ବାରମ୍ବାର କହିବା ସତ୍ତ୍ୱେ ଠିକ ହେଲାନି ରାସ୍ତା: ପ୍ରତିବାଦରେ ଗ୍ରାମ୍ୟଉନ୍ନୟନ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ପଡ଼ିଲା

ବାରିପଦା: ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ଆଜି ବାରିପଦାସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲାବନ୍ଦ ସହିତ ଧାରଣା ଦିଆଯାଇଥିଲା। ସଂଗଠନ ଦାବି ମୁତାବକ କୁଳିଅଣା ବାରିପଦାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି | ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି ହୋଇଅଛି | ବର୍ଷା ଦିନରେ ସାଧାରଣ ମୋଟରସାଇକେଲ ଯିବା ମଧ୍ୟ ସମ୍ଭବପର ହେଉନାହିଁ। ଏହି ରାସ୍ତା ଉପରେ କୁଳିଅଣା ଏବଂ ବାରିପଦା ବ୍ଲକର ହଜାର ହଜାର ଲୋକ ନିର୍ଭର କରନ୍ତି | ମାତ୍ର ରାଇକୋଟ ଝୋରନରୁ ଝିନାଇ କ୍ରସର ଛକ ପର୍ଯ୍ୟନ୍ତ ରାସ୍ତା ବହୁତ ଖରାପ। ଉକ୍ତ ରାସ୍ତା ୨୦୦୨ ମସିହା ପରଠାରୁ ଆଉ ଥରେ ମଧ୍ୟ ମରାମତି କରାଯାଇନଥିବା ଅଭିଯୋଗ କରିଛି ସଂଗଠନ।

ବର୍ଷା ଦିନରେ ଆମ୍ବୁଲାନ୍ସ, ସ୍କୁଲ ପିଲା, ସାଧାରଣ ଜନତା ବହୁତ ହଇରାଣ ହରକତ ହୁଅନ୍ତି | ଏ ବାବଦରେ ଆଗରୁ ସଂଗଠନ ପକ୍ଷରୁ ବହୁବାର ଜିଲ୍ଲାପାଳ, ବ୍ଲକ ପ୍ରଶାସନ, ଗ୍ରାମ୍ୟଉନ୍ନୟନ ବିଭାଗୀୟ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା | କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିଲା ନାହିଁ | ବାଧ୍ୟ ହୋଇ ଆଜି ସଂଗଠନ ପକ୍ଷରୁ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ ସହିତ ଧାରଣା ଦିଆଯାଇଥିଲା | ବିଭାଗୀୟ ଯନ୍ତ୍ରୀ ସଂଗଠନ ସହିତ ଆଲୋଚନା କଲା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା |

ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଏହାକୁ ସାମିଲ କରି ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି | ମୟୂରଭଞ୍ଜ ଜିଲ୍ଲା ସଭାପତି ଧରମରାଜ ହାଁସଦାଙ୍କ ନେତୃତ୍ୱରେ ଏହି ଧାରଣା ପ୍ରଦର୍ଶନରେ ରଜତ ହାଁସଦା, ଇଶ୍ଵର ମାର୍ଣ୍ଡି, ରଣଜିତ ମୁର୍ମୁ, ଲାଲୁ କିସ୍କୁ ପ୍ରମୁଖ ସାମିଲ ଥିଲେ |

ସମ୍ବନ୍ଧିତ ଖବର