ସରପଞ୍ଚ ସମର୍ଥକଙ୍କ ପକ୍ଷରୁ ଧାରଣା, ସରପଞ୍ଚଙ୍କ ସ୍ବାମୀ ଓ ପୂର୍ବତନ ସରପଞ୍ଚଙ୍କ ସ୍ବାମୀଙ୍କୁ ଆକ୍ରମଣ!
ଆଳି: ଗୋବିନ୍ଦପୁର ସରପଞ୍ଚ ସୀମାରାଣୀ ମଳିକଙ୍କ ସ୍ବାମୀ ପ୍ରମୋଦ ମଳିକ ଓ ପୂର୍ବତନ ସରପଞ୍ଚଙ୍କ ସ୍ବାମୀ ପଦ୍ମାଳୟା ଧଳଙ୍କ ସ୍ବାମୀ ରତନ ଧଳଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଏ ନେଇ ଗୋବିନ୍ଦପୁର ପୁଲିସ ବିଟ୍ ହାଉସରେ ପୃଥକ ପୃଥକ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଗୋବିନ୍ଦପୁର ସମେତ ପଡ଼ୋଶୀ ଜୁଆଣିଆ ପଞ୍ଚାୟତରେ ଉତ୍ତେଜନା ଓ ଛକାପଞ୍ଝା ଲାଗି ରହିଛି। ଏକ ଲୁଟ୍କୁ ନେଇ ଦୁଇପକ୍ଷ ଦେଇଥିବା ଅଭିଯୋଗ ଆଧାରରେ ପୁଲିସ ଉଭୟ ପକ୍ଷରୁ ୪ଜଣଙ୍କୁ ଗିରଫ କରିବା ପରେ ଆଜିର ଆକ୍ରମଣ ଓ ଗଣ୍ଡଗୋଳ ହୋଇଥିବା ପୁଲିସ କହିଛି। ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ସରପଞ୍ଚ ଓ ପୂର୍ବତନ ସରପଞ୍ଚଙ୍କ ସମର୍ଥକମାନେ ଗୋବିନ୍ଦପୁର ମେଡ଼ିକାଲ ଛକରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଧନରଞ୍ଜନ ବୋଷଙ୍କ ନେତୃତ୍ୱରେ ରାସ୍ତା ଉପରେ ଧାରଣାରେ ବସି ରହିଥିବା ବେଳେ ଉଭୟ ସରପଞ୍ଚ ସୀମାରାଣୀ ମଳିକ ଓ ପୂର୍ବତନ ସରପଞ୍ଚ ପଦ୍ମାଳୟା ଧଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍ପିଙ୍କୁ ଭେଟିବାକୁ କେନ୍ଦ୍ରାପଡ଼ା ଯାଇଥିବା ଜଣାପଡ଼ଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଭୟ ଅଭିଯୋଗକାରୀ ତାଙ୍କର ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଶୁଭ୍ରକାନ୍ତ ଜେନା, ଅଧର ସାମଲ, ନନ୍ଦ ମଳିକ ପ୍ରମୁଖ ସେ ଦୁହିଁଙ୍କୁ ଅତର୍କିତ ସଂଘବଦ୍ଧ ଆକ୍ରମଣ କରିଥିଲେ। ଆକ୍ରମଣରେ ରତନ ଧଳ ଓ ପ୍ରମୋଦ ମଳିକ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ସୂଚନାଯୋଗ୍ୟ, ଗତକାଲି ଗୋବିନ୍ଦ ପୁର ଗ୍ରାମର ରାଜୀବ ବୋଷଙ୍କ ଠାରୁ ୨୯ ହଜାର ଟଙ୍କା ଛଡାଇ ନେଇଥିବା ସମ୍ପର୍କରେ ରାଜୀବ ଆଳି ଥାନାରେ ଅଭିଯୋଗ କରିଥିବା ବେଳେ ଅପରପକ୍ଷର ମାନସ ସାମଲ ମଧ୍ୟ ପାଲଟା ଅଭିଯୋଗ କରିଥିଲେ। ଏହି ଘଟଣାର ତଦନ୍ତ ପରେ ପୁଲିସ ଉଭୟ ପକ୍ଷର ୪ ଜଣଙ୍କୁ ଗିରଫ କରି ଆଣିବା ପରେ ଆଜି ଏହି ଗଣ୍ଡଗୋଳ ଘଟିଥିବା ଆଳି ଥାନା ଅଧିକାରୀ ଦିଲ୍ଲୀପ ସାହୁ ସୂଚନା ଦେଇଛନ୍ତି। ଘଟଣାକୁ କେନ୍ଦ୍ର କରି ଉତ୍ତେଜନା, ଆନ୍ଦୋଳନ ଜାରି ରହିଥିବା ବେଳେ ପୁଲିସ ପଇଁତରା ଜାରି ରହିଛି।