ଅସୁରାଳି: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗଢ଼ିଆଳି ପଞ୍ଚାୟତ ସ୍ଥିତ ଉଚ୍ଚପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏକ ଅଘଟଣ ଘଟିଛି। ସ୍କୁଲ କାନ୍ଥକୁ ଲାଗି ରହିଥିବା ଏକ ଫଟା ସୂଚନା ଫଳକ ଭାଙ୍ଗି ପଡ଼ିବାରୁ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଉଛନ୍ତି ଉଚ୍ଚପଦା ଗ୍ରାମର ସୈଭାଗ୍ୟ ନାୟକଙ୍କ ଛଅ ବର୍ଷର ପୁଅ ଅସିତ। ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ଲୋକେ ନ୍ୟାୟ ଓ କ୍ଷତିପୂରଣ ଦାବି କରି ଉଚ୍ଚପଦା ଛକ ଠାରେ ସନ୍ଧ୍ୟାରେ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି।
ସୂଚନା ଅନୁଯାୟୀ, ବୁଧବାର ଦିନ ଅପରାହ୍ନ ପ୍ରାୟ ସାଢେ ବାରଟା ବେଳେ ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀରେ ପଢୁଥିବା ଅସିତ ନାମକ ବାଳକ ଜଣକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଜାଣତରେ ବାହାରକୁ ଚାଲି ଆସିଥିଲେ। ଅସିତଙ୍କ ବୁଢୀ ମାଆ ସେହି ନିକଟରେ ଥିବା ଏମଇ ସ୍କୁଲର ରୋଷେୟା ଭାବେ କାମ କରୁଥିବାରୁ ଶିଶୁ ଅସିତ ସେଠାକୁ ଆସିଥିବା ଆନୁମାନ କରାଯାଉଥିବା ବେଳେ ସେ ପ୍ରାଥମିକ ବିଦ୍ୟାଳୟ କାନ୍ଥକୁ ଫାଟି ଡେରା ହୋଇଥିବା ଏକ ସୂଚନା ଫଳକ ନିକଟରେ ଥିଲେ।
ଏହି ସମୟରେ ହଠାତ୍ ସେ ଫଳକ ଭାଙ୍ଗି ପଡିବାରୁ ଅସିତ ତା’ ତଳେ ଚାପି ହୋଇ ଯାଇଥିଲେ। ନିକଟରେ ରୋଷେଇ କରୁଥିବା ବୁଢୀ ମା’ ଜୟନ୍ତୀ ଆସି ନାତିକୁ ବାହାର କରିଥିଲେ। ମୁର୍ମୁଷ ଅବସ୍ଥାରେ ଅସିତଙ୍କୁ ନିକଟରେ ଥିବା ଅସୁରାଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିଆ ଯାଇଥିଲା। ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡ଼ାକ୍ତର ଅସିତକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।
ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ପ୍ରଧାନ ଶିକ୍ଷୟିତ୍ରୀ ଉର୍ମିଳା ନାୟକ ଏବଂ ସହକାରୀ ଶିକ୍ଷକ ଦେବେନ୍ଦ୍ର ପଣ୍ଡାଙ୍କୁ ଉତ୍ୟକ୍ତ ଲୋକଙ୍କ ଠାରୁ ଉଦ୍ଧାର କରି ଟାଉନ ଥାନାକୁ ଆଣିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବହେଳାରୁ ଜଣେ କୋମଳମତି ଶିଶୁର ମୃତ୍ୟୁ ଘଟିଛି ଏବଂ ନିମ୍ନମାନର କାମ ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ କରି ମୃତ ଛାତ୍ରଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୁରଣ ଦେବା ପାଇଁ ଅଡି ବସି ଶହଶହ ଲୋକ ରାସ୍ତାରୋକ କରିଥିଲେ। ଏଥିପାଇଁ ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ସଡ଼କରେ ଦୀର୍ଘ ସମୟ ଧରି ଯାତାୟତ ବନ୍ଦ ରହିଥିଲା। ଧୂଷୁରୀ ଥାନା ପୁଲିସ ଶବ ବ୍ୟବଚ୍ଛେଦ କରାଇ ମୃତ ଛାତ୍ର ପରିବାରକୁ ହସ୍ତାନ୍ତର କରିଛି।