍ରିପ୍ ମାଟି ଉଠାଇ ମାଫିଆମାନେ ବିକ୍ରି କରି ଆସୁଥିଲେ। ଯାହାକୁ ନେଇ ଆଜି ଗୋପାଳସାହି ବାସିନ୍ଦା ଦୀର୍ଘ ସମୟ ଧରି ମାଟି ଉଠାଣ କରୁଥିବା ଜେସିବି ଓ ଟ୍ରାକ୍ଟରକୁ ଅଟକ ରଖିଥିଲେ। ପରେ ଖାନନଗର ସରପଞ୍ଚଙ୍କ ପକ୍ଷରୁ ବିରଜା ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ମାଟି ଲୁଟ୍ ହୋଇଥିବା ସ୍ଥାନକୁ ପୁନର୍ବାର ମାଟି ପକାଇ ପୋତିବା ପାଇଁ ନିଷ୍ପତ୍ତି ହେବା ପରେ ଗ୍ରାମବାସୀ ଶାନ୍ତ ପଡ଼ିଥିଲେ।