ଭଦ୍ରକ:  ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତିଆଡି ସାହି ଅନ୍ତର୍ଗତ ବାସନ୍ତୀ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ଶିକ୍ଷୟତ୍ରୀ ପଦବୀ ପୂରଣ, ଖାଲି ପଡିଥିବା ପିଅନ ପଦବୀ ପୂରଣ, ନୂତନ ସ୍ମାର୍ଟ  ଶ୍ରେଣୀ ଗୃହ ନିର୍ମାଣ, ଅଡିଟରିୟମ ନିର୍ମାଣ, ଉନ୍ନତ ମାନର ମଧ୍ୟାହ୍ନ ଭୋଜନ ପ୍ରଦାନ, ରୋଷେଇ ଘର ନିର୍ମାଣ, ଖାଇବା ପାଇଁ ଡାଇନିଂ ରୁମ୍ ନିର୍ମାଣ, ଗୁଣାତ୍ମକ ଶିକ୍ଷା ଦାନ ଆଦି ଦାବିକରି ବାସନ୍ତୀ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉ କି, ବାସନ୍ତୀ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଦଶମ ଶ୍ରେଣୀରେ ୯୮ ଜଣ ଛାତ୍ରଛାତ୍ରୀ, ନବମ ଶ୍ରେଣୀରେ ୧୧୮ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। କିନ୍ତୁ ୫-ଟି ପକ୍ଷରୁ ନିର୍ମାଣ ହୋଇଥିବା ଶ୍ରେଣୀ ଗୃହ ଦୁଇଟିରେ ମାତ୍ର ୭୦ ଜଣ ଲେଖାଏଁ ଛାତ୍ର ଛାତ୍ରୀଙ୍କ ବସିବା ପାଇଁ ସ୍ଥାନ ଉଦ୍ଦିଷ୍ଟ ଅଛି। ଅନ୍ୟ ଛାତ୍ରଛାତ୍ରୀ ମାନେ ଛିଡା ହୋଇ ରହୁଛନ୍ତି। ବେଳେବେଳେ ତଳେ ବସି ପାଠ ପଢୁଛନ୍ତି। ଏହି ବିଦ୍ୟାଳୟରେ ପିଅନ ନଥିବାରୁ ପ୍ରତି ପିରିୟଡ ଶେଷରେ ଘଣ୍ଟା ବାଜିବା ସମ୍ଭବ ହୋଇ ପାରୁନାହିଁ। ବିଦ୍ୟାଳୟର ଶ୍ରେଣୀ ଗୃହ ଓ ବିଦ୍ୟାଳୟ ପରିସରକୁ ଛାତ୍ରଛାତ୍ରୀ ମାନେ ପ୍ରତ୍ୟେକ ଦିନ ସଫା କରୁଛନ୍ତି। ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ପଦବୀ ବହୁ ଦିନରୁ ଫାଙ୍କା ପଡିଛି। ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନର କୌଣସି ଅର୍ଥ ବିଦ୍ୟାଳୟକୁ ଏପର୍ଯ୍ୟନ୍ତ ଆସି ନାହିଁ। ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ମିଳୁଛି। ସରକାରୀ ନିୟମ ଅନୁଯାୟୀ ୯ମ ରୁ ୧୦ମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ଏହି ମଧ୍ୟାହ୍ନ ଭୋଜନ ମିଳୁନାହିଁ।
Advertisment
୯ମ ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବାକୁ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି। ବିଦ୍ୟାଳୟ ପରିସରରେ ଏକ ଅଡିଟୋରିୟମ ନିର୍ମାଣ ପାଇଁ ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି। ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଦାବି ଗୁଡିକୁ ସମର୍ଥନ କରି ଏସ୍ଏଫ୍ଆଇ ରାଜ୍ୟ ସଂଗଠନିକ କମିଟି ସଭ୍ୟ ବିକାଶ ନାଥ, ଜିଲ୍ଲା ଆବାହକ ଦାଶୀନାଥ ଭୋଈ ସାମିଲ ହୋଇ ଦାବି ଗୁଡିକୁ ସରକାର ତୁରନ୍ତ ପୂରଣ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ରମଣ ରଞ୍ଜନ ମହାନ୍ତି, ଛାତ୍ର ନେତା ରାଜଦୀପ ମହାପାତ୍ର, ସୁଧାଂଶୁ ବାରିକ୍, ପ୍ରଜ୍ଞାପରିମିତା ସାହୁ, ଦୀପାରାଣୀ ମହାନ୍ତି, ଦେବସ୍ମିତା ପରିଡା, ମୌସୁମୀ ମହାନ୍ତି, ଗାୟତ୍ରୀ ସାହୁ, ମାନସୀ ସାହୁ ପ୍ରମୁଖ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ।