ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ହଳଦୀ ଗ୍ରାମର ରାସ୍ତା କାଦୁଅରେ ପଚପଚ ହେବାରୁ ଗ୍ରାମବାସୀମାନେ ରାସ୍ତା ଉପରେ ଧାନ ରୋଇ ଅଭିନବ ପ୍ରତିବାଦ କରିଛନ୍ତି। ସୂଚନାରୁ ପ୍ରକାଶ, ଦୀର୍ଘ ବର୍ଷ ହେବ ହଳଦୀ ଗ୍ରାମ ରାସ୍ତା ମରାମତି ଅଭାବରୁ ବର୍ଷା ହେଲେ ପାଣି ଜମିବା ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ବର୍ଷା ଦିନରେ ରାସ୍ତାରେ କାଦୁଅ ଜମି ଏକ ଧାନ ରୁଆ ଜମି ପରି କାଦୁଅରେ ପଚପଚ ହୋଇ ପଡି ଏଠାରେ ପ୍ରବଳ ମଶା ମାଛି ଜମି ପୂତି ଗନ୍ଧ ବାହାରି ଥାଏ। ରାସ୍ତା ପାର୍ଶ୍ବରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଲୋକଙ୍କ ଘରେ ବ୍ୟବହୃତ ହେଉଥିବା ପାଣି ରାସ୍ତାରେ ଆସିଥାଏ। ଏହି ରାସ୍ତା ଦେଇ ଚନ୍ଦାହାଣ୍ଡି ସଦରକୁ ଲୋକେ ଯାତାୟତ କରିବା ସହ ଡାକ୍ତରଖାନାକୁ ଯାତାୟତ କରିଥାନ୍ତି। ରାସ୍ତାକୁ ଲାଗିକି ରହିଛି ଗ୍ରାମର ଠାକୁରାଣୀ ମନ୍ଦିର ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ। ରାସ୍ତା ଖରାପ ଏବଂ କାଦୁଅ, ଜମିବା ଫଳରେ ମେଡିକାଲକୁ ରୋଗୀ ଏବଂ ଗର୍ଭବତୀ ନେବାକୁ ବିଶେଷ ଅସୁବିଧା ହେବା ସହ ଛୋଟ ପିଲା ମାନେ ସ୍କୁଲ ଯିବା ସମୟରେ ନାହିଁ ନ ଥିବାର ହଇରାଣ ହୋଇ ଥାନ୍ତି।
ରାସ୍ତା ନିର୍ମାଣ ପାଇଁ ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଗତ ଜୁଲାଇ ୧ ତାରିଖରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଭିତ୍ତି ପ୍ରସ୍ଥର ସ୍ଥାପନର ୩ ମାସ ବିତି ଯାଇଥିଲେ ମଧ୍ୟ ରାସ୍ତା ମରାମତି ନହେବା ଫଳରେ ସମାଜସେବୀ ଭୋଦେବ ବାଘଙ୍କ ନେତୃତ୍ୱରେ ଗ୍ରାମର ପୁରୁଷ ଏବଂ ମହିଲା ମାନେ ଆଜି ରାସ୍ତାରେ ଜମିଥିବା କାଦୁଅରେ ଧାନ ରୋଇ ରାସ୍ତା ମରାମତି ପାଇଁ ପ୍ରତିବାଦ ଜଣାଇଛନ୍ତି। ସାଂସଦ ବିଧାୟକ, କେବଳ, ଭିତ୍ତି ପ୍ରସ୍ତର ଦେବା ହିଁ ଜାଣିଛନ୍ତି ଏହାର କାର୍ଯ୍ୟ ଆରମ୍ଭ ହେଲା କି ନାହିଁ ସେ ବିଷୟରେ ଆଉ ମନେ ପକାନ୍ତି ନାହିଁ ବୋଲି ସମାଜସେବୀ ଭୋଦେବ ବାଘ, ହେମଲତା ବାଘ, ଶେଷମଳ ଗୌଡ଼, ଧୀରାଜ ସୁନା, ଟିକମ ପୂଜାରୀ, ପ୍ୟାରୀ ବାଘ, କବି ଗଟିଆ, ଡମୁ ବିଶି, ରୋହିତ ପ୍ରଧାନ, ଦୟାମଣି ସୁନା, କିଆଦି ସୁନା, ଦିଗନ ଚଣ୍ଡି, କର୍ଣ୍ଣ ବେମାଲ, ବୈକୁଣ୍ଠ କଟା, ଲାବଣ୍ୟ ପଟେଲ, ବୋଲେକ ହାତୀ ପ୍ରମୁଖ ରାସ୍ତାରେ ଧାନ ରୋଇ ପ୍ରତିବାଦ କରିଛନ୍ତି। ଗୋଟିଏ ପଟେ ହଳଦୀ ଗ୍ରାମରେ ଶାସକ ଦଳର ବରିଷ୍ଠ ତଥା ଆଗଧାଡିର ନେତା ରହି ଶାସକ ଦଳ ସାଂସଦ, ବିଧାୟକଙ୍କ ବିକାଶ କାର୍ଯ୍ୟର ଡ଼ିଣ୍ଡିମ ପିଟୁଥିବା ବେଳେ ନିଜ ଗାଁ ରାସ୍ତାରେ କାଦୁଅ ପଚପଚ ହୋଇ ମଝି ରାସ୍ତାରେ ହଂସ ଖେଳିବା ଘଟଣାକୁ ନେଇ ଏହି ମାନଙ୍କ ପାରିବା ପଣିଆ ପଦାରେ ପଡିଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।