ମାଛଗାଁ: ଭାରତ ସରକାରଙ୍କର ଭାରତମାଳା ପରିଯୋଜନା ଅଧୀନରେ ପ୍ରସ୍ତାବିତ ଗୋପାଳପୁରରୁ ଦୀଘା ଉପକୂଳ ରାଜପଥକୁ ବାଲିକୁଦା ବ୍ଲକ ଉପକୂଳଠାରୁ ୨୫ କିମି ଦୂରକୁ ସ୍ଥାନାନ୍ତର କରାଯାଉଥିବା ପ୍ରତିବାଦରେ ଭଏସ୍ଅଫ୍ ବାଲିକୁଦା ତରଫରୁ ଏକ ବିକ୍ଷୋଭ ସଭା ବୃନ୍ଦାବନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମରିଚପୁର ପଞ୍ଚାୟତ ମା’ ବନ୍ଦରେଇ ପୀଠରେ ସଂଗଠନର ସଭାପତି କିଶୋର ମହାନ୍ତି ଓ ସମ୍ପାଦକ ଆଲୋକ କୁମାର ବେହେରାଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ୩୦୦ରୁ ଅଧିକ ଯୁବକ ଉପସ୍ଥିତ ଥିଲେ। ଅଞ୍ଚଳ ପ୍ରତି ହୋଇଥିବା ଅନ୍ୟାୟ ପ୍ରତିବାଦରେ ଅନେକ ଯୁବକ ସେମାନଙ୍କ ମତ ରଖିବା ସହ ଆସନ୍ତାକାଲି ମରିଚପୁର ଷ୍ଟାଡିୟମ ନିକଟ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ନବୀନ ନିବାସ ପର୍ଯ୍ୟନ୍ତ ଏକ ପ୍ରତିନିଧି ଦଳ ପଦଯାତ୍ରା କରିବ ବୋଲି ନିଷ୍ପତ୍ତି ନିଆଯାଇଛି।
ସରକାର ଏହି ନ୍ୟାଯ୍ୟ ଦାବିକୁ ନ ଶୁଣିଲେ ଆଗାମୀ ସାଧାରଣ ନିର୍ବାଚନରେ ଉପକୂଳବର୍ତ୍ତୀ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ପ୍ରାୟ ୩୦ ପଞ୍ଚାୟତରେ ଘର ଘର ବୁଲି ଭୋଟ ବର୍ଜନ ପାଇଁ ଅନୁରୋଧ କରାଯିବ ବୋଲି କୁହାଯାଇଛି। ଭଏସ୍ଅଫ୍ ବାଲିକୁଦାର ସମସ୍ତ କର୍ମକର୍ତ୍ତା ରାଜପଥ ମନ୍ତ୍ରଣାଳୟର ରାଜପଥ ସ୍ଥାନାନ୍ତର ନିଷ୍ପତ୍ତି ନିନ୍ଦନୀୟ ଓ ଆମ ଅଂଚଳ ପାଇଁ କ୍ଷୋଭର ବିଷୟ ବୋଲି ପ୍ରକାଶ କରିବା ସହ ସମସ୍ତ ଯୁବ ବନ୍ଧୁଙ୍କୁ ଆସନ୍ତାକାଲି ହେବାକୁ ଥିବା ପଦଯାତ୍ରାରେ ବହୁଳ ସଂଖ୍ୟାରେ ଯୋଗ ଦେବାକୁ ଅନୁରୋଧ କରିବା ସହ ନ୍ୟାୟ ନପାଇବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖି ମାଟି ମା’ ପାଇଁ ଜୀବନ ଦେବାକୁ ପଛାଇବୁ ନାହିଁ ବୋଲି ଏକ ସ୍ୱରରେ ପ୍ରସ୍ତାବ ରଖିଥିଲେ। ଏହି ରାସ୍ତା ନିର୍ମାଣ ହେଲେ ଏଠାରେ ଛୋଟ ଛୋଟ ଶିଳ୍ପାନୁଷ୍ଠାନ ଗଢି ଉଠିବା ସହ ଅନେକ ବ୍ୟାବସାୟିକ ଅନୁଷ୍ଠାନ ଗଢି ଉଠିବା ଫଳରେ ଏଠାକାର ଯୁବକ ରୋଜଗାରକ୍ଷମ ହେବା ସହ ଆର୍ଥିକ ସ୍ଥିତିରେ ଉନ୍ନତି ପରିଲିକ୍ଷିତ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ରୁଦ୍ର ନାରାୟଣ ପ୍ରଧାନ, ରାଜେଶ ମହାରଣା, ଅଶ୍ୱିନ ରାଉତ, ଆଶିଷ ସ୍ୱାଇଁ, ନକୁଳ ବାବୁ, ଜଗନ୍ନାଥ ରାଉତ, ପ୍ରବୀର କାଣ୍ଡି, ରାହୁଲ ଶୁକ୍ଲା, ପ୍ରଶାନ୍ତ ଜେନା, ନାରାୟଣ ବାରିକ, ଟୁକୁନା ରାଉତ, ଶିଶିର ପରିଡା, ଜୟନ୍ତ ନାୟକ, ହାଡିବନ୍ଧୁ ଦାସ, ଦିଲୀପ ପରିଡା, ପବିତ୍ର ବିଶ୍ୱାଳ, ଦେବବ୍ରତ ବିଶ୍ୱାଳ, ସରୋଜ ନାୟକ ଓ ଅନ୍ୟମାନେ ଅନ୍ୟାୟ ପ୍ରତିବାଦରେ ସ୍ୱର ଉତ୍ତୋଳନ କରିଥିଲେ।