ଆଶାକର୍ମୀଙ୍କ ୭ ଦଫା ଦାବି ନେଇ ଆନ୍ଦୋଳନ

ବୈପାରିଗୁଡା: ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ନିର୍ଦ୍ଦେଶକ୍ରମେ ସାରା ଓଡ଼ିଶାରେ ନିଜ ଦାବି ପୂରଣ ପାଇଁ ନଭେମ୍ବର ୨୯ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଭୁବନେଶ୍ୱର ଠାରେ ଚାଲିଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଆଶାକର୍ମୀ ତରଫରୁ ଆଜି ୨୯ ତାରିଖ ମଙ୍ଗଳବାର ଦିନ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବ୍ଲକର ଆଶାକର୍ମୀ ସଂଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି। ଆଶାକର୍ମୀ ମାନଙ୍କ ୭ ଦଫା ଦାବି ରହିଛି ସେଗୁଡିକ ମଧ୍ୟରୁ ଜାତୀୟ ସ୍ବାସ୍ଥ୍ୟମିସନକୁ ସ୍ଥାୟୀ କରିବା, ଆଶାକର୍ମୀ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଇ ଯେ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ଦିଆଯାଇ ନାହିଁ।

ସେମାନଙ୍କୁ ମାସିକ ବେତନ ୧୮ ହଜାର ଟଙ୍କା ପ୍ରଦାନ କରାଯିବା ସହିତ ଇପିଏଫ୍ ଓ ଇଏସ୍ଆଇସିରେ ସାମିଲ ଏବଂ ଗ୍ରାଚୁଇଟି ପ୍ରଦାନ କରିବା, ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା ନଦେବା ପର୍ଯ୍ୟନ୍ତ ଅବସର ନେଉଥିବା କର୍ମୀ ମାନଙ୍କୁ ଏକକାଳୀନ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉ ଓ ମାସିକ ୫ ହଜାର ଟଙ୍କା ଭତ୍ତା ପ୍ରଦାନ କରିବା, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ ଆଶାକର୍ମୀଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଦେବା ସହ ପରିବାରର ଜଣକୁ ନିଯୁକ୍ତି ଦେବା, ଯୋଗ୍ୟତା ଭିତ୍ତିରେ ଆଶାକର୍ମୀ ମାନଙ୍କୁ ଏମ୍ଏନ୍ଏମ୍ ଭାବେ ନିଯୁକ୍ତି ଦେବା, ସମସ୍ତ ଜିଲ୍ଲାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଶା ଗୃହ ଯୋଗାଇ ଦିଆଯିବା ଏବଂ କୋଭିଡ୍-୧୯ ରେ ମୃତ୍ୟୁବରଣ କରିଥିବା ଆଶାକର୍ମୀଙ୍କୁ ସରକାର ଘୋଷଣା କରିଥିବା ରାଶି ତୁରନ୍ତ ପ୍ରଦାନ କରିବା ଇତ୍ୟାଦି ନେଇ ଆନ୍ଦୋଳନ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର